ଋଣ ​‌​‌ମୋରାଟୋରିୟମ୍‌ ପ୍ରସଙ୍ଗ, କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ଋଣ ​​‌​‌ମୋରାଟୋରିୟମ୍‌ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁୁ ଭର୍ତ୍ସନା କରିଛନ୍ତି । ଘୁଞ୍ଚାଇ ଦିଆଯାଇଥିବା ଋଣ କିସ୍ତି ବା ଇଏମ୍‌ଆଇ ଉପରେ ସୁଧ ଛାଡକୁ ​‌​‌ନେଇ ଚାଲିଥିବା ବିବାଦ ଏବେ ଶୀର୍ଷରେ ପହଞ୍ଚିଛି । ତେଣୁ ଆସନ୍ତା ସପ୍ତାହକ ମଧ୍ୟରେ ଏହି ସୁଧ ଛାଡ ଉପରେ ନିଜର ପକ୍ଷ ସ୍ପଷ୍ଟ କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ କହିଛନ୍ତି । ବର୍ତ୍ତମାନ ସମୟରେ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଚିନ୍ତା ନ କରି ସରକାର କେବଳ ବ୍ୟବସାୟ କରିବା ଉପରେ ଜୋର ଦେଉଥିବା ଅଦାଲତ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ପହିଲାରେ ହେବାର ଅଛି ।

ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଆର୍‌. ସୁବାସ ରେଡ୍ଡି ଏବଂ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି କହିଲେ, କେନ୍ଦ୍ର ସରକାରଙ୍କ ନିକଟରେ ନିଷ୍ପତ୍ତି ନେବାର ଅଧିକାର ରହିଥିବାବେଳେ ସରକାର ଆର୍‌ବିଆଇ ନିଷ୍ପତ୍ତି ବିରୋଧରେ ରହିଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ, ସରକାର ବ୍ୟାଙ୍କଗୁଡିକୁ ସୁଧ ଉପରେ ସୁଧ ଅସୁଲ କରିବାରୁ ରୋକିପାରିବେ । ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଲେ, ଯେଉଁ ପର୍ଯ୍ୟନ୍ତ ସୁଧ ଛାଡ ଉପରେ କୌଣସି ପ୍ରକାର ନିଷ୍ପତ୍ତି ନ ନିଆଯାଇଛି ସେ ପର୍ଯ୍ୟନ୍ତ ମୋରାଟୋରିୟମ୍‌ ଅବଧିକୁ ବଢ଼ାଇ ଦିଆଯିବା ଉଚିତ ‌ବୋଲି ସେ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ପ୍ରସଙ୍ଗରେ ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଲେ, ଏ ସମ୍ପର୍କରେ ସରକାର ରିଜର୍ଭ ବ୍ୟାଙ୍କର ସମନ୍ବୟ​‌​‌ରେ ରହିଛନ୍ତି । ସବୁ ସମସ୍ୟାର ଗୋଟିଏ ପ୍ରକାରର ସମାଧାନ ହୋଇପାରିବନାହିଁ । ଶେଷ ଥର ଏହି ପ୍ରସଙ୍ଗରେ ହୋଇଥିବା ଶୁଣାଣି ସମୟରେ ​କୋର୍ଟ କହିଥିଲେ ଯେ, ସରକାର ହଜାର ​କୋଟି ଟଙ୍କାର ଏନ୍‌ପିଏକୁ ଟାଳି ଦେଉଛନ୍ତି, କିନ୍ତୁ କିଛି ମାସ ଘୁଞ୍ଚାଇ ଦିଆଯାଇଥିବା ଇଏମ୍‌ଆଇ ଉପରେ ସୁଧ ନେବାକୁ ଚାହୁଁଛନ୍ତି ।

​‌ ସୂଚନାଯୋଗ୍ୟ, କରୋନା ମହାମାରୀ ଏବଂ ଳକ୍‌ଡାଉନ୍‌ ଯୋଗୁ ଚଳିତବର୍ଷ ମାର୍ଚ୍ଚରେ ରିଜର୍ଭ ବ୍ୟାଙ୍କ ଋଣ ଇଏମ୍‌ଆଇ ଉପରେ ​​‌​‌ମୋରାଟୋରିୟମ୍‌ ଅବଧି ତିନି ମାସ ବଢ଼ାଇ ଦେଇଥିଲେ । ଏହାପରେ ଏହି ସବୁିଧାକୁ ଆଉ ତିନି ମାସ ଅର୍ଥାତ୍‌ ଚଳିତମାସ ୩୧ ଯାଏ ବୃଦ୍ଧି କରାଯାଇଥିଲା । ଋଣ କିସ୍ତି ୬ ମାସ ଯାଏ ପରିଶୋଧ ନ କଲେ ମଧ୍ୟ ଏହାକୁ ଋଣ ଖିଲାପ ​ବୋଲି ଧରାଯିବ ନାହିଁ, କିନ୍ତୁ ​​‌​‌ମୋରାଟୋରିୟମ୍‌ ଅବଧି ପରେ ବକେୟା​‌ ପେମେଣ୍ଟ ଉପରେ ଋଣକର୍ତ୍ତାଙ୍କୁ ସମ୍ପୂର୍ଣ୍ଣ ପେମେଣ୍ଟ ଦେବାକୁ ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଥିଲା ।

Comments are closed.