MEllora 950×100

ଝାରସୁଗୁଡ଼ାରେ ନୂତନ ଆଇଟିଡିଏ : କିର୍ମିରା, ଲଇକେରାକୁ ଆଦିବାସୀ ଅଧ୍ୟୁଷିତ ବ୍ଲକ ମାନ୍ୟତା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲାର ଦୁଇ ଆଦିବାସୀ ଅଧ୍ୟୁଷିତ ପଛୁଆ ବ୍ଲକ କିର୍ମିରା ଓ ଲଇକେରା ବ୍ଲକକୁ ଆଦିବାସୀ ଉପ ଯୋଜନା (ଟିଏସପି)ରେ ସାମିଲ କରାଯାଇଛି । ଗତ ୨୪ ତାରିଖରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିରେ ଏହା ଘୋଷଣା କରାଯାଇଛି । ଏହା ସହିତ ଝାରସୁଗୁଡ଼ା ଠାରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ମୁଖ୍ୟାଳୟ ରହିବ ବୋଲି କୁହାଯାଇଛି ।

ଝାରସୁଗୁଡ଼ା ଜିଲାର ଲଇକେରା ଓ କିର୍ମିରା ବ୍ଲକ ସମେତ ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକକୁ ଆଦିବାସୀ ଉପଯୋଜନାରେ ସାମିଲ କରିବା ସକାଶେ ଓଡ଼ିଶା ସରକାର ୨୦୧୭ ମସିହା ନଭେମ୍ବର ୬ ତାରିଖରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲେ। ୨୦୧୮ ମସିହାରେ କେନ୍ଦ୍ର ଆଦିବାସୀ ପରାମର୍ଶଦାତା ସମିତି(ଟିଏସି) ଏହି ପ୍ରସ୍ତାବର ଅନୁଧ୍ୟାନ କରିଥିବା ବେଳେ ଗତ ବର୍ଷ ୨୦୨୧ ଅକ୍ଟୋବର ୧୧ ତାରିଖରେ ଆଦିବାସୀ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ଏହି ପ୍ରସ୍ତାବର ପର୍ଯ୍ୟବେକ୍ଷଣ  କରିବାକୁ ଚିଠି ଲେଖିଥିଲେ। ପରେ ଗତ ୨୪ ତାରିଖରେ ଏଥି ସକ‌ାଶେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଜଣାପଡ଼ିବା ପରେ ଝାରସୁଗୁଡ଼ା ଜିଲାର ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି। ୨୦୧୧ ଜନଗଣନା ଅନୁସାରେ ୮ଟି ପଞ୍ଚାୟତକୁ ନେଇ ଗଠିତ କିର୍ମିରା ବ୍ଲକରେ ୫୨ ପ୍ରତିଶତ ଓ ୧୧ଟି ପଞ୍ଚାୟତକୁ ନେଇ ଗଠିତ ଲଇକେରା ବ୍ଲକରେ ୫୧ ପ୍ରତିଶତ ଆଦିବାସୀ ଥିଲେ। ଏହି ତଥ୍ୟରୁ ପ୍ରକାଶ ଯେ, ୨୦୧୧ ଜନଗଣନାରେ କିର୍ମିରା ବ୍ଲକରେ ସମୁଦାୟ ୧୦ ହଜାର ୪୮୨ ପରିବାର ଥିବା ବେଳେ ଜନସଂଖ୍ୟା ଥିଲା ୪୨ ହଜାର ୪୯୮, ସେଥି ମଧ୍ୟରୁ ଆଦିବାସୀ ପରିବାର ୫୨୨୩ ଥିବା ବେଳେ ୨୨ହଜାର ୬୦୪ ଲୋକ ଥିଲେ। ଅନୁରୂପ ଭାବେ ଲଇକେରା ବ୍ଲକରେ ଶେଷ ଜନଗଣନାରେ  ସମୁଦାୟ ୧୨ହଜାର ୭୫୨ ପରିବାର ଥିବା ବେଳ ଜନସଂଖ୍ୟା ୪୯ହଜାର ୯୯୨, ସେଥିରୁ ୬୩୦୪ ଆଦିବାସୀ ପରିବାର ଥିଲେ ଏବଂ ୨୫ହଜାର ୮୮୬ଜଣ ଆଦିବାସୀ ଜନସଂଖ୍ୟା ଥିଲା। ନିୟମାନୁସାରେ କୌଣସି ବ୍ଲକର ଆଦିବାସୀ ଜନସଂଖ୍ୟା ୫୦ ପ୍ରତିଶତରୁ ଅଧିକ ହେଲେ ଆଦିବାସୀ ଉପଯୋଜନାରେ ସାମିଲ କରିବାର ବ୍ୟବସ୍ଥା ଥିବା ହେତୁ ସମ୍ମିଳିତ ଆଦିବାସୀ ସମାଜ ଦୀର୍ଘ ୬ବର୍ଷରୁ ଅଧିକ ସମୟ ହେଲାଣି ଏଥି ସକାଶେ ଦାବି କରି ଆସୁଥିଲା। ତେବେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ସଂଗଠନ ପକ୍ଷରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।‌ ତେବେ ଯୁଯୁମୁରାକୁ ମଧ୍ୟ ଟିଏସପି ବ୍ଲକ ଭାବେ ଘୋଷଣା କରିବା ଦିଗରେ ସକାରାତ୍ମକ ଭୂମିକା ନେବା ସକା‌େ‌ଶ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି । ଅନୁରୂପ ଭାବେ ଲୋକମୁକ୍ତି ସଂଗଠନ ପକ୍ଷରୁ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି।

Comments are closed.