‘ଓମିକ୍ରନ୍‌’ ନା ‘ଓମାଇକ୍ରୋନ୍‌’: ନୂଆ ଭୂତାଣୁର ନାମକରଣକୁ ନେଇ ବିତର୍କ

ଜିନେଭା: କରୋନା ଭୂତାଣୁର ନୂଆ ପ୍ରକରଣ ‘ଓମିକ୍ରନ୍‌’ର ବୈଜ୍ଞାନିକ ନାମ ବି.୧.୧.୫୨୯ ରଖାଯାଇଛି; ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହାର ନାମ ‘ଓମାଇକ୍ରୋନ୍‌’ ଉଚ୍ଚାରଣ ପାଇଁ କୁହାଯାଇଛି। ଏହାକୁ ‘ଚିନ୍ତାଜନକ ପ୍ରକରଣ’ ବର୍ଗରେ ରଖାଯାଇଛି। ‘ଡେଲ୍‌ଟା’, ‘ବିଟା’, ‘ଗାମା’ ପ୍ରଜାତିଠାରୁ ଏହା ଅଧିକ ଘାତକ ବୋଲି କୁହାଯାଇଛି। ଏହାର ସଂକ୍ରମଣ କ୍ଷମତା, ସଂକ୍ରମଣର ଜଟିଳତା, ଏହା ଉପରେ କରୋନା ଟିକାର ପ୍ରଭାବ ଆଦି ଉପରେ ଅଧ୍ୟୟନ ଆରମ୍ଭ କରାଯାଇଛି।

ତେବେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ‘ସାର୍ସ-କୋଭ୍‌-୨ ପ୍ରକରଣ ବି.୧.୧.୫୨୯’ର ଏହି ନୂଆ ନାମକରଣକୁ ନେଇ ବିତର୍କ ଆରମ୍ଭ ହୋଇଛି। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ନାମ ଥିବା (ସି) ଏଡ଼ାଇବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଓମିକ୍ରନ୍‌କୁ ଓମାଇକ୍ରନ୍‌ କରିଥିବା ଏବଂ ଏହାର ବନାନରୁ ଗ୍ରୀକ୍‌ ବର୍ଣ୍ଣମାଳାର ଦୁଇଟି ଅକ୍ଷର ବାଦ୍‌ ଦେଇଥିବା କୁହାଯାଉଛି। ଗ୍ରୀକ୍‌ ବର୍ଣ୍ଣମାଳା ଅନୁସାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କରୋନା ଭୂତାଣୁର ସମସ୍ତ ପ୍ରକରଣ ବା ପ୍ରଜାତିର ନାମକରଣ କରିଥାଏ। ସେହି ଅନୁସାରେ ‘ବି.୧.୧.୫୨୯’ର ନାମ ‘ନୁ’ (ଏନ୍‌ୟୁ) ହେବା କଥା; କିନ୍ତୁ, ତାହା ନ କରି ଶୁକ୍ରବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାର ନାମ ‘ଓମାଇକ୍ରୋନ୍‌’ ବୋଲି ଘୋଷଣା କରିଛି। ଏମିତି ନାମକରଣ କରିବାକୁ ଯାଇ ଗ୍ରୀକ୍‌ ବର୍ଣ୍ଣମାଳାର ଦୁଇଟି ଅକ୍ଷର ‘ନୁ’ (Nu) ଓ ‘ସି’ (Xi)କୁ ବାଦ ଦିଆଯାଇଥିବା ପ୍ରକାଶ। ମହାମାରୀ ବିଶେଷଜ୍ଞ ତଥା ହାର୍ଭାର୍ଡ ମେଡିକାଲ୍‌ ସ୍କୁଲ୍‌ର ଭେଷଜ ପ୍ରାଧ୍ୟାପକ ମାର୍ଟିନ୍‌ କୁଲ୍‌ଡ୍ରୋଫ୍‌ ଏହାର ସମ୍ଭାବ୍ୟ କାରଣ ଦର୍ଶାଇ କହିଛନ୍ତି ଯେ ଭବିଷ୍ୟତରେ କୌଣସି କରୋନା ଭୂତାଣୁ ପ୍ରଜାତିର ନାମରୁ ‘ସି’ ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି।

Comments are closed.