ଓଲିଙ୍କୁ ମହଙ୍ଗା ପଡ଼ିଲା ଭାରତ ବିରୋଧୀ ଆଭିମୁଖ୍ୟ; ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟ ନିର୍ଧାରଣ ଆଜି

କାଠମାଣ୍ଡୁ: ଭାରତ ବିରୋଧୀ ଆଭିମୁଖ୍ୟ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ମହଙ୍ଗା ପଡ଼ିଛି। ଚୀନ ଇସାରାରେ ନାଚି ଭାରତକୁ ହଇରାଣ କରିବାକୁ ଅହରହ ଉଦ୍ୟମ ଚଳାଇଥିବା ଓଲିଙ୍କ ଗାଦି ଏବେ ଟଳମଳ ହେଉଛି। ସେ ପ୍ରଧାନମନ୍ତ୍ରୀ ରହିବେ କି ନାହିଁ ତାହା ଆଜି ନିଷ୍ପତ୍ତି ହୋଇପାରେ। କାରଣ ନେପାଳରେ ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି)ର ସ୍ଥାୟୀ କମିଟିର ୪୦ ସଦସ୍ୟଙ୍କ ମଧ୍ୟରୁ ୩୩ ଜଣ ଓଲିଙ୍କ ଇସ୍ତଫା ଦାବି କରୁଛନ୍ତି।

କାଠମାଣ୍ଡୁ ପୋଷ୍ଟ ଖବରକାଗଜ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଓଲି ଅସନ୍ତୁଷ୍ଟ ନେତାମାନଙ୍କୁ ମନାଇବାକୁ ସେମାନଙ୍କ ଘରକୁ ଯାଉଛନ୍ତି। ମୁଖ୍ୟ ବିରୋଧୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କ ସହିତ ତାଙ୍କ ଘରେ ୩ ଘଣ୍ଟା ଧରି ଆଲୋଚନା କରିଛନ୍ତି। କାରଣ ଆଜି ଏନସିପିର ସ୍ଥାୟୀ କମିଟି ବୈଠକ ବସିବ। ଏଥିରେ ଓଲିଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ। ସୂଚନାଯୋଗ୍ୟ, କୋଭିଡ-୧୯ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓଲିଙ୍କୁ ପ୍ରଥମରୁ ଟାର୍ଗେଟ କରାଯାଇ ଆସୁଥିଲା। କିନ୍ତୁ ଭାରତ ଓ  ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦରେ ଓଲି ଯେତେବେଳେ ଭାରତ ନେପାଳରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ ସେବେଠାରୁ ଦେଶରେ ତାଙ୍କ ଇସ୍ତଫା ଦାବି ଜୋର ଧରିଛି।

Comments are closed.