ଥାନାରେ ଭୟାବହ ଅଗ୍ନିକାଣ୍ଡ; ଜବତ ଗାଡ଼ି ଜଳିଗଲା

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ପରିସରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଥାନା ପରିସରରେ ଜବତ ହୋଇ ରହିଥିବା ଅନେକ ଗାଡି ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୯ଟା ସମୟରେ ମହୁଲଡିହା ଥାନା ପଛପଟେ ଥିବା ପାଚେରୀ ଭିତରେ ପଡ଼ିଥିବା ଶୁଖିଲା ପତ୍ରରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା। ଧିରେ ଧିରେ ନିଆଁର ପ୍ରକୋପ ବୃଦ୍ଧି ପାଇଥିଲା ଓ ପାଚେରୀ ପରିସର ଭିତରେ ଥିବା ଜବତ ଗାଡ଼ିଗୁଡ଼ିକରେ ନିଆଁ ଲାଗି ଜଳିବାକୁ ଲାଗିଥିଲା। ପ୍ରଥମେ ପୁଲିସ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଣାୟତ୍ତ ହେବାରୁ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହେବା ବେଳକୁ ଜବତ ହୋଇ ରହିଥିବା ଗୋଟିଏ କାର ,୧୮ ଗୋଟି ବାଇକ୍, ୨ଟି ଅଟୋ, ୪ଟି ସାଇକେଲ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅନେକ ଗାଡି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ସଂପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ମୁଁ ଗାଧୋଇବାକୁ ଯିବା ସମୟରେ ହଠାତ ନିଆଁ ଦେଖା ଦେଇଥିଲା ଏବଂ କିଛି ସମୟ ଭିତରେ ନିଆଁ ଅଣାୟତ୍ତ ହୋଇଯାଇଥିଲା।

Comments are closed.