ବଲାଙ୍ଗୀର ଓ କୋରାପୁଟରେ ପ୍ରତିଷ୍ଠା ହେବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇଟି ନୂତନ ଆଞ୍ଚଳିକ

ଭୁବନେଶ୍ୱର:ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇଟି ନୂତନ ଆଞ୍ଚଳିକ କାର୍ଯ୍ୟାଳୟ ବଲାଙ୍ଗୀର ଓ କୋରାପୁଟରେ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ନୂତନ ବଲାଙ୍ଗୀର ଆଞ୍ଚଳିକ କାର୍ଯ୍ୟାଳୟ କର୍ତ୍ତୃତ୍ୱରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆ ପଡ଼ା ଜିଲ୍ଲା ରହିବ। ସେହିଭଳି କୋରାପୁଟ, ନବରଙ୍ଗ ପୁର ଓ ମାଲକାନଗିରି ଜିଲ୍ଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କୋରାପୁଟ ଆଞ୍ଚଳିକ କାର୍ଯ୍ୟାଳୟ, କର୍ତ୍ତୃତ୍ୱାଧୀନ ରହିବେ । ବଲାଙ୍ଗୀର ଓ କୋରାପୁଟ ଆଞ୍ଚଳିକ ପ୍ରଦୂଷଣ କାର୍ଯ୍ୟାଳୟ ପ୍ରତିଷ୍ଠା ଓ କାର୍ଯ୍ୟ ସଞ୍ଚନ୍ଧୀୟ ବ୍ୟୟ ରାଜ୍ୟବଜେଟ୍‌ରୁ ଭରଣା କରାଯିବ ନାହିଁ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଖର୍ଚ୍ଚକୁ ନିଜସ୍ୱ ସଞ୍ଚଳରୁ ତୁଲାଇବେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

ଏହା ଛଡ଼ା ଗଜପତି( ପାରଳାଖେମୁଣ୍ଡି)ଠାରେ ଅନ୍ୟ ଏକ ନୂତନ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଖୋଲିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରସ୍ତାବ ଦେଇଥିଲେ । ଗଜପତି ଓ କନ୍ଧମାଳ ଜିଲ୍ଲା ଏହି ନୂତନ ଆଞ୍ଚଳିକ କାର୍ଯ୍ୟାଳୟର କର୍ତ୍ତୃତ୍ୱରେ ରହିବା ପାଇଁ ପ୍ରସ୍ତାବରେ ଉଲ୍ଲେଖ ଥିଲା । ମାତ୍ର ଦୂରତାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ରାୟଗଡ଼ା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ କର୍ତ୍ତୃତ୍ୱରେ ଓ କନ୍ଧମାଳ ଜିଲ୍ଲା ବ୍ରହ୍ମପୁର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ କର୍ତ୍ତୃତ୍ୱାଧୀନ ରହିବ ବୋଲି ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ପାରାଦୀପ, କଳିଙ୍ଗନଗର ଓ ଝାରସୁଗୁଡ଼ାଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ସ୍ୱୀକୃତି ମିଳିସାରିଛି । ଏହା ଛଡ଼ା ରାଜ୍ୟର ରାଉରକେଲା, କଟକ, ସମ୍ବଲପୁର, ଅନୁଗୋଳ, ବାଲେଶ୍ୱର,ବ୍ରହ୍ମପୁର, ଭୁବନେଶ୍ୱର, କେଉଁଝର ଓ ରାୟଗଡ଼ାରେ ୯ଟି ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କାର୍ଯ୍ୟାଳୟ କାର୍ଯ୍ୟ କରୁଛି । ବଲାଙ୍ଗୀର ଓ କୋରାପୁଟ ନୂତନ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟକୁ ମିଶାଇଲେ ସାରା ରାଜ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସର୍ବମୋଟ ୧୪ଟି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ କାର୍ଯ୍ୟ କରିବ ବୋଲି ବିଭାଗୀୟ ସୂତ୍ରରୁ ଜଣା ପଡ଼ିଛି।

Comments are closed.