ସୁଦୃଢ଼, ସମାବେଶୀ ଓ ଯୁଗାନ୍ତକାରୀ ନୂତନ ଶିକ୍ଷାନୀତି

- ଅମିତାଭ କାନ୍ତ, ସିଇଓ, ନିତି ଆୟୋଗ

ଜାତୀୟ ଶିକ୍ଷାନୀତି (ଏନଇପି)-୨୦୨୦ ଘୋଷଣା ସହିତ ଭାରତର ଶିକ୍ଷା ପରିଦୃଶ୍ୟରେ ଏକ ଗୌରବଶାଳୀ ଓ ଐତିହାସିକ ସୁଧାର ନିମନ୍ତେ ମାର୍ଗ ପ୍ରଶସ୍ତ ହୋଇଛି। ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଉଛି ଏପରି ସଂଶୋଧନ ପାଇଁ ଦୀର୍ଘ ୩୪ ବର୍ଷ ଲାଗିଲା। ଏ ନୀତି ସମୟୋପଯୋଗୀ ଓ ପ୍ରଗତିଶୀଳ। ଏହା ନିଶ୍ଚିତ ଭାବେ ଦେଶର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। ବାସ୍ତବରେ ଗତ କିଛିବର୍ଷ ଧରି ଏ ନୀତିର ଦସ୍ତାବିଜ ପ୍ରସ୍ତୁତ ହେଉଥିଲା, ଯାହାକି ସାର୍ବଜନୀନ ନୀତି ଆଦର୍ଶର ଏକ ସ୍ରୋତ। ଏଥିରେ ପ୍ରତ୍ୟେକ ଅଂଶୀଦାରଙ୍କ ପରାମର୍ଶ ପ୍ରତି ଗୁରୁତ୍ୱ ଦିଆଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ଶିକ୍ଷକଙ୍କ ପର୍ଯ୍ୟନ୍ତ, ଏପରିକି ଦେଶର ସାଧାରଣ ଜନତା ମଧ୍ୟ। ସାରା ଦେଶର ୨.୫ ଲକ୍ଷ ଗ୍ରାମ ପଞ୍ଚାୟତରୁ ସଂଗ୍ରହ କରାଯାଇଥିବା ସମସ୍ତ ପରାମର୍ଶ ପ୍ରତି ଧ୍ୟାନ ଦିଆଯାଇଛି।

ବିଗତ ବର୍ଷଗୁଡ଼ିକରେ ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ (ଏସ୍ଇକ୍ୟୁଆଇ), ଶିକ୍ଷା କ୍ଷେତ୍ରରେ ମାନବ ପୁଞ୍ଜିରେ ପରିବର୍ତ୍ତନ ଲାଗି ସ୍ଥାୟୀ ପଦକ୍ଷେପ (ସାଥୀ) ଏବଂ ଏପରିକି ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ ଆଦି ପଦକ୍ଷେପ ଜରିଆରେ ନିତିଆୟୋଗଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଢାଞ୍ଚାଗତ ସଂସ୍କାର ତୃଣମୂଳସ୍ତରରେ ବିଶେଷ ଫଳପ୍ରଦ ହୋଇଛି। ଏବେ ବ୍ୟବସ୍ଥାରେ ଆବଶ୍ୟକତା ଅନୁରୂପ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ଏନଇପି ସଫଳ ହୋଇପାରିବ। ଏହା ସାମଗ୍ରିକ ଭାବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ- ପ୍ରସାର, ସମାନତା, ଭିତ୍ତିଭୂମି, ପ୍ରଶାସନ ଓ ଶିକ୍ଷଣ ଉପରେ ଗୁରୁତ୍ୱାରୋପ କରିବ। ପ୍ରଗତିଶୀଳ ଚିନ୍ତାଧାରା ଏବଂ ଦୃଢ଼ ସଂସ୍କାର ସପକ୍ଷରେ ଯୁକ୍ତି ବାଢୁଥିବା ‘ଜାତୀୟ ଶିକ୍ଷା ନୀତି ୨୦୨୦’ ଆବଶ୍ୟକତା ଆଧାରିତ ନୀତି, ଅତ୍ୟାଧୁନିକ ଗବେଷଣା ଓ ଶ୍ରେଷ୍ଠ ପ୍ରଚଳନର ସମ୍ମିଶ୍ରଣ, ଯାହା ନୂତନ ଭାରତ ନିର୍ମାଣ ଲାଗି ମାର୍ଗ ପ୍ରଶସ୍ତ କରିବ।

ପ୍ରଥମତଃ, ଆଦ୍ୟ ଶୈଶବରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ସାର୍ବଜନୀନ ପ୍ରସାର, ବିଦ୍ୟାଳୟ ଛାଡ଼ିଥିବା ଅଢ଼େଇ କୋଟିରୁ ଅଧିକ ପିଲାଙ୍କୁ ମୁଖ୍ୟଧାରାକୁ ଆଣିବା ଏବଂ ସାମାଜିକ-ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ସମୁଦାୟଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଉପରେ ଏହି ନୀତିରେ ଗୁରୁତ୍ୱାରୋପ କରାଯାଇଛି। ଏହି ନୀତି ଅନ୍ତିମ ସୋପାନ ପର୍ଯ୍ୟନ୍ତ ଶିକ୍ଷାର ପ୍ରସାରକୁ ସୁନିଶ୍ଚିତ କରୁଛି, ଯାହାକି ‘ଅନ୍ତ୍ୟୋଦୟ’ ଆଦର୍ଶର ବାସ୍ତବ ପ୍ରତିଫଳନ।

