ବୋବଡେଙ୍କୁ ଶିଖ ସଂଗଠନର ଧମକ, ୨୬ରେ କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରା ଅଟକାଅ ନାହିଁ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଶିଖ ସଂଗଠନ ଶିଖ ଫର ଜଷ୍ଟିସ୍‌ (ଏସ୍ଏଫଜେ) ଶୁକ୍ରବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେଙ୍କୁ ଧମକ ଦେଇଛି। ଧମକରେ ପ୍ରଧାନ ବିଚାରପତିଙ୍କୁ ଏସଏଫଜେ କହିଛି ଯେ ଜାନୁଆରୀ ୨୬ରେ କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ଶୋଭାଯାତ୍ରାକୁ ନ ରୋକିବାକୁ କୁହାଯାଇଛି। ଜଷ୍ଟିସ୍‌ ବୋବଡେଙ୍କୁ ଏସ୍ଏଫଜେ କହିଛି ‘ଶିଖଙ୍କୁ ଯେଉଁମାନେ ଗଣହତ୍ୟା କରିଥିଲେ ତୁମେ ତାଙ୍କ ସହିତ ରହିଥିଲ। ଏବେ ପଞ୍ଜାବ କୃଷକଙ୍କ ଗଣହତ୍ୟା ପାଇଁ ଦାୟୀ ନରେନ୍ଦ୍ର ମୋଦୀଙ୍କ ସରକାର ପକ୍ଷରେ ରହିଛ। ଏହା ୧୯୯୦ ମସିହା ନୁହେଁ; ଏହା ୨୦୨୧ ମସିହା। ତେଣୁ ଏସଏଫଜେ ସମସ୍ତ ନ୍ୟାୟକୁ ଆନ୍ତର୍ଜାତିକ ଆଇନ ଅନୁଯାୟୀ ବିଚାର କରିବ।’ ଜାନୁଆରୀ ୧୨ରେ ସୁପ୍ରିମକୋର୍ଟ ବିବାଦୀୟ କୃଷି ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିବା ସହିତ ଆନ୍ଦୋଳନକାରୀ କୃଷକ ଓ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ଅଚଳାବସ୍ଥା ଦୂର କରିବାକୁ ୪ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। କୃଷି ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ସହିତ ସୁପ୍ରିମକୋର୍ଟ ଆନ୍ଦୋଳନକାରୀ କୃଷକଙ୍କୁ ଆନ୍ଦୋଳନ ଜାରି ରଖିବାକୁ ଅନୁମତି ଦେଇଥିଲେ। ତେବେ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ବିଶେଷଜ୍ଞ କମିଟିର ସଦସ୍ୟମାନେ ସରକାର ସପକ୍ଷବାଦୀ ବୋଲି ଆନ୍ଦୋଳନକାରୀ କୃଷକ ସଂଗଠନଗୁଡିକ କହିଛନ୍ତି। ସୁପ୍ରିମକୋର୍ଟ ନିଯୁକ୍ତ ବିଶେଷଜ୍ଞ କମିଟିର ସଦସ୍ୟ ଭାବେ ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଜୋଷୀ, କୃଷି ଅର୍ଥନୀତିଜ୍ଞ ଡଃ ଅଶୋକ ଗୁଲାଟି, ମହାରାଷ୍ଟ୍ରର ଶିବଖେରୀ ସଂଗଠନ ମୁଖ୍ୟ ଅନିଲ ଧନୱତ ଓ ଭାରତୀୟ କିଷାନ ୟୁନିୟନ ନେତା ଭୂପିନ୍ଦର ସିଂହ ମାନ୍‌ଙ୍କ ନାମ ରହିଛି। କୃଷକ ନେତା ରାକେଶ ଟିକାୟତ, ସତନାମ ସିଂହ ପାନୁ ଓ ସାୱିନ୍ଦର ସିଂହ ଚତାଲା ପ୍ରମୁଖ କହିଛନ୍ତି ଯେ କମିଟିର ପ୍ରତ୍ୟେକ ସଦସ୍ୟ ବିବାଦୀୟ କୃଷି ଆଇନକୁ ସମର୍ଥନ କରି ପୂର୍ବରୁ ମନ୍ତବ୍ୟ ରଖିଛନ୍ତି। ଉଭୟ କୃଷି ଆଇନ ସପକ୍ଷରେ ସେମାନେ ଅନେକ ଥର ଯୁକ୍ତି ଦର୍ଶାଇଛନ୍ତି। ମହାରାଷ୍ଟ୍ରର ଶିବଖେରୀ ସଂଗଠନ ମୁଖ୍ୟ ଅନିଲ ଘନୱତ କୃଷି ଆଇନର ବଡ଼ ସମର୍ଥକ ଓ ସେ କୃଷି ସଂସ୍କାର ପାଇଁ ଯୁକ୍ତି ଦର୍ଶାଇ ଆସିଛନ୍ତି। ଗତ ମାସରେ ସେ କହିଥିଲେ ଯେ ସରକାର ଯଦି ଆଇନକୁ ପ୍ରତ୍ୟାହାର କରନ୍ତି ଅବା ସଂଶୋଧନ କରନ୍ତି; ତେବେ ଅନ୍ୟ କୌଣସି ରାଜନୈତିକ ଦଳ କୃଷି ସଂସ୍କାର ଆଣିବାକୁ ସାହସ କରିବେ ନାହିଁ।

ବିଶେଷଜ୍ଞ କମିଟିର ସଦସ୍ୟଙ୍କୁ ନେଇ ଆନ୍ଦୋଳକାରୀ କୃଷକମାନେ ପ୍ରଶ୍ନ ଉଠାଇବା ପରେ ଜାନୁଆରୀ ୧୪ରେ କମିଟିର ଅନ୍ୟତମ ସଦସ୍ୟ ଭୂପିନ୍ଦର ସିଂହ ମାନ୍‌ ଓହରିଯାଇଛନ୍ତି। କୁହାଯାଇଛି ଯେ ଭୂପିନ୍ଦରଙ୍କୁ କମିଟିରୁ ଓହରିଯିବା ଲାଗି ଧମକ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ଏପରି କମିଟି ନିଯୁକ୍ତି ତାଙ୍କର ସରକାର ସମକ୍ଷବାଦୀ ମନୋଭାବକୁ ପୋଷଣ କରୁଥିବା ଏସଏଫଜେ କହିଛି। ଏହି ସରକାରୀ ସପକ୍ଷବାଦୀ ମନୋଭାବକୁ ନେଇ ଏସଏଫଜେ ଆଗାମୀ ଦିନରେ କୃଷକଙ୍କ ପ୍ରସ୍ତାବିତ ଜାନୁଆରୀ ୨୬ ଟ୍ରାକ୍ଟର ଶୋଭାଯାତ୍ରା ଉପରେ ରୋକ ଲଗାଇ ପାରନ୍ତି। ଏହି ଆଶଙ୍କା ବ୍ୟକ୍ତ କରି ଏସଏଫଜେ ପ୍ରଧାନ ବିଚାରପତିଙ୍କୁ ଧମକ ଦେଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ତିନି ନୂଆ କୃଷି ଆଇନର ପ୍ରତ୍ୟାହାର ଦାବିରେ ନଭେମ୍ବର ୨୬ରୁ କୃଷକମାନେ ଆନ୍ଦୋଳନ ଚଳାଇଆସିଛନ୍ତି। ଆନ୍ଦୋଳନକାରୀ କୃଷକ ଓ ସରକାରଙ୍କ ମଧ୍ୟରେ ୯ଥର ଆଲୋଚନା ହୋଇଥିବାବେଳେ କୌଣସି ସମାଧାନର ବାଟ ବାହାରିପାରି ନାହିଁ।

Comments are closed.