MEllora 950×100

ନେଦରଲାଣ୍ଡ୍‌ସ, ସେନିଗାଲ ପ୍ରିକ୍ବାର୍ଟରରେ ; ଇ​କ୍ଵେ‌ଡରର ବିଦାୟ

ଅଲ୍‌ ଖୋର୍‌/ଅଲ୍‌ ରାୟାନ୍‌ : ଚଳିତ ଫିଫା ଫୁଟ୍‌ବଲ ବିଶ୍ବକପ୍‌ରେ ଗ୍ରୁପ୍‌ ‘ଏ’ର ଲିଗ୍‌ ପର୍ଯ୍ୟାୟ ମଙ୍ଗଳବାର ସମାପ୍ତ ହୋଇଛି। ଏହି ଗ୍ରୁପ୍‌ରୁ ନେଦରଲାଣ୍ଡ୍‌ସ ଓ ସେନିଗାଲ୍‌ ନକ୍‌ଆଉଟ୍‌ ପର୍ଯ୍ୟାୟ ବା ପ୍ରିକ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୩ ଥର ଫାଇନାଲ ଖେଳିବା ସତ୍ତ୍ବେ ପ୍ରତ୍ୟେକ ଥର ରନର୍ସଅପ୍‌ ହୋଇଥିବା ଡଚ୍ ବା ନେଦରଲାଣ୍ଡ୍‌ସ ଦଳ ଆୟୋଜକ କାତାରକୁ ୨-୦ ଗୋଲ୍‌ରେ ପରାସ୍ତ କରିଛି। ଫଳରେ ୩ଟି ମ୍ୟାଚ୍‌ରୁ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ମୋଟ ୭ ପଏଣ୍ଟ ପାଇ ନେଦରଲାଣ୍ଡ୍‌ସ ଗ୍ରୁପ୍‌ ‘ଏ’ର ଶୀର୍ଷରେ ରହି ଶେଷ-୧୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ଯୋଗ୍ୟତା ଅର୍ଜନ ନକରି ଆୟୋଜକ ଭାବେ ପ୍ରଥମଥର ଫିଫା ବିଶ୍ବକପ୍‌ ଖେଳିଥିବା କାତାର ସମସ୍ତ ମ୍ୟାଚ୍‌ ହାରି ତା’ର ଅଭିଯାନ ​ଶେଷକରିଛି। ଏହି ଗ୍ରୁପ୍‌ରେ ୩ୟ ସ୍ଥାନରେ ରହି ଇ​କ୍ଵେ‌ଡର ମଧ୍ୟ ବିଦାୟ ନେଇଛି।
୨ୟ ମିନିଟରେ ଗୋଲ୍‌ପୋଷ୍ଟ ଉପରେ ପ୍ରଥମ ଆକ୍ରମଣ କରିଥିଲା କାତାର୍। ଏହାପରେ ମ୍ୟାଚ୍‌ରେ ୱାନ୍‌ୱେ ଟ୍ରାଫିକ୍ ଦେଖିବାକୁ ମିଳିଥିଲା। ନେଦରଲାଣ୍ଡ୍‌ସ ଘନଘନ ଆକ୍ରମଣ କରିଥିବା ବେଳେ ଘରୋଇ କାତାରର ଖେଳାଳି ଗୋଲ୍‌ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ। ୧୮ ମିନିଟରେ ନେଦରଲାଣ୍ଡ୍‌ସ କ୍ରମାଗତ ୨ଟି କର୍ଣ୍ଣର ପାଇଥିଲେ ହେଁ ଉଭୟ ଥର କୋଡି ଗାପ୍‌କୋ ସୁଯୋଗ ଛାଡ଼ିଥିଲେ। ୨୬ ମିନିଟରେ ଗୋଲ୍‌ଦେଇ ନେଦରଲାଣ୍ଡ୍‌ସ ଆଗୁଆ ହୋଇ ଯାଇଥିଲା। ଡେଭି କ୍ଲାସେନ୍‌ଙ୍କ ସହ ପାସ୍‌ ବିନିମୟ କରି କୋଡି ଗାପ୍‌କୋ କାତାର ଗୋଲ୍‌ପୋଷ୍ଟ ଆଡ଼କୁ ବଢ଼ିଥିଲେ। ସୁଯୋଗ ଦେଖି ଗାପ୍‌କୋ ସଟ୍‌ ମାରି