ଆଇସିଏସ୍‌ ଚାକିରିରୁ ନେତାଜୀଙ୍କ ଇସ୍ତଫା ପତ୍ର ସାର୍ବଜନୀନ

ନୂଆଦିଲ୍ଲୀ: ଇଂରେଜଙ୍କ ଶାସନ ସମୟରେ ଭାରତୀୟ ଲୋକ ସେବା (ଇଣ୍ଡିଆନ ସିଭିଲ ସର୍ଭିସ) ପରୀକ୍ଷାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉତ୍ତୀର୍ଣ୍ଣ ହୋଇଥିଲେ। ଆଇସିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ଇଂରେଜ ସରକାରଙ୍କ ଅଧୀନରେ ରହି ଏପରି ଚାକିରି କରିବାକୁ ନେତାଜୀ ଅନିଚ୍ଛା ପ୍ରକାଶ କରିଥିଲେ। ଫଳରେ ସେ ଇଣ୍ଡିଆନ ସିଭିଲ୍ ସର୍ଭିସ (ଆଇସିଏସ୍‌) ଚାକିରିରେ ଯୋଗ ଦେଇ ନଥିଲେ। ଆଇସିଏସ୍‌ ଚାକିରିରେ ଯୋଗ ନଦେବା ବା ଇସ୍ତଫା ଦେବା ସମ୍ପର୍କରେ ନେତାଜୀ ଇଂରେଜ ସରକାରଙ୍କ ନିକଟକୁ ଲେଖିଥିବା ଚିଠି ଏବେ ସାର୍ବଜନୀନ ହୋଇଛି।
ନେତାଜୀଙ୍କ ଏହି ଇସ୍ତଫା ସମ୍ପର୍କରେ ସମସ୍ତେ ଅବଗତ ଥିଲେ ମଧ୍ୟ ଏ ସମ୍ପର୍କରେ ତାଙ୍କ ହାତଲେଖା ଚିଠି ୧୨୫ତମ ଜୟନ୍ତୀରେ ସାର୍ବଜନୀନ ହୋଇଛି।

୧୯୨୦ ଅଗଷ୍ଟରେ ନେତାଜୀ ଆଇସିଏସ୍‌ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୪ର୍ଥ ସ୍ଥାନରେ ରହିଥିଲେ। ମାତ୍ର ଚାକିରିରେ ଯୋଗ ନଦେବା ସମ୍ପର୍କରେ ନେତାଜୀ ୧୯୨୧ ଏପ୍ରିଲ ୨୨ ତାରିଖରେ ତତ୍କାଳୀନ ସଚିବ ଏଡୱିନ ମୋଣ୍ଟଗୁଙ୍କ ନିକଟକୁ ଚିଠି ଲେଖିଥିଲେ। ଚିଠିରେ ନେତାଜୀ ଲେଖିଥିଲେ ‘ ମୁଁ ଇଚ୍ଛା କରୁଛି ଯେ ଇଣ୍ଡିଆନ ସିଭିଲ ସର୍ଭିସ ପ୍ରୋବେସନର ତାଲିକାରୁ ମୋ ନାମ ହଟାଯାଉ।’ ଚିଠିରେ ସେ ଆହୁରି ଲେଖିଥିଲେ ଯେ ତାଙ୍କ ଇସ୍ତଫା ପତ୍ର ଗୃହୀତ ହେଲେ ସେ ଗ୍ରହଣ କରିଥିବା ୧୦୦ ପାଉଣ୍ଡ ଭତ୍ତାକୁ ଫେରସ୍ତ କରିଦେବେ। ଭାରତର ଜାତୀୟ ସଂଗ୍ରହାଳୟରୁ ପ୍ରଘଟ ହୋଇଥିବା ନେତାଜୀଙ୍କ ଇସ୍ତଫା ପତ୍ରରୁ ଅବିକଳ ନକଲ ଏବେ ଇଣ୍ଟରନେଟ୍‌ରେ ପ୍ରସାରିତ ହେବାରେ ଲାଗିଛି। ଭାରତୀୟ ଜଙ୍ଗଲ ସେବା (ଆଇଏଫଏସ୍‌) ଅଧିକାରୀ ପ୍ରବୀଣ କଶୱାନ ମଧ୍ୟ ନିଜ ଟ୍ବିଟରରେ ନେତାଜୀଙ୍କ ଇସ୍ତଫା ପତ୍ରକୁ ସେୟାର କରିଛନ୍ତି। ପ୍ରବୀଣ ଲେଖିଛନ୍ତି ଯେ ନେତାଜୀଙ୍କ ଭଳି ଜଣେ ସାହସୀ, ନିଃସ୍ବାର୍ଥପର ଓ ମହାନ ଆତ୍ମା ହିଁ ଏପରି ନିଷ୍ପତ୍ତି ନେଇପାରିବେ। ଇଂରେଜ ଶାସନ କବଳରୁ ମାତୃଭୂମିକୁ ମୁକ୍ତ କରିବା ଲାଗି ସେ ଏହି ନିଷ୍ପତ୍ତି ନେଇଥିଲେ। ଆଇସିଏସ୍‌ ଚାକିରିରୁ ଇସ୍ତଫା ଦେବା ପରେ ନେତାଜୀ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ୧୯୪୨ରେ ସେ ଆଜାଦ୍ ହିନ୍ଦ ଫୌଜ (ଇଣ୍ଡିଆନ ନ୍ୟାସନାଲ ଆର୍ମି) ଗଠନ କରି ବ୍ରିଟିଶ ସରକାର ବିରୋଧରେ ଲଢେଇ କରିଥିଲେ।

Comments are closed.