ନେଟ୍‌ସରେ ଭାରତୀୟ କ୍ରିକେଟର୍‌ଙ୍କ ଜୋରଦାର ଅଭ୍ୟାସ

ଅହମ୍ମଦାବାଦ୍‌ : ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଆସନ୍ତା ଗୁରୁବାରରୁ ଏଠାରେ ଖେଳାଯିବାକୁ ଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ନେଟ୍‌ସରେ ସୋମବାର ଜୋରଦାର ଅଭ୍ୟାସ କରିଛନ୍ତି ଭାରତୀୟ କ୍ରିକେଟର୍‌।
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି​‌, ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ତାରକା ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା ଦୀର୍ଘସମୟ ନେଟ୍‌ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ। ସେମାନଙ୍କୁ ଭାରତୀୟ ଦଳରେ ଥିବା ଦ୍ରୁତ ବୋଲର ଓ ସ୍ପିନରମାନେ ବୋଲିଂ କରିଥିଲେ। ବ୍ୟାଟିଂ ଅଭ୍ୟାସ ଶେ​‌ଷ କରିବା ପରେ ରୋହିତ ଓ କୋହଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଦୀର୍ଘସମୟ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ରୋହିତ ଓ କୋହଲି ନିଜ ମଧ୍ୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ୧୧ଟି ୱିକେଟ୍ ହାସଲ କରିଥିବା ଭାରତୀୟ ସ୍ପିନର ଅକ୍ଷର ପଟେଲ୍‌ ମଧ୍ୟ ନେଟ୍‌ସରେ ବେଶ୍‌ କିଛିସମୟ ବୋଲିଂ ଅଭ୍ୟାସ କରିଥିଲେ। ବ୍ୟାଟିଂ ଅଭ୍ୟାସ ପରେ କିଛିସମୟ ବିଶ୍ରାମ ନେବା ପରେ ରୋହିତ ଓ ରାହାଣେ ଫିଲଡିଂ ଅଭ୍ୟାସ କରିଥିଲେ। ସୂଚନାଥାଉକି ଭାରତୀୟ ଦଳ ରବିବାର ମଧ୍ୟ ଅଭ୍ୟାସ କରିଥିଲା। ୪ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ଓ ତୃତୀୟ ଟେଷ୍ଟରେ ବିଜୟୀ ହୋଇଥିଲା। ଚତୁର୍ଥ ଟେଷ୍ଟରେ ଭାରତ ତରଫରୁ ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ଖେଳିବେ ନାହିଁ। ବ୍ୟକ୍ତିଗତ କାରଣ ପାଇଁ ସେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରୁ ଓହରି ଯାଇଛନ୍ତି।

Comments are closed.