ଗୋଲ୍‌ ଦେଇଥିଲେ। ଏହି ଗୋଲ୍‌ ସହ ଗାପ୍‌କୋ ଚଳିତ ବିଶ୍ବକପ୍‌ରେ ନେଦରଲାଣ୍ଡ୍‌ସର ୩ଟିଯାକ ଲିଗ୍‌ ମ୍ୟାଚ୍‌ରେ ଗୋଲ୍‌ଦେବାର କୃତିତ୍ବ ହାସଲ କରିଛନ୍ତି। ପୂର୍ବରୁ ସେନିଗାଲ୍‌ ଓ ଇ​‌େ​‌କ୍ବଡର ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ଗାପ୍‌କୋ ଗୋଲ୍‌ ଦେଇଥିଲେ। ଏହାପରେ ଅବଶ୍ୟ କାତାର ଦଳ ସଂଘବଦ୍ଧ ହୋଇ କିଛି ଆକ୍ରମଣ କରିଥିଲା। ନେଦରଲାଣ୍ଡ୍‌ସ ଆକ୍ରମଣାତ୍ମକ ଫୁଟ୍‌ବଲ ଖେଳିଥିବା ବେଳେ ରକ୍ଷାପନ୍ଥୀକୁ ମଧ୍ୟ ମଜ୍‌ଭୁତ ରଖିଥିଲା। ତେଣୁ କାତାର ଯେତେ ପ୍ରୟାସ କରିଥିଲେ ମଧ୍ୟ ଗୋଲ୍‌ ହୋଇନଥିଲା। ପ୍ରଥମାର୍ଦ୍ଧରେ ନେଦରଲାଣ୍ଡ୍‌ସ ୧-୦ ଗୋଲ୍‌ରେ ଆଗୁଆ ରହିଥିଲା। ପ୍ରଥମାର୍ଦ୍ଧରେ କାତାର ଗୋଟିଏ ଗୋଲ୍‌ ବରଣ କରି ସନ୍ତୁଷ୍ଟ ଥିବା ପରି ଲାଗୁଥିଲା। ୪୯ ମିନିଟରେ ନେଦରଲାଣ୍ଡ୍‌ସ ପାଇଁ ଫ୍ରେଙ୍କି ଡି ଜଙ୍ଗ୍‌ ୨ୟ ଗୋଲ୍‌ ଦେଇଥିଲେ। ଡେଭି କ୍ଲାସେନ୍‌ ପାସ୍ ଦେଇଥିଲେ ନେଦରଲାଣ୍ଡ୍‌ସର ସାଥୀ ଖେଳାଳି ମେମ୍ଫିସ୍‌ ଡିପେ୍‌ଙ୍କୁ। ଡିପେ ଗୋଲ୍‌ପୋଷ୍ଟକୁ ମାରିଥିବା ସଟ୍‌କୁ କାତାର ଗୋଲ୍‌ରକ୍ଷକ ମେସାଲ୍‌ ବାର୍ସାମ୍ ରୋକି ଦେଇଥିଲେ। ହେଲେ ରିବାଉଣ୍ଡ୍‌ରୁ ବଲ୍‌ ପାଇ ଫ୍ରେଙ୍କି ଡି ଜଙ୍ଗ୍‌ ବଲ୍‌କୁ ଗୋଲ୍‌ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। ଏହି ଗୋଲ୍‌ ଘରୋଇ ଦର୍ଶକଙ୍କୁ ନିରବ କରି ଦେଇଥିଲା। ୬୭ ମିନିଟରେ ନେଦରଲାଣ୍ଡ୍‌ସର ଷ୍ଟିଭେନ୍ ବର୍ଘୁଇସ୍‌ ବଲ୍‌କୁ ଗୋଲ୍‌ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। ରେଫେରୀ ଏହାକୁ ଗୋଲ୍‌ ଘୋଷଣା କରିଥିଲେ ହେଁ ଭିଏଆର୍‌ରୁ ଜଣା ପଡ଼ିଥିଲା ଯେ ବର୍ଘୁଇସ୍‌ ସଟ୍‌ ମାରିବା ପୂର୍ବରୁ ବଲ୍‌ ଗାପ୍‌କୋଙ୍କ ହାତରେ ବାଜିଥିଲା। ହ୍ୟାଣ୍ଡ୍‌ବଲ୍‌ ଘୋଷଣା କରାଯାଇ ଗୋଲ୍‌କୁ ନାକଚ କରା ଯାଇଥିଲା। ପରେ ଆଉ ଗୋଲ୍‌ ହୋଇନଥିଲା।

Comments are closed.