୨୧ରୁ ନୂଆ ଟିକାକରଣ ନୀତି ଲାଗୁ

ଭୁବନେଶ୍ୱର: ଭାରତ ସରକାରଙ୍କ ପକ୍ଷରୁ ଟିକାକରଣ ନୀତିରେ ପୁନର୍ବାର ପରିବର୍ତ୍ତନ କରାଯାଇଛି। ନୂତନ ସଂଶୋଧିତ ନୀତି ଅନୁଯାୟୀ ସମସ୍ତ ସ୍ୱାସ୍ଥ୍ୟକର୍ମୀ, କୋଭିଡ ସମ୍ମୁଖ ଯୋଦ୍ଧା, ୪୫ବର୍ଷରୁ ଊର୍ଦ୍ଧ୍ବ ନାଗରିକ, ଦ୍ୱିତୀୟ ପାନ ଅପେକ୍ଷାରେ ଥିବା ହିତାଧିକାରୀ ଏବଂ ୧୮ବର୍ଷରୁ ଊର୍ଦ୍ଧ୍ବଙ୍କୁ ଗୁରୁତ୍ୱ ଦିଆଯିବ। ଭାରତ ସରକାର ଟିକା ଉତ୍ପାଦନକାରୀ କମ୍ପାନୀଠାରୁ ୭୫ପ୍ରତିଶତ ଟିକା କିଣିବେ। ଟିକାକରଣ ବେଳେ ଭାରତ ସରକାର କୌଣସି ଧନୀ ଓ ଗରିବ ଦେଖୁ ନାହାନ୍ତି। ହେଲେ ଯେଉଁମାନେ ସକ୍ଷମ ବା ଗରିବଙ୍କୁ ଟିକା ଦେବାକୁ ଚାହୁଁଛନ୍ତି ସେମାନେ ଭାରତ ସରକାରଙ୍କ ‘ଲୋକ-କଲ୍ୟାଣ’ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିବେ।

ଆସନ୍ତା ୨୧ ତାରିଖରୁ ଏହି ନୂତନ ସଂଶୋଧିତ ନୀତି କାର୍ଯ୍ୟକାରୀ ହେବ ବୋଲି ଶୁକ୍ରବାର ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ମହାନଗର ନିଗମ ଆୟୁକ୍ତ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ତେବେ ଯେଉଁମାନେ ‘କୋ-ୱିନ୍‍’ ପୋର୍ଟାଲରେ ପଞ୍ଜୀକରଣ କରିବେ ସେମାନଙ୍କୁ ଟିକାକରଣରେ ଅଗ୍ରାଧିକାର ଦିଆଯିବ। ଏହାସହିତ ଭାରତ ସରକାରଙ୍କ ନୂତନ ମାର୍ଗଦର୍ଶିକା କିଭଳି ତୃଣମୂଳସ୍ତରରେ ଅନୁପାଳନ ହେବ ସେନେଇ ଦୃଷ୍ଟି ଦେବାକୁ ଶ୍ରୀ ମହାପାତ୍ର ପତ୍ରରେ ଦର୍ଶାଇଛନ୍ତି।

Comments are closed.