ବଲାଙ୍ଗିରରେ ନୂଆବର୍ଷ : କିଏ ଆଇଁଷ ପରସରେ ତ କିଏ ପୂଜା କରି ସ୍ୱାଗତ

ବଲାଙ୍ଗିର : ନୂଆ ବର୍ଷ। ତେଣୁ ଗୁରୁବାର ରାତିରୁ ହିଁ ଆରମ୍ଭ ହୋଇଥିଲା ଉତ୍ସବର ମାହୋଲ। କରୋନା ପାଇଁ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଘୋଷଣା କରିଥିବା ବେଳେ ରାସ୍ତା ଘାଟରେ ଗହଳି ଚହଳି ଅପେକ୍ଷା ଘରେ ଘରେ ଜମି ଥିଲା ଭୋଜିଭାତର ଆସର। ଗୀତ ନାଚ ସହ ବାଣ ଫୁଟାଇ ନୂଆ ବର୍ଷକୁ ସ୍ୱାଗତ କରାଯାଇଥିଲା। ଆଉ ନୂଆ ବର୍ଷ(ଶୁକ୍ରବାର) ସକାଳେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ସଦର ମହକୁମାରରୁ ଗାଁ ଯାଏଁ। କିଏ ଆଇଁଷ ପରସ ପାଇବାକୁ ଆତୁର ହେଉଥିଲେ ତ ପୁଣି କିଏ ଦିଅଁ ଦେବତାଙ୍କୁ ପୂଜା କରି ନୂଆ ବର୍ଷ ଭଲରେ ଭଲରେ କଟୁ ବୋଲି ପ୍ରାର୍ଥନା କରୁଥିଲେ। ଆଉ ଅନେକ ସରକାରୀ ଅଫିସରରେ ଶୁଭେଚ୍ଛାର ସୁଅ।
ବଲାଙ୍ଗିର ସହରର ଭାଗିରଥୀ ଛକରୁ ରୁଗୁଡ଼ିପଡ଼ା ମଝିରେ ମାଛ ବଜାର। ଏହି ବଜାରରେ ଶୁକ୍ରବାର ସକାଳୁ ଲୋକଙ୍କ ଭିଡ ଜମିଥିଲା। ମାଛ ବିକ୍ରେତାଙ୍କୁ ଫୁରସତ ମିଳି ନଥିଲା। ଚା’ ଟିକେ ପିଇବାକୁ ବି ନଥିଲା ସମୟ। କେବଳ ମାଛ ନୁହେଁ, କୁକୁଡ଼ା, ଛେଳି ମାଂସ ଦୋକାନ ସାମ୍ନାରେ ଲାଇନ୍ ଲାଗିଥିଲା। ସେହିପରି ଫୁଲ ଦୋକାନ ସମ୍ମୁଖରେ ଲୋକେ ଠିଆ ହୋଇ ଭଳିକି ଭଳି ଫୁଲ ତୋଡା ବନାଇବା ପାଇଁ ନିର୍ଦ୍ଦେଶ ଦେଉଥିଲେ। ଏଥିସହିତ ମିଠା, ଉପହାର ଦୋକାନଗୁଡ଼ିକ ବି ଆଜି ଢେର ଭିଡ ଦେଖିବାକୁ ମିଳିଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟରୁ ଏସ୍ପି କାର୍ଯ୍ୟାଳୟ ସହ ବିଭିନ୍ନ କାର୍ଯ୍ୟାଳୟରେ ଶୁଭେଚ୍ଛା ଜଣାଇବା ପାଇଁ ପାଳି କରି ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ। କିଏ ଆଗ ଶୁଭେଚ୍ଛା ଜଣାଇବ ସେଥିପାଇଁ ପ୍ରତିଯୋଗିତା ଲାଗିଥିଲା। ଅନ୍ୟପଟେ ସହରର ବିଭିନ୍ନ ଦେବା ଦେବୀ ମନ୍ଦିରରେ କରୋନା କଟକଣା ଯୋଗୁଁ ତାଲା ଝୁଲୁଥିଲେ ବି ପୂଜା କରିବା ପାଇଁ ଭକ୍ତମାନେ ନିୟମିତ ବ୍ୟବଧାନରେ ଆସୁଥିଲେ। କେବଳ ବଲାଙ୍ଗିର ସହର ନୁହେଁ, ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।