ମହଙ୍ଗା ପଡ଼ିଲା ଭାରତ ସହ ବିବାଦ ; ନେପାଳରେ ଲୁଣ କିଲୋ ୧୦୦, ସୋରିଷ ତେଲ ୨୫୦

ନୂଆଦିଲ୍ଲୀ : ଚାଇନା ସହ ଭାରତର ସୀମା ବିବାଦ ଉଗ୍ର ରୂପ ନେବା ପରେ ନେପାଳ ମଧ୍ୟ ବିଭିନ୍ନ ଆଳ ଦେଖାଇ ଭାରତ ସହ ବିବାଦ ଆରମ୍ଭ କରିଦେଇଛି ।  ଏମିତିକି ଭାରତ ଏବଂ ନେପାଳ ମଧ୍ୟରେ ସୀମା ବନ୍ଦ ହୋଇଯାଇଛି । ଏହା ଉଭୟ ଦେଶର ବାଣିଜ୍ୟ ଉପରେ ପ୍ରଭାବ ପକାଇଛି । ନେପାଳ ସରକାର ଏହାର ନାଗରିକଙ୍କ ଭାରତରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିସହିତ ଭାରତୀୟ ଅଞ୍ଚଳର ଲୋକଙ୍କ ଗତିବିଧି ମଧ୍ୟ ବନ୍ଦ ରଖାଯାଇଛି। ଦୁଇ ଦେଶର ସୀମା ବନ୍ଦ ହେବା ଫଳରେ ଏହାର ପ୍ରଭାବ ନେପାଳର ଖାଦ୍ୟ ଓ ପାନୀୟ ଉପରେ ଗଭୀର ଭାବରେ ଅନୁଭୂତ ହେଉଛି। ଏଥିଯୋଗୁ ନେପାଳ​‌​‌ରେ ଖାଦ୍ୟ ପାନୀୟ ସାମଗ୍ରୀ ମୂଲ୍ୟରେ ଅହେତୁକ ବୃଦ୍ଧି ଦେଖାଦେଇଛି । ବର୍ତ୍ତମାନ ନେପାଳରେ ଲୁଣ କିଲୋ ପିଛା ୧୦୦ ଟଙ୍କା ଏବଂ ସୋରିଷ ତେଲ ଲିଟର ପିଛା ୨୫୦ ଟଙ୍କାରେ ପହଞ୍ଚିଛି ।

ସାଧାରଣତଃ ଭାରତ ଏବଂ ନେପାଳ ମଧ୍ୟରେ ୪.୨୧ ବିଲିୟନ ଡଲାରର ବାଣିଜ୍ୟ ହୋଇଥାଏ । ଘୋଷିତ ବାଣିଜ୍ୟକୁ ଛାଡିଦେଲେ ଦୁଇ ଦେଶ ମଧ୍ୟରେ ୧୦ ଗୁଣରୁ ଅଧିକ ଅଘୋଷିତ ବାଣିଜ୍ୟ ହେଉଥିବା ଜଣାପଡିଛି । ସୀମା ବନ୍ଦ ହେବା ଭାରତୀୟ ଅଞ୍ଚଳ ଉପରେ ମଧ୍ୟ ପ୍ରଭାବ ପକାଉଛି। ନେପାଳ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ବାଣିଜ୍ୟ କାରବାର ଏକ ପ୍ରକାର ଠପ ହୋଇଯାଇଛି । ବିହାରର ମଧୁବନୀ ଜିଲାର ଜୟନଗରର ସୀମାବର୍ତ୍ତୀ ବୟନ ବ୍ୟବସାୟୀମାନେ କହିଛନ୍ତି ଯେ ଏଠାରେ ବଜାର ବନ୍ଦ ହେବାର ପ୍ରଭାବ ଦେଖିବାକୁ ମିଳୁଛି । ସେ କହିଛନ୍ତି ଯେ, ଗତ ଦୁଇ ମାସ ମଧ୍ୟରେ କେବଳ ଜୟନଗର ବଜାର ୨୫-୩୦ କୋଟି ଟଙ୍କା ହରାଇଛି । ଦୁଇ ଦେଶ ମଧ୍ୟରେ ସୀମା ବନ୍ଦ ହେବା ଏବଂ ନେପାଳ ସରକାରଙ୍କ କଟକଣା କାରଣରୁ ମଧେଶୀ (ନେପାଳୀ)ମାନଙ୍କ ମଧ୍ୟରେ ବହୁତ ଅସନ୍ତୋଷ ଦେଖାଦେଇଛି । ଏହା କୁହାଯାଉଛି ଯେ ସେଠାରେ ବହୁ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ଭାରତରେ ରୁହନ୍ତି କିନ୍ତୁ ସେମାନଙ୍କର କ୍ଷେତ ନେପାଳରେ ରହିଛି। ସୀମା ବନ୍ଦ ହେବା କାରଣରୁ ସେମା​‌​‌ନେ ଏବେ ଉଭୟ ପାର୍ଶ୍ୱରେ ଦ୍ବନ୍ଦରେ ପଡିଛନ୍ତି । ଏଥିସହିତ ସେମାନଙ୍କର ଚାଷ ମଧ୍ୟ
ଏହାଦ୍ୱାରା ପ୍ରଭାବିତ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ନେପାଳର ପ୍ରାୟ ୭୫ ପ୍ରତିଶତ ଉର୍ବର ଜମି ମଧେଶୀମାନଙ୍କ ଅକ୍ତିଆରରେ ରହିଛି ।

Comments are closed.