ନୱାଜ ସରିଫଙ୍କ ବିରୋଧରେ ସାନି ଦୁର୍ନୀତି ମାମଲା

ଇସଲାମାବାଦ : ପାକିସ୍ତାନର ଦୁର୍ନୀତି ନିରୋଧୀ ସଂସ୍ଥା ‘ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ’ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବିରୋଧରେ ସାନି ମାମଲା ରୁଜୁ ପାଇଁ ଅନୁମତି ଦେଇଛି। ବ୍ୟୁରୋ କାର୍ଯ୍ୟକାରୀ ପରିଷଦ ବୈଠକରେ ମୋଟ ୧୧ଟି ମାମଲା ପାଇଁ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରିଫଙ୍କ ବିରୋଧରେ ଥିବା ମାମଲା ଶୀଘ୍ର ତୁଟାଇବାକୁ ବ୍ୟୁରୋକୁ ନିର୍ଦେଶ ଦେବା ପରେ ଏଭଳି ନିଷ୍ପତ୍ତି ହୋଇଛି। ସରିଫଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଫୱାଦ ହୁସେନ୍‌, ପୂର୍ବତନ ମନ୍ତ୍ରୀ ଐଜାଜ୍‌ ଚୌଧୁରୀ, ପୂର୍ବତନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ ଅଫତାବ ସୁଲତାନଙ୍କ ବିରୋଧରେ ମାମଲା ପାଇଁ ମଞ୍ଜୁରୀ ମିଳିଛି। ସେମାନଙ୍କ ସମୟରେ ବୈଦେଶିକ ଅଧିକାରୀ ତଥା ଅତିଥିଙ୍କ ପାଇଁ ୭୩ଟି ଉଚ୍ଚ ସୁରକ୍ଷାସମ୍ପନ୍ନ ଗାଡ଼ି କିଣାରେ ଦୁର୍ନୀତି ହୋଇଥିବା ଓ ଏଥିଯୋଗୁଁ ରାଜକୋଷରୁ ୧୯୫୨ ନିୟୁତ ଟଙ୍କା କ୍ଷତି ହୋଇଥିବା ନେଇ ଏହି ମାମଲା ରୁଜୁ ହେବ। ଏତଦ୍‌ ବ୍ୟତୀତ ନାରୋୱାଲଠାରେ ଏକ ସ୍ପୋର୍ଟସ୍‌ ସିଟି ନିର୍ମାଣ ପାଇଁ ବ୍ୟୟ ଅଟକଳ ୩୦ ନିୟୁତରୁ ୩୦୦କୋଟି ଟଙ୍କାକୁ ବୃଦ୍ଧି କରାଯିବା ନେଇ ମଧ୍ୟ ମାମଲା ରହିଛି। ସୁପ୍ରିମକୋର୍ଟରେ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ୭୦ବର୍ଷୀୟ ସରିଫ ୨୦୧୭ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୨୦୧୮ ଡିସେମ୍ବରରେ ତାଙ୍କୁ ଗିରଫ କରାଯାଇଥିଲା ଓ ସେ ଏବେ ବନ୍ଦୀ ଜୀବନ ବିତାଉଛନ୍ତି। ଜେଲ୍‌ରେ ଗୁରୁତର ଅସୁସ୍ଥ ହେବା ପରେ ସରିଫ ସମ୍ପ୍ରତି ଲଣ୍ଡନରେ ଚିକିତ୍ସାଧୀନ ଅଛନ୍ତି।

Comments are closed.