ବୟସର ଅପରାହ୍ନରେବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ନର୍ଲା:ବୃଦ୍ଧ, ବୃଦ୍ଧା ମାନଙ୍କୁ ସରକାର ମାସିକ ଯୋଗାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା। ଆଜିର ସମାଜରେ ବୟସର ଅପରାହ୍ନରେ ଉପନୀତ ହେଲେ ଅଧିକାଂଶ ପରିବାରରେ ଅଲୋଡା ହୋଇ ଅକଥନୀୟ ଅତ୍ୟାଚାରକୁ ସହୁଥିବା ବେଳ, କେହିକେହି ଭୋକ ଉପାସରେ ଦିନ କାଟନ୍ତି ତ ଆଉ କେହି ଜୀବନ ବିକଳରେ ବୃଦ୍ଧାଶ୍ରମକୁ ଯାଇ ବଳକା ଜୀବନ କଟାଉଛନ୍ତି । ଏହି ବେଳାରେ ବୃଦ୍ଧ,ବୃଦ୍ଧାଙ୍କୁ ସରକାରଙ୍କ ଭତ୍ତା ବହୁ ପରିମାଣରେ ଆଶ୍ବାସନା ଦେଉଛି। ତେବେ ଅନେକେ ଉପଯୁକ୍ତ ବୟସରେ ପହଞ୍ଚି ସାରି ବର୍ଷବର୍ଷ ଅପେକ୍ଷା କରିଛନ୍ତି ସିନା ହେଲେ ସେମାନଙ୍କୁ ମିଳୁନି ଭତ୍ତା । ନର୍ଲା ବ୍ଲକ ସେରଗଡ ଗ୍ରାମ ପଞ୍ଚାୟତ ଉଫେର ଗ୍ରାମର ମାର୍କଣ୍ଡ ରଣା । ଭୂମିହୀନ କାରଣରୁ ସରକାର ତାଙ୍କୁ ବିପିଏଲ ତାଲିକା ଭୂକ୍ତ କରିଛନ୍ତି । ମିଳୁଛି ରାସନ୍ । ହେଲେ ମାର୍କଣ୍ଡଙ୍କ ଭୋଟ ପରିଚୟ ପତ୍ର ଓ ଆଧାର କାର୍ଡ ଅନୁଯାୟୀ ୧୯୯୪ ମସିହାରେ ତାଙ୍କୁ ୪୦ ବର୍ଷ ଉଲ୍ଲେଖ ହୋଇଛି। ହିସାବ ଅନୁଯାୟୀ ବର୍ତ୍ତମାନ ମାର୍କଣ୍ଡଙ୍କ ବୟସ ୬୬ ବର୍ଷ । ଉପଯୁକ୍ତ ସମୟରୁ ୬ବର୍ଷ ଅଧିକ ବିତି ଯାଇଥିଲେ ହେଁ ପାଇନାହାନ୍ତି ବାର୍ଦ୍ଧକ୍ୟ ଭତ୍ତା । ନିଜ କୂଳ ବେଉସା ରେ ମାଟି ହାଣ୍ଡି ଗଢି ବଜାରରେ ବିକି ପରିବାର ପ୍ରତିପୋଷଣ କରୁଛନ୍ତି। ବିବାହ ବ୍ରତରେ।ହାଣ୍ଡି, ମାଠିଆ ଯୋଗାଇ ପାଉଣା ନେଉଛନ୍ତି । ନିଜ ଗାଁ ଉଫେର ରୁ ପ୍ରାୟ ୧୦ କିଲୋମିଟର ରାସ୍ତା କାନ୍ଧରେ ଭାର ବୋହି ସ୍ବାମୀ ସ୍ତ୍ରୀ ବାଲିପଡା ବଜାରକୁ ବିକ୍ରୟ ପାଇଁ ଆସନ୍ତି । ମାର୍କଣ୍ଡଙ୍କ ଭାର ବୁହା କାନ୍ଧକୁ ଦେଖିଲେ ତାହା ସ୍ପଷ୍ଟ ଜଣାପଡେ । ଏଭଳି ପରିସ୍ଥିତିରେ ତାଙ୍କୁ ଯଦି ଭତ୍ତା ଗଣ୍ଡାକ ମିଳନ୍ତା ତାହେଲେ ବଡ ଉପକୃତ ହୁଅନ୍ତା ବୋଲି ମାର୍କଣ୍ଡ ପ୍ରକାଶ କରିଛନ୍ତି ।

Comments are closed.