ଯେକୌଣସି କ୍ଷେତ୍ରରେ କାର୍ୟ୍ୟରତ ବା ବୟସ ବର୍ଗର ବ୍ୟକ୍ତିଙ୍କ ପାଇଁ ପାଠ୍ୟକ୍ରମ ରହିବ: ପ୍ରଫେସର ଅର୍କ କୁମାର ଦାସମହାପାତ୍ର, ଓଏସଓୟୁ ନୂଆ କୁଳପତି

ସମ୍ବଲପୁର:: ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ)ର କୁଳପତି ଭାବେ ପ୍ରଫେସର ଅର୍କକୁମାର ଦାସମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଆକ୍ଟ, ୨୦୧୪ (ଓଡ଼ିଶା ଆକ୍ଟ ଅଫ୍ ୨୦୧୫) ଅନୁଯାୟୀ କାର୍ୟ୍ୟଭାର ଗ୍ରହଣ କରିବା ଦିନଠାରୁ ୩ ବର୍ଷ ପର୍ୟ୍ୟନ୍ତ ତାଙ୍କ କାର୍ୟ୍ୟକାଳ ରହିବ। ବର୍ତ୍ତମାନ ପ୍ରଫେସର ଦାସମହାପାତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜିନେସ ଆଡମିନିଷ୍ଟ୍ରେସନ ବିଭାଗର ପ୍ରଫେସର ଅଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୫ ମସିହା ଜୁନ ୧୦ ତାରିଖରେ ଓଏସଓୟୁ ପ୍ରତିଷ୍ଠା ହେବାପରେ କାର୍ୟ୍ୟନିର୍ବାହୀ ଅଧିକାରୀ ଓ ପ୍ରଥମ କୁଳପତି ଭାବରେ ନିଯୁକ୍ତ ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ଗତ ଡିସେମ୍ବର ୩୧ ତାରିଖ କାର୍ୟ୍ୟକାଳ ଶେଷ ହୋଇଥିଲା। ଏବେ ପ୍ରଫେସର ଅର୍କ କୁମାର ଦାସମହାପାତ୍ର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଦ୍ବିତୀୟ କୁଳପତି ଭାବେ ପଦଭାର ସମ୍ଭାଳିବେ।

ଆଜି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଅର୍କ କୁମାରଦାସମହାପାତ୍ରଙ୍କୁ ନିଯୁକ୍ତି ଦେବା ପରେ ‘ସମାଜ’ ପ୍ରତିନିଧିଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଥିବାରୁ ବହୁତ ଖୁସି। ବିଶ୍ବବିଦ୍ୟାଳୟ ପ୍ରଶାସନରେ ଶୃଙ୍ଖଳା, ସ୍ବଚ୍ଛତା ଓ ପାରଦର୍ଶିତାକୁ ଗୁରୁତ୍ବ ଦିଆଯିବ। ବିଶ୍ବବିଦ୍ୟାଳୟକୁ ଉଚ୍ଚସ୍ତରକୁ ନେବାସହ ଏହା ଘରେ ଘରେ କିଭଳି ଜଣାଶୁଣା ହେବ ସେଥିପାଇଁ ସ୍ବତନ୍ତ୍ର ଅଭିଯାନ ଜାରି ରହିବ। ତେବେ, ଗୁଣାତ୍ମକ ମାନ ସହ ସାଲିସ କରାଯିବ ନାହିଁ। ଯେକୌଣସି କ୍ଷେତ୍ରରେ କାର୍ୟ୍ୟରତ ବା ବୟସ ବର୍ଗର ବ୍ୟକ୍ତିଙ୍କ ପାଇଁ ପାଠ୍ୟକ୍ରମ ରହିବ। ଅଧିକ ପାଠ୍ୟକ୍ରମ ଯୋଡ଼ିବା ସହ ପାଠ୍ୟକ୍ରମ ମନୋନୟନ ସମୟରେ ରୋଜଗାର ସୃଷ୍ଟିକୁ ପ୍ରାଧାନ୍ୟ ଦିଆଯିବ। ଅଞ୍ଚଳର ବୁଦ୍ଧିଜୀବୀ ତଥା ଅନ୍ୟମାନଙ୍କ ସହ ଆଲୋଚନା କରି ସମସ୍ତଙ୍କୁ ସାଥିରେ ନେଇ ଏହି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ କାର୍ୟ୍ୟ କରିବେ ବୋଲି ସେ କହିଛନ୍ତି। ଏହାସହ ବସନ୍ତପୁରରେ ହେବାକୁ ଥିବା ଓଏସଓୟୁର ନିଜସ୍ବ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ କରି ତାହାକୁ କାର୍ଯ୍ୟକ୍ଷମ କରାଯିବ। ବିଶ୍ବବିଦ୍ୟାଳୟ ନିୟମାନୁଯାୟୀ ‘ଗ୍ରସ ଏନ୍‌ରୋଲମେଣ୍ଟ ରେସିଓ’ ହାସଲ କରିବାକୁ ଛାତ୍ର ସଂଖ୍ୟା କିଭଳି ବୃଦ୍ଧି ପାଇବ ସେନେଇ ପ୍ରୟାସ କରିବେ ବୋଲି ପ୍ରଫେସର ଦାସମହାପାତ୍ର କହିଛନ୍ତି।
ପ୍ରଫେସର ଦାସମହାପାତ୍ର ଦୀର୍ଘ ବର୍ଷ ଶିକ୍ଷକତା କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ, ସିଣ୍ଡିକେଟ ସଭ୍ୟ ଏବଂ ଭାରପ୍ରାପ୍ତ କୁଳପତି ଭାବରେ ବିଭିନ୍ନ ସମୟରେ ଦାୟିତ୍ବ ନିର୍ବାହ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟ ସ୍ନାତକୋତ୍ତରରେ ସ୍ୱର୍ଣ୍ଣପଦକ ହାସଲ କରିବା ସହ ପିଏଚ.ଡି. ଡିଗ୍ରୀ ଲାଭ କରିଥିବାବେଳେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଡି.ଲିଟ ଉପାଧି ପାଇଛନ୍ତି। ତାଙ୍କ ଅଧିନରେ ୧୬ ଜଣ ସ୍କୋଲାର ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣ୍ଣାଲ ମାନଙ୍କରେ ତାଙ୍କର ୧୧୨ଟି ସନ୍ଦର୍ଭ ପ୍ରକାଶିତ ହୋଇଛି।

Comments are closed.