ଦିନକରେ ୨ ଲକ୍ଷ ୪୦ହଜାର ୮୪୨ ସଂକ୍ରମିତ, ୩୭୪୧ ମୃତ

ଦେଶରେ ସଂକ୍ରମଣ ସାମାନ୍ୟ ହ୍ରାସ; ମୃତ୍ୟୁସଂଖ୍ୟା ମଧ୍ୟ ଖସିଲା

ନୂଆଦିଲ୍ଲୀ: ଦେଶବ୍ୟାପୀ ତାଲାବନ୍ଦ ସହିତ କୋଭିଡ କଟକଣା ପାଳନ, ତାହାସହିତ ନମୁନା ପରୀକ୍ଷା ବୃଦ୍ଧି, ଟିକାକରଣ ଆଦିରୁ ସୁଫଳ ମିଳିବା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଦିନକରେ ୨ ଲକ୍ଷ ୪୦ ହଜାର ୮୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁରୂପ ଭାବେ କିଛିଦିନ ଧରି ମୃତ୍ୟୁସଂଖ୍ୟା ଦୈନିକ ୪ହଜାର ଉପରେ ରହୁଥିବାବେଳେ ଗତକାଲି ତାହା ୩୭୪୧କୁ ହ୍ରାସପାଇଛି। ଇତିମଧ୍ୟରେ କୋଭିଡ ସଂକ୍ରମଣର ଗତିବିଧି ନିରୀକ୍ଷଣ କରୁଥିବା ‘ସୂତ୍ର ମଡେଲ’ ଆଧାରରେ ଚିକିତ୍ସା ବିଶେଷଜ୍ଞମାନେ କହିଛନ୍ତି, ଦେଶରେ କୋଭିଡ-୧୯ର ଦ୍ୱିତୀୟ ଲହର ପ୍ରଭାବ ଚଳିତ ବର୍ଷ ଜୁଲାଇ ସୁଦ୍ଧା ହ୍ରାସପାଇବ। ସେମାନଙ୍କ ମତରେ ଚଳିତ ମାସ ଶେଷସୁଦ୍ଧା ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ୧.୫ ଲକ୍ଷକୁ ଖସିଆସିବ ଏବଂ ଜୁନ୍‍ ଶେଷସୁଦ୍ଧା ତାହା ଦୈନିକ ପ୍ରାୟ ୨୦ ହଜାର ରହିବ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ତାମିଲନାଡୁ (୩୫,୮୭୩), କର୍ଣ୍ଣାଟକ (୩୧,୧୮୩), କେରଳ (୨୮୫୧୪), ମହାରାଷ୍ଟ୍ର (୨୬୧୩୩) ଏବଂ ଆନ୍ଧ୍ରପ୍ରଦେଶ (୧୯୯୮୧)ରେ ସର୍ବାଧିକ ଦୈନିକ ସଂକ୍ରମଣ ଲକ୍ଷ୍ୟ କରାଯାଇଛି। ଦେଶରେ ମୋଟ ଯେତିକି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଏହି ପାଞ୍ଚଟି ରାଜ୍ୟରୁ ୫୮.୮୩% ନୂଆ ଆକ୍ରାନ୍ତ ରହିଛନ୍ତି। ଏହି ସମୟ ମଧ୍ୟରେ ଦେଶରେ ୩୭୪୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସର୍ବାଧିକ ୬୮୨ ଏବଂ କର୍ଣ୍ଣାଟକରେ ୪୫୧ ଜଣ ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି। ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ଗତକାଲି ଦିନକରେ ଦେଶରେ ୨୧ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।

Comments are closed.