ସ୍ବାମୀଙ୍କ ଆତ୍ମହତ୍ୟା ପରେ ୫ ବର୍ଷର ଝିଅ ସହିତ ଫାଶୀ ଲଗାଇ ସ୍ତ୍ରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଏକ ପରିବାରର ୩ ଜଣ ଆତ୍ମହତ୍ୟା କରିବା ଘଟଣା ଶନିବାର ସାମ୍ନାକୁ ଆସିଛି। ପ୍ରଥମେ ସ୍ୱାମୀ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟେସନରେ ମେଟ୍ରୋ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିବା ପରେ ସ୍ତ୍ରୀ ନିଜ ପାଞ୍ଚ ବର୍ଷର ଝିଅ ସହ ଫାଶୀ ଦେଇ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଭଳି ଘଟଣା କେଉଁ କାରଣରୁ ଘଟିଛି ସେନେଇ କୌଣସି ସୂଚନା ଏଯାବତ ମିଳିପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ପରିବାର ଚେନ୍ନାଇର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ନାମ ଭରତ (୩୩)। ସେ ଏକ କମ୍ପାନୀର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ଦିନ ସକାଳ ପ୍ରାୟ ସାଢେ ୧୧ଟା ବେଳକୁ ଟ୍ରେନ ସମ୍ମୁଖକୁ ଡ଼େଇଁ ଆତ୍ମହତ୍ୟା କରିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଏକ ହସ୍ପିଟାଲ ନିଆଯାଇଥିଲା। ଘଟଣା ବିଷୟରେ ଖବର ପାଇ ତାଙ୍କ ପତ୍ନୀ ନିଜ ଝିଅ ଓ ଦିଅର ସହ ସେହି ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରୁ ଫେରିବା ପରେ ମହିଳା ଜଣଙ୍କ ନିଜ ଝିଅ ସହ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ବିଷୟରେ ସନ୍ଧ୍ୟା ୭ଟା୩୦ ବେଳକୁ ଜଣାପଡ଼ିଥିଲା। ସୂଚନା ଯୋଗ୍ୟ, ଭରତ ସେପ୍ଟେମ୍ବର ମାସରେ ନିଜ ପତ୍ନୀ ଓ ଝିଅ ସହ ନେପାଳର କାଠମାଣ୍ଡୁରୁ ଦିଲ୍ଲୀକୁ ବଦଳି ହୋଇ ଆସିଥିଲେ।

Comments are closed.