କରୋନାରେ ନୂଆ ଉଦ୍ଭାବନ

ବଧିରଙ୍କ ପାଇଁ ମାସ୍କ
ଇଂଲଣ୍ଡର ଜଣେ ମହିଳା ବଧିରମାନଙ୍କ ସମସ୍ୟାକୁ ଅନୁଭବ କରି ଏକ ସ୍ୱତନ୍ତ୍ର ପ୍ରକାର ମାସ୍କ ତିଆରି କରିଛନ୍ତି। ବଧିରମାନେ ଅନେକ କ୍ଷେତ୍ରରେ ସାମ୍‍ନା ଲୋକଙ୍କ ଓଠ ଚାଳନାକୁ ଦେଖି ସେ କହୁଥିବା କଥା ବୁଝିଥାନ୍ତି। ହେଲେ ମାସ୍କ ପିନ୍ଧିବା ପରେ ସେତକ ସେମାନଙ୍କୁ ଦେଖାଯାଏ ନାହିଁ। ତେଣୁ କ୍ଲେୟର କ୍ରସ୍‍ ନାମକ ୪୫ବର୍ଷୀୟା ଏହି ମହିଳା ଏକ ପାରଦର୍ଶୀ ମାସ୍କ ପ୍ରସ୍ତୁତ କରିଛନ୍ତି। ଏହା ମୁହଁକୁ ଘୋଡାଇ ରଖିବା ସହିତ ବ୍ୟକ୍ତିଜଣକ କ’ଣ କହୁଛନ୍ତି ତାହା ଦେଖାଇପାରେ। କ୍ରସ୍‍ ପ୍ରଥମେ ନିଜର କେତେଜଣ ବଧିର ବନ୍ଧୁଙ୍କୁ ଏହି ମାସ୍କ ତିଆରି କରି ଦେବା ପରେ ଅନ୍ୟମାନଙ୍କୁ ବି ଏହା ଦେବାଲାଗି ଅଭିଯାନ ଆରମ୍ଭ କରିଛନ୍ତି।

ଏୟାର ଫିଲ୍‍ଟର
ବୈଜ୍ଞାନିକମାନେ ଏପରି ଏକ ଏୟାର ଫିଲ୍‍ଟର ବା ବାୟୁ ବିଶୋଧକ ତିଆରି କରିଥିବା ନେଇ ଦାବି କରିଛନ୍ତି ଯାହା ବାୟୁରେ କରୋନା ଭୂତାଣୁକୁ ଚିହ୍ନଟ କରି ଏହାକୁ ରୋକିବା ସହ ନଷ୍ଟ କରିଦେଇପାରିବ। ଏଭଳି ଫିଲ୍‍ଟର ଦ୍ୱାରା ସ୍କୁଲ, ହସ୍‍ପିଟାଲ ଏବଂ ବିମାନ ଆଦିରେ କରୋନା ସଂକ୍ରମଣ ରୋକାଯାଇପାରିବ ବୋଲି କୁହାଯାଉଛି। ‘ମ୍ୟାଟେରିଆଲ୍‍ସ ଟୁଡେ ଫିଜିକ୍‍ସ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଉପକରଣ ନିକେଲ୍‍ ଫୋମ୍‍କୁ ୨୦୦ ଡିଗ୍ରୀ ସେଲ୍‍ସିୟସରେ ଗରମ କରି ନିର୍ମାଣ କରାଯାଇଥିଲା। ଏଥିରେ ଆନ୍ଥ୍ରାକ୍ସକାରକ ଘାତକ ଜୀବାଣୁ ବାସିଲସ୍‍ ଆନ୍ଥ୍ରାସିସ୍‍ ୯୯.୯ ପ୍ରତିଶତ ନଷ୍ଟ ହୋଇଯାଇଥିବା ଦେଖାଗଲା। ଆମେରିକାର ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏହି ଗବେଷଣାରେ ଅନ୍ତର୍ଭୁକ୍ତ ଝିଫେଙ୍ଗ ରେନ୍‍ଙ୍କ କହିବା ଅନୁସାରେ, ଏହି ଫିଲ୍‍ଟର ବିମାନ ବନ୍ଦର, ବିମାନ, ବିଭିନ୍ନ କାର୍ଯ୍ୟାଳୟ, ସ୍କୁଲ, କଲେଜ ଏବଂ କ୍ରୁଜ୍‍ ଆଦିରେ କୋଭିଡ୍‍-୧୯ ବ୍ୟାପିବାକୁ ରୋକିପାରିବ। ଏହି ଭୂତାଣୁ ବାୟୁରେ ପ୍ରାୟ ତିନିଘଣ୍ଟା ରହିପାରୁଥିବାରୁ ଏହାକୁ ଶେଷ କରିବା ପାଇଁ ଏକ ଉପଯୋଗୀ ଫିଲ୍‍ଟର ଆବଶ୍ୟକ ହେଉଥିଲା। ଫଳରେ ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ଷେତ୍ର ପୁଣି ଆରମ୍ଭ ହୋଇପାରିବ। ଏହି ଫିଲ୍‍ଟର ସାର୍ସ-କୋଭ୍‍-୨ ଭୂତାଣୁକୁ ୯୯.୮ ପ୍ରତିଶତ ନଷ୍ଟ କରିବାରେ ସଫଳ ହୋଇଥିବା ବୈଜ୍ଞାନିକମାନେ ଜଣାଇଛନ୍ତି।

