ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ

ଆଠଗଡ : ଅଧା ବାଟରୁ ୧୦୮ ରୋଗୀବୁହା ଯାନ ଛାଡି ଚାଲିଯିବାରୁ ଚିକିତ୍ସା ଅବହେଳା ଯୋଗୁଁ ଏକ ନବଜାତକ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ବିବରଣୀରୁ ପ୍ରକାଶ ବିହାର ଅଧିବାସୀ ତଥା ଝାରସୁଗୁଡାର ଏକ କାରଖାନାରେ କାମ କରୁଥିବା ପରବିନ୍ଦର ସିଂହ ନାମକ ବ୍ୟକ୍ତିଙ୍କ ପତ୍ନୀ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ନବଜାତକ ଅସୁସ୍ଥ ହୋଇପଡିବାରୁ ତାକୁ ଏକ ୧୦୮ ରୋଗୀବୁହା ଯାନରେ ରବିବାର ରାତିରେ ବୁର୍ଲାରୁ କଟକ ଆଣୁଥିଲେ । ତେବେ ସୋମବାର ଭୋର ସମୟରେ ସଂପୃକ୍ତ ରୋଗୀବୁହା ଯାନଟି ସେମାନଙ୍କୁ ଆଠଗଡ ଡାକ୍ତରଖାନାରେ ଛାଡି ଚାଲିଯାଇଥିଲା । ଗୁରୁତର ଶିଶୁଟି ଜୀବିତ ଥିଲା। କିନ୍ତୁ ଆଠଗଡ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ରୋଗୀବୁହା ଯାନର ବେପରୁଆ ମନୋଭାବ ଏବଂ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁପୁତ୍ରଟି ମୃତ୍ୟୁବରଣ କରିଥିବା ତାଙ୍କ ବାପା ପରବିନ୍ଦର ଅଭିଯୋଗ କରିଥିଲେ। ତେବେ ଶିଶୁର ମାଆ ବୁର୍ଲା ଭିଏସଏସ ମେଡିକାଲରେ ରହିଥିବାରୁ ପରବିନ୍ଦର ମୃତଶିଶୁକୁ ନେଇ ବୁର୍ଲା ଫେରିଯାଇଥିବା ଜଣାପଡିଛି । ଜଣେ ଅସୁସ୍ଥ ନବଜାତ ଶିଶୁର ଚିକିତ୍ସା ବ୍ୟବସ୍ଥା କାହିଁକି ଭିଏସଏସ ଭେଷଜ ମହାବିଦ୍ୟାଳୟ ଭଳି ଏକ ଉନ୍ନତ ଚିକିତ୍ସାଳୟରେ କରିନପାରି କଟକ ଶିଶୁଭବନକୁ ରେଫର କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.