ସୋମବାର ଆସିବ କୃଷି ଆଇନ ପ୍ରତ୍ୟାହାର ବିଧେୟକ

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍‌ରେ ଗୃହୀତ ହେବା ପରେ ଆସନ୍ତା ସୋମବାର ସଂସଦର ଶୀଳତକାଳୀନ ଅଧିବେଶନର ପ୍ରଥମ ଦିନରେ ସରକାର ଏ ସଂକ୍ରାନ୍ତ ବିଧେୟକ ଆଗତ କରିବେ ବୋଲି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ଷେ ହେଲା ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସେହିଦିନ ପ୍ରସ୍ତାବିତ ‘ସଂସଦ ଚଲୋ’ ଟ୍ରାକ୍ଟର ଶୋଭାଯାତ୍ରକୁ ସ୍ଥଗିତ ଘୋଷଣା କରାଯାଇଛି। ଏକ ହଜାର କୃଷକ ଓ ୬୦ ଟ୍ରାକ୍ଟରକୁ ନେଇ ପ୍ରସ୍ତାବିତ ଏହି ଶୋଭାଯାତ୍ରା ସଂସଦ ଭବନ ପର୍ଯ୍ୟନ୍ତ ହେବାର ଥିଲା। ଏହାକୁ ସ୍ଥଗିତ ରଖାଯିବା ସମ୍ପର୍କରେ ଶନିବାର ସିଂଘୁ ଏବଂ ଟିକ୍ରି ସୀମାରେ ଅନୁଷ୍ଠିତ କୃଷକ ମହାପଞ୍ଚାୟତରେ ଘୋଷଣା କରାଯାଇଛି।

କିଷାନ ମୋର୍ଚ୍ଚାର ଆଗାମୀ ରଣନୀତି ସମ୍ପର୍କରେ ଡିସେମ୍ବର ୪ରେ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଏହାର ନେତା ଦର୍ଶନ ପାଲ ସିଂହ କହିଛନ୍ତି। କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବି କୃଷକ ସଂଗଠନ ଆନ୍ଦୋଳନ ଶେଷ କରିବାକୁ ରାଜି ହୋଇ ନ ଥିଲେ। ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଏହାର ନେତା ରାକେଶ ଟିକାୟତ ଘୋଷଣା କରିଥିଲେ; କିନ୍ତୁ ଶନିବାର ହଠାତ୍‌ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି।

ଏଭଳି ସ୍ଥିତିରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପୁନର୍ବାର କୃଷକମାନଙ୍କୁ ଆନ୍ଦୋଳନ ଭାଙ୍ଗି ଘରକୁ ଫେରିବା ପାଇଁ ନିବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଫସଲ ବିବିଧତା, ଶୂନ୍ୟ ବଜେଟ୍ କୃଷି ଓ ଏମଏସପି ବ୍ୟବସ୍ଥାକୁ ଆହୁରି ପାରଦର୍ଶୀ ତଥା ପ୍ରଭାବଶାଳୀ କରିବା ପାଇଁ ଏକ କମିଟି ଗଠନ କରାଯିବ। ଏହି ବିଶେଷଜ୍ଞ କମିଟିରେ କୃଷକ ସଂଗଠନର ପ୍ରତିନିଧି ସାମିଲ୍ ହେବେ। କମିଟି ସୁପାରିସକୁ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ସରକାର ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ହିଁ କୃଷି ଆଇନ ପ୍ରତ୍ୟାହାର ବିଧେୟକ ଆଗତ କରିବେ। ଏଥିପାଇଁ ଦଳର ସମସ୍ତ ସାଂସଦ ଉପସ୍ଥିତ ରହିବାକୁ ନିର୍ଦେଶ ଜାରି ହୋଇଛି।

କୃଷି ମନ୍ତ୍ରୀ ତୋମାର କହିଛନ୍ତି ଯେ କୃଷକଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଦାବି ପୂରଣ କରାଯିବ। ସରକାର ଏ କ୍ଷେତ୍ରରେ ତାଙ୍କର ପ୍ରତିଶ୍ରୁତି ପାଳନ କରିବେ। ସେହିଭଳି ନଡ଼ା ଜାଳିବାକୁ ଅପରାଧ ପଦବାଚ୍ୟ କରି ହୋଇଥିବା ଆଇନରେ ସଂଶୋଧନ ଅଣାଯିବ। ଏହି ପ୍ରସଙ୍ଗ ଉପରେ ମଧ୍ୟ ସରକାର କୃଷକଙ୍କ ଦାବି ମାନିଛନ୍ତି। ସେ ଦୃଷ୍ଟିରୁ ଆଉ ଆନ୍ଦୋଳନ ନ କରି କୃଷକମାନେ ଫେରିଯିବା ଉଚିତ ବୋଲି ତୋମାର କହିଛନ୍ତି। ଅପରପକ୍ଷରେ ଆନ୍ଦୋଳନରତ କୃଷକଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ହେଉଛି ରାଜ୍ୟ ସରକାରଙ୍କ ଅଧୀନ ବ୍ୟାପାର। ସେମାନେ ହିଁ ଏହା ଉପରେ ନିଷ୍ପତ୍ତି ନେବେ। କୃଷକଙ୍କ କ୍ଷତିପୂରଣ ଉପରେ ମଧ୍ୟ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେବେ ବୋଲି ତୋମାର କହିଛନ୍ତି। ଏହାର ଜବାବରେ କିଷାନ ମୋର୍ଚ୍ଚା ନେତା ଗୁରନାମ ସିଂହ ଚାରୁନି କହିଛନ୍ତି ଯେ ମନ୍ତ୍ରୀଙ୍କ ଘୋଷଣା ଅଧିକ ସ୍ପଷ୍ଟ ହେବା ସେମାନେ ଚାହାନ୍ତି। ଏମ୍‌ଏସ୍‌ପି କମିଟି କେବେ ହେବ, ଏହାର ରିପୋର୍ଟ କେବେ ପ୍ରକାଶ ପାଇବ ଏବଂ ଏହା କେବେ କାର୍ଯ୍ୟକାରୀ ହେବ ତାହା ସରକାର ସ୍ପଷ୍ଟ କରିବା ଆବଶ୍ୟକ। ଅନ୍ୟ ପ୍ରସଙ୍ଗ ଉପରେ ସରକାର ତୁରନ୍ତ ଆଲୋଚନା କରିବା ଉଚିତ। ଏଥିପାଇଁ ମୋର୍ଚ୍ଚା ଆସନ୍ତା ୪ ପର୍ଯ୍ୟନ୍ତ ଅପେକ୍ଷା କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୧୯ରେ ପ୍ରଧାନମନ୍ତ୍ରୀ ବିବାଦୀୟ ତିନି କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିଥିଲେ; କିନ୍ତୁ କୃଷକମାନେ ସେମାନଙ୍କର ୬ ଦଫା ଦାବି ପୂରଣ ନ ହେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଘୋଷଣା କରିଥିଲେ। ଏଥିମଧ୍ୟରେ ଏମ୍‌ଏସ୍‌ପି ପ୍ରମୁଖ ରହିଛି।

Comments are closed.