ନ୍ୟୁଜିଲାଣ୍ଡର କ୍ରମାଗତ ତୃତୀୟ ବିଜୟ, ନାମିବ୍ୟା ହାତରୁ ମ୍ୟାଚ ଛଡ଼ାଇ ନେଲେ ନିଶାମ, ପିଲିପ୍ସ

ସାରଜା : ୟୁଏଇରେ ଚାଲିଥିବା ଟ୍ବେଣ୍ଟି୨୦ ବିଶ୍ବକପ ସପ୍ତମ ସଂସ୍କରଣରେ ନ୍ୟୁଜିଲାଣ୍ଡ କ୍ରମାଗତ ତୃତୀୟ ବିଜୟ ସହ ସେମିଫାଇନାଲ ଆଶାକୁ ଉଜ୍ଜୀବିତ କରିଛି। ଶୁକ୍ରବାର ସାରଜାରେ ଗ୍ରୁପ-ବିର ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ୫୨ରନରେ ନାମିବ୍ୟାକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ଜେମ୍ସ ନିଶାମ ଓ ଗ୍ଲେନ ଫିଲିପ୍ସଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ବଳରେ ୧୬୩ରନ କରିଥିଲା। ୧୬୪ରନ ବିଜୟ ଲକ୍ଷ୍ୟକୁ ପିଛାକରି ନାମିବ୍ୟା ୨୦ ଓଭରରେ ୭ ୱିକେଟ ହରାଇ ୧୧୧ରନ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୬ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ନାମିବ୍ୟା କ୍ରମାଗତ ତୃତୀୟ ପରାଜୟ ସହ ଗ୍ରୁପ ୫ମ ସ୍ଥାନରେ ରହିଛି।
୧୬୪ରନର ବିଜୟ ଲକ୍ଷ୍ୟକୁ ନାମିବ୍ୟାର ଦୁଇ ଓପନର ଷ୍ଟିଫେନ ବ୍ରାଡ୍‌ ଓ ମାଇକେଲ ଭାନ୍ ଲିଙ୍ଗେନ ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ ଯୋଡ଼ିରେ ୪୭ରନ ଯୋଗ କରିଥିଲେ। ବ୍ରାଡ୍‌ ୨୧ ଓ ଲିଙ୍ଗେନ ୨୫ରନ କରି ଆଉଟ୍‌ ହେବା ପରେ ଦଳ ନ୍ୟୁଜିଲାଣ୍ଡ ବୋଲରଙ୍କ ନିକଟରେ ଆତ୍ମସମର୍ପଣ କରି ନେଇଥିଲେ। ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୧୧ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜୋନ ଗ୍ରୀନ ୨୩, ଡେଭିଡ୍‌ ୱାଇସ୍‌ ୧୬ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରିନଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସାଉଥି ଓ ଟ୍ରେଣ୍ଟ ବୋଲ୍ଟ ୨ଟି ଲେଖାଏଁ, ମିଚେଲ ସାଣ୍ଟନର, ଜେମ୍ସ ନିଶାମ ଓ ଇସ୍‌ ସୋଧି ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ନାମିବ୍ୟା ଟସ୍‌ ଜିଣି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡକୁ ବିପକ୍ଷ ନାମିବ୍ୟା ବୋଲରମାନେ ପ୍ରାରମ୍ଭରୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ନ୍ୟୁଜିଲାଣ୍ଡ ୪୩ରନରେ ଦୁଇ ଓପନର ମାର୍ଟିନ ଗପ୍ଟିଲ ୧୮ ଓ ଡାରେଲ ମିଚେଲ ୧୯ଙ୍କ ୱିକେଟ ହରାଇଥିଲା। ତୃତୀୟ ୱିକେଟରେ ଅଧିନାୟକ କେନ୍‌ ୱିଲିୟମସନ ଓ ଡେଭନ କନୱେ ୩୮ରନ ଯୋଗ କରିଥିଲେ। ଦଳ ୮୭ରନରେ ୪ଟି ୱିକେଟ ହରାଇଥିଲା। ୱିଲିୟମସନ ୨୮ ଓ କନୱେ ୧୭ରନ କରି ଆଉଟ୍‌ ହୋଇଥିଲେ। ଏକଦା​‌ ନ୍ୟୁଜିଲାଣ୍ଡ ୧୬ ଓଭ​‌ରରେ ୯୬ରନ କରିଥିବାବେଳେ ଶେଷ ୪ ଓଭରରୁ ୬୭ରନ ସଂଗ୍ରହ କରିଥିଲା। ଗ୍ଲେନ ଫିଲିପ୍ସ ଓ ଜେମ୍ସ ନିଶାମ ପଞ୍ଚମ ୱିକେଟ ପାଇଁ ୩୬ଟି ବଲରୁ ଅବିଭାଜିତ ୭୬ରନ ଯୋଗ କରିବା ସହିତ ଦଳୀୟ ସ୍କୋରକୁ ୨୦ଓଭରରେ ୧୬୩ରନରେ ପହଞ୍ଚାଇଥିଲେ। ଗ୍ଲେନ ଫିଲିପ୍ସ ୨୧ଟି ବଲରୁ ୩୯ ଓ ନିଶାମ ୨୩ଟି ବଲରୁ ୩୫ରନ କରି ଅପରାଜିତ ରହିଥିଲେ। ନାମିବ୍ୟା ପକ୍ଷରୁ ବେରାଣ୍ଡ ସ୍କୁଜି, ଡେଭିଡ ୱାଇସ୍‌ ଓ ଗେରହାଡ ଇରାମୁସ୍‌ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ସେମିଫାଇନାଲ ନିକଟତର ହୋଇଥିବା​‌େ​ବଳେ ୭ରେ ଆଫଗାନିସ୍ତାନ ସହ ଶେଷ ଲିଗ୍‌ ମ୍ୟାଚ ଖେଳିବ।

Comments are closed.