ନ୍ୟୁଜିଲାଣ୍ଡ କ୍ରିକେଟ୍‍ ଦଳର ବାଂଲାଦେଶ ଗସ୍ତ ସ୍ଥଗିତ

ଢାକା : ମହାମାରୀ କୋଭିଡ୍‍-୧୯ ଭୂତାଣୁ ସଂକ୍ରମଣ ଯୋଗୁଁ ସାରାବିଶ୍ୱରେ କ୍ରୀଡ଼ା ପ୍ରତିଯୋଗିତା ପ୍ରଭାବିତ ହେବାରେ ଲାଗିଛି। ସଦ୍ୟତମ ଖବର ଅନୁସାରେ ନ୍ୟୁଜିଲାଣ୍ଡ କ୍ରିକେଟ୍‍ ଦଳର ବାଂଲାଦେଶ ଗସ୍ତ ସ୍ଥଗିତ ରଖାଯାଇଛି। ମଙ୍ଗଳବାର ବାଂଲାଦେଶ କ୍ରିକେଟ୍‍ ବୋର୍ଡ (ବିସିବି) ଏହି ଘୋଷଣା କରିଛି। ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପ ଅନ୍ତର୍ଗତ ବାଂଲାଦେଶ ଗସ୍ତରେ ଯାଇ ଘରୋଇ ଦଳ ବିରୋଧରେ କେନ୍‍ ୱିଲିୟମ୍‍ସନଙ୍କ ନ୍ୟୁଜିଲାଣ୍ଡ ଦଳ ୨ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିବାର ଥିଲା। ଏହି ସିରିଜ୍‍ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଦଳ ଅଗଷ୍ଟରେ ବାଂଲାଦେଶରେ ପହଞ୍ଚିବାର ଥିଲା।
ଏହି ମର୍ମରେ ବାଂଲାଦେଶ କ୍ରିକେଟ୍‍ ବୋର୍ଡ କହିଛି ଯେ ଉଭୟ ବୋର୍ଡ ପରସ୍ପର ମଧ୍ୟରେ ଆଲୋଚନା କରି ପରବର୍ତ୍ତୀ ସମୟରେ ଏହି ସିରିଜ୍‍ ଖେଳିବା ନେଇ ନିଷ୍ପତ୍ତି ନେବେ। ନ୍ୟୁଜିଲାଣ୍ଡ ବିଶ୍ୱର ଅଳ୍ପ କିଛି ଦେଶ ମଧ୍ୟରେ ଅନ୍ୟତମ; ଯେଉଁଠାରେ ଏବେ କୌଣସି କୋଭିଡ୍‍ ସଂକ୍ରମିତ ରୋଗୀ ନାହାନ୍ତି। ତେବେ ବାଂଲାଦେଶରେ କୋଭିଡ-୧୯ର ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କୁ ବିପଦରେ ପକାଇବାକୁ ବାଂଲାଦେଶ କ୍ରିକେଟ୍‍ ବୋର୍ଡ ଚାହେଁନାହିଁ ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଜାମୁଦ୍ଦିନ୍‍ ଚୌଧୁରୀ କହିଛନ୍ତି। ବାଂଲାଦେଶରେ ହଜାର ହଜାର ବ୍ୟକ୍ତି କୋଭିଡ୍‍-୧୯ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ କ୍ରିକେଟର ଅଛନ୍ତି। ବାଂଲାଦେଶ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ମସ୍ରଫି ମୋର୍ତାଜା କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ପଛରେ ଜାଣିବାକୁ ମିଳିଛି ଯେ ସ୍ପିନର ନଜ୍‍ମୁଲ ଇସ୍‍ଲାମ ଓ ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ ନଫିସ୍‍ ଇକ୍‍ବାଲଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଛି।

Comments are closed.