ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ପ୍ରମୁଖ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦେଶକ କୃପାସିନ୍ଧୁ ମିଶ୍ର ବିଭାଗର କାର୍ଯ୍ୟଧାରା ତଥା ମହାମାରୀ କରୋନା ପରିପ୍ରେକ୍ଷୀରେ ବିଭାଗ ତରଫରୁ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ନିର୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଡିଜିଟାଲ୍‌ ଅର୍କାଇଭ୍‌ ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଜଣାଇଥିଲେ।

ପ୍ରମୁଖ ଶାସନ ସଚିବଙ୍କ କାର୍ଯ୍ୟଭାର ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦେଶକ ଡ. ପ୍ରମୋଦ କୁମାର ମଲ୍ଲିକ, ଯୁଗ୍ମ ନିର୍ଦେଶକ ସୁରେନ୍ଦ୍ର ପରିଡ଼ା ଏବଂ ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ୱ ସହ ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମଧ୍ୟ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ।

Comments are closed.