ହରିଦ୍ୱାର ତୀର୍ଥଯାତ୍ରାରେ ବାହାରିଲେ ଯାଜପୁରର ୧୭୮ ଜଣ ତୀର୍ଥଯାତ୍ରୀ

ଯାଜପୁର/ଭୁବନେଶ୍ବର: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଗୌତମ ବୁଦ୍ଧ ସଂସ୍କୃତି ଭବନରୁ ଯାଜପୁର ଜିଲାର ତୀର୍ଥଯାତ୍ରୀମାନଙ୍କୁ ହରିଦ୍ବାର ଭ୍ରମଣରେ ପଠାଯାଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ସବୁଜ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରି ସମସ୍ତ ତୀର୍ଥଯାତ୍ରୀଙ୍କ ଯାତ୍ରା ଅତ୍ୟନ୍ତ ଶୁଭପ୍ରଦ ଓ ଶୃଙ୍ଖଳିତ ହେଉ ବୋଲି ଈଶ୍ୱରଙ୍କ ନିକଟରେ କାମନା କରିଥିଲେ । ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରୁ ୧୭୮ ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରାରେ ଯାଉଛନ୍ତି। ୧୭୮ ଜଣଙ୍କ ମଧ୍ୟରୁ ୫୪ ଜଣ ଦମ୍ପତି ଥିବାବେଳେ ୭୦ ଜଣ ଏକକ ତୀର୍ଥଯାତ୍ରୀ ଅଛନ୍ତି । ଏହି ତୀର୍ଥଯାତ୍ରୀମାନେ ହରିଦ୍ୱାର ଓ ଋଷିକେଶ ପରିଭ୍ରମଣ କରି ୧୮ ତାରିଖରେ ଓଡିଶା ଫେରିଆସିବେ ବୋଲି ମହାନ୍ତି କହିଛନ୍ତି। ତୀର୍ଥଯାତ୍ରୀ ମାନେ ବାଲେଶ୍ୱରରେ ପହଞ୍ଚିବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଟ୍ରେନରେ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ପଠାଯିବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନିରୋଜ କୁମାର ସାହୁଙ୍କଠାରୁ ସୂଚନା ମିଳିଛି । ୪ଟି ଗାଡିରେ ତୀର୍ଥଯାତ୍ରୀ ମାନେ ବାଲେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ପୂର୍ବରୁ ଆବେଦନ କରିଥିବା ବରିଷ୍ଠ ନାଗରିକମାନଙ୍କ ଆବେଦନ ପତ୍ର ଯାଞ୍ଚ ପରେ ଲଟେରୀ ମାଧ୍ୟମରେ ତୀର୍ଥଯାତ୍ରୀଙ୍କୁ ଚୟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉଦଘାଟନ କରିଛନ୍ତି।

Comments are closed.