ଏମ୍‌ଏମ୍‌ ନରବଣେ ପରବର୍ତ୍ତୀ ସେନାମୁଖ୍ୟ

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ହେବେ। ​‌୨୦୧୯ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବାକୁ ଯାଉଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଉତ୍ତରାଧିକାରୀ ଭାବେ ସେ ସ୍ଥାନ ନେବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ନରବଣେ ଏବେ ସେନାର ଇଷ୍ଟର୍ଣ୍ଣ କମାଣ୍ଡର ନେତୃତ୍ବ ନେଉଛନ୍ତି। ଇଷ୍ଟର୍ଣ୍ଣ କମାଣ୍ଡ ଭାରତ-ଚୀନର ୪୦୦୦ କିମି ସୀମାର ସୁରକ୍ଷା ଦାୟିତ୍ବ ନେଇଥାଏ। ଦୀର୍ଘ ୩୭ବର୍ଷର ବୃତ୍ତିଗତ ଜୀବନରେ ନରବଣେ ଉତ୍ତର-ପୂର୍ବାଞ୍ଚଳ ଓ କାଶ୍ମୀରରେ ବିଶୃଙ୍ଖଳା ଦମନରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି। ଏତଦ୍‌ବ୍ୟତୀତ ରାଷ୍ଟ୍ରୀୟ ରାଇଫଲ୍ସର ମୁଖ୍ୟ ଏବଂ ବିଦେଶରେ ସେ ଭାରତୀୟ ଶାନ୍ତି ସେନାର ନେତୃତ୍ବ ନେଇଛନ୍ତି। ୧୯୮୦ ଜୁନ୍‌ରେ ସେ ଶିଖ ଲାଇଟ ଇନଫାଣ୍ଟ୍ରି ରେଜିମେଣ୍ଟର ୭ମ ବାଟାଲିୟନରେ ପ୍ରଥମେ ଭର୍ତ୍ତି ହୋଇଥିଲେ। ସେନାରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଥିଲା।

Comments are closed.