ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲାର ବରୀ ଥାନା ଅନ୍ତର୍ଗତ ଶଙ୍କରାକୂଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି ।ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁରଘର ଲୋକେ ମାଡ଼ ମାରି ହତ୍ୟା କରିଥିବା ନେଇ ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ହେଲେ ବ୍ରଜ କିଶୋର ଦାସଙ୍କ ଝିଅ ତୁଳସୀ । ତାଙ୍କ ଘର ସଦର ଥାନାର ଉପର ବରୁହାଁ ଗ୍ରାମ। ସୂଚନା ଯୋଗ୍ୟ, ପ୍ରାୟ ଦେଢ଼ବର୍ଷ ତଳେ ତୁଳସୀ ବରୀ ଥାନାର ଶଙ୍କାରାକୂଳ ଗ୍ରାମର ଭିକାରି ମଲ୍ଳିକଙ୍କ ପୁଅ ରାମ ମଲ୍ଳିକଙ୍କୁ ୨୦୧୮ ମସିହା ଏପ୍ରିଲ ମାସ‌ରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆ ଯାଇଥିଲେ ମଧ୍ୟ ଶ୍ୱଶୁରଘର ଲୋକେ ଅଧିକ ଯୌତୁକ ଦାବି କରି ଆସୁଥିଲେ ଓ ତୁଳସୀଙ୍କୁ ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିଲେ। ପୂର୍ବରୁ ଦୁଇ ପକ୍ଷ ଲୋକେ ଏହାକୁ ନେଇ ଆଲୋଚନା କରିବା ପରେ ସୁବିଧା ହେଲେ ଶ୍ୱଶୁରଘର ଲୋକଙ୍କୁ ବାପଘର ଲୋକେ ଟଙ୍କା ଦେବେ ବୋଲି କଥା ହୋଇଥିଲା। ମାତ୍ର ଏହାପରେ ମଧ୍ୟ ତୁଳସୀଙ୍କ ସ୍ବାମୀ ଘରେ ନଥିବା ଅବସ୍ଥାରେ ନଣନ୍ଦମାନେ ତୁଳସୀଙ୍କୁ ବହୁ ନିର୍ୟ୍ୟାତନା ଦେଇ ଚାଲିଥିଲେ। ଗତକାଲି ଶ୍ୱଶୁରଘର ଲୋକେ ତୁଳସୀଙ୍କୁ ମାଡ଼ ମାରିବା ସହ ପେଜ ଢାଳି ପୋଡ଼ି ମାରି ଦେଇଥିବା ଖବର ପାଇଁ ବାପଘର ଲୋକ ସେଠାରେ ପହଞ୍ଚି ‌ଯୌତୁକ ପାଇଁ ତାଙ୍କ ଝିଅର ହତ୍ୟା ହୋଇଛି ବୋଲି ଅଭିଯୋଗ କରିଛନ୍ତି।

Comments are closed.