ମାସ୍କ ପରଟା
ତାମିଲନାଡୁର ମଦୁରାଇଠାରେ ଥିବା ଟେମ୍ପଲ ସିଟି ରେସ୍ତୋରାଁ ଏବେ ପିଲାଙ୍କ ପସନ୍ଦର ସ୍ଥାନ ହୋଇଯାଇଛି। ଏହି ରେସ୍ତୋରାଁରେ ସେମାନଙ୍କ ପସନ୍ଦର ମାସ୍କ ପରଟା ମିଳୁଛି। ଅସଲରେ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇଥିବା ବେଳେ ଅନେକେ ଏହାକୁ ପିନ୍ଧୁ ନାହାନ୍ତି ଏବଂ ଆଉ କେତେଜଣ କେବଳ ଫାଇନ୍‍ରୁ ବର୍ତ୍ତିବା ଲାଗି ଏହାକୁ ନାଁକୁ ମାତ୍ର ଗଳାଇ ଦେଉଥିବା ଦେଖାଯାଉଛି। ଲୋକଙ୍କୁ ମାସ୍କ ପିନ୍ଧିବା ପ୍ରତି ସଚେତନ କରିବା ଲାଗି ମଦୁରାଇର ଏହି ରେସ୍ତୋରାଁ ବିଶେଷ ଡିଜାଇନ୍‍ର ମାସ୍କ ପରଟା ତିଆରି କରୁଛି।

କରୋନା ଛତା
କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ଅନେକେ ପନିପରିବା ସୁଦ୍ଧା ସାବୁନ୍‍ରେ ଧୋଉଥିବା ଦେଖାଯାଉଛି। ସାମାଜିକ ଦୂରତା ଏବଂ ସ୍ୱଚ୍ଛତା ରକ୍ଷା ସୁରକ୍ଷିତ ରହିବାର ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ସୁରକ୍ଷିତ ଦୂରତ୍ୱରେ ରହିବା ଲାଗି ଏକ ଚମତ୍କାର ଛତାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ କୋଭିଡ ଛତା କୁହାଯାଉଛି। ଏହି ଭିଡିଓରେ ଜଣେ ବୃଦ୍ଧବ୍ୟକ୍ତି ଛତା ଧରି ଚାଲୁଥିବା ବେଳେ ତାଙ୍କ ସାମ୍‍ନାକୁ ଜଣେ ମହିଳା ଆସି ଛିଙ୍କିବାର ଅଭିନୟ କରୁଛନ୍ତି। ମହିଳାଙ୍କୁ ଛିଙ୍କ ଆସୁଥିବାର ଦେଖି ବ୍ୟକ୍ତିଜଣକ ତାଙ୍କ ଛତାଟିକୁ ବନ୍ଦ କରି ପୁଣି ଖୋଲିଦେବା ପରେ ଏକ ପ୍ଲାଷ୍ଟିକ ଚାଦର ତାଙ୍କୁ ଘୋଡେଇ ଦେଉଥିବାର ଦେଖାଯାଉଛି।

ଆଣ୍ଟି କରୋନା ଭାକ୍ୟୁମ କ୍ଲିନର
ପଞ୍ଜାବର ମୋହାଲିଠାରେ ଥିବା ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ସାଇନ୍ସ ଏଜୁକେସନ୍‍ ଆଣ୍ଡ୍‍ ରିସର୍ଚ୍ଚର ବୈଜ୍ଞାନିକ ଡ. ସମ୍ରାଟ ଘୋଷ କରୋନା ଭୂତାଣୁ ସଂକ୍ରମଣରୁ ଘରଦ୍ୱାର ସ୍ୱଚ୍ଛ ଏବଂ ଭୂତାଣୁମୁକ୍ତ ରଖିବା ଲାଗି ଏକ ସ୍ୱତନ୍ତ୍ର ଭାକ୍ୟୁମ କ୍ଲିନର ପ୍ରସ୍ତୁତ କରିଛନ୍ତି। ଅଫିସ, ହୋଟେଲ, ରେସ୍ତୋରାଁ, ଦୋକାନ, କାର୍‍ ସହିତ ଘର ଭିତରେ ବି ବିଭିନ୍ନ ସ୍ଥାନରେ ଭୂତାଣୁ ରହିପାରନ୍ତି। ଏସବୁ ସ୍ଥାନରେ ସାନିଟାଇଜର ସିଞ୍ଚନ କରିବା କିମ୍ବା ପୋଛିବା କଷ୍ଟକର। ତେଣୁ ଏହି ଭାକ୍ୟୁମ କ୍ଲିନରରେ ଏସବୁ ସ୍ଥାନ ସଫା କରି ଭୂତାଣୁମୁକ୍ତ କରାଯାଇପାରିବ। ଏହାକୁ ତିଆରି କରିବାରେ ମାତ୍ର ୧୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମୂଲ୍ୟ ବି ସେହି ପାଖାପାଖି ରହିବ ବୋଲି ଜଣାଯାଇଛି। ଏହି ଭାକ୍ୟୁମ କ୍ଲିନରର ପରୀକ୍ଷଣ ସଫଳ ହୋଇଥିବା ବେଳେ କେବଳ ପ୍ରମାଣପତ୍ର ଲାଗି ଆବେଦନ କରାଯାଇଥିବା ଡ. ଘୋଷ ଜଣାଇଛନ୍ତି।

Comments are closed.