ଦ୍ୱିତୀୟତଃ, ସମ୍ମିଳିତ ପ୍ରୟାସ ଜରିଆରେ କାର୍ଯ୍ୟଶୈଳୀରେ ପାରମ୍ପରିକ ବାଧା ଦୂର କରାଯାଇ ଏକ ନୂଆ ପାଠ୍ୟଖସଡ଼ା ଓ ଅଭ୍ୟାସ ତଥା କାର୍ଯ୍ୟକଳାପ ଆଧାରିତ କୌତୁକପୂର୍ଣ୍ଣ ପ୍ରଣାଳୀରେ ଆଦ୍ୟ ଶୈଶବ ଶିକ୍ଷା ପ୍ରଦାନ କରାଯିବ। ମୌଳିକ ସାକ୍ଷରତା ଏବଂ ସଂଖ୍ୟାଶାସ୍ତ୍ର ପାଇଁ ସମର୍ପିତ ଜାତୀୟ ମିଶନ ସହିତ ‘ଏନଇପି ୨୦୨୦’ ଶିକ୍ଷାଦାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ସଶକ୍ତ କରିବାରେ ସକ୍ଷମ ହେବ, ଯାହା ଶିକ୍ଷାର ସୁଦୃଢ଼ ମୂଳଦୁଆ ନିର୍ମାଣ କରିବ।

ତୃତୀୟତଃ, ନୂଆ ଶିକ୍ଷାନୀତିରେ ପୁରୁଣା ପ୍ରଥା ଓ ଶିକ୍ଷା ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆଣିବାର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟସ୍ତରରେ ପାଠ୍ୟକ୍ରମ, ପାଠ୍ୟକ୍ରମ ବହିର୍ଭୂତ ଓ ସହପାଠ୍ୟକ୍ରମ ବିଷୟ ମଧ୍ୟରେ ରହିଥିବା କଠୋର ପ୍ରଭେଦକୁ ସମାପ୍ତ କରିବା ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ ନାମାଙ୍କନ ଓ ପ୍ରମାଣପତ୍ର ସହିତ ଶିକ୍ଷା ସମାପ୍ତ କରିବାର ବିକଳ୍ପ ରହିଛି। ଏହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରତିଭା ଓ ଆଗ୍ରହକୁ ବିକଶିତ କରିବାର ନମନୀୟତା ଓ ସୁବିଧା ପ୍ରଦାନ କରିବ। ନୂତନ ପାଠ୍ୟକ୍ରମ, ପ୍ରୌଢ଼ ଶିକ୍ଷା, ଜୀବନବ୍ୟାପୀ ଶିକ୍ଷା ଏବଂ ଆସନ୍ତା ୫ ବର୍ଷ ମଧ୍ୟରେ ଆମର ଅର୍ଦ୍ଧେକ ଶିକ୍ଷାର୍ଥୀଙ୍କୁ ଅତିକମରେ ଗୋଟିଏ ଧନ୍ଦାମୂଳକ ଶିକ୍ଷାର ସୁଯୋଗ ଦେବା ଆଦି ଏହି ନୀତିର ବିଶେଷତ୍ୱ, ଯାହା ଆମର ଶିକ୍ଷା ବ୍ୟବସ୍ଥାକୁ ଘୋଷା ପାଠଠାରୁ ପ୍ରୟୋଗାତ୍ମକ ବିଦ୍ୟା ଦିଗରେ ନେଇଯିବ। ଏକ ଦକ୍ଷତା ଆଧାରିତ ବିଶ୍ଳେଷଣ, ଅଭ୍ୟାସ ଆଧାରିତ ପାଠ୍ୟଖସଡ଼ା ଏବଂ ସ୍ଥାନୀୟ ଧନ୍ଦାମୂଳକ ବିଶେଷଜ୍ଞଙ୍କ ସହିତ ଇଂଟର୍ଣ୍ଣସିପ ଜରିଆରେ ଏନଇପି ୨୦୨୦ର ‘ଲୋକ ବିଦ୍ୟା’ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ‘ଭୋକାଲ ଫର ଲୋକାଲ’ ଅନୁରୂପ ହୋଇଛି।

ଚତୁର୍ଥରେ, ସାକ୍ଷ୍ୟ ଆଧାରିତ ନୀତି ପ୍ରଦାନ କରିବା ଲାଗି ନୀତି ଆୟୋଗର ଶାସନାଦେଶ ସହିତ ଏହି ତଥ୍ୟରେ ଦୃଢ଼ ବିଶ୍ୱାସ ରହିଛି ଯେ ଯାହାକୁ ମାପି ହେବ ନାହିଁ, ସେଥିରେ ସୁଧାର ଅଣାଯାଇପାରିବ ନାହିଁ। ବର୍ତ୍ତମାନ ସୁଦ୍ଧା ଭାରତରେ ଶିକ୍ଷଣ ଫଳାଫଳର ନିୟମିତ, ବିଶ୍ୱସନୀୟ ଏବଂ ତୁଳନୀୟ ଆକଳନ ପାଇଁ ବିସ୍ତୃତ ବ୍ୟବସ୍ଥାର ଅଭାବ ରହିଛି। ଏହା ଆନନ୍ଦର ବିଷୟ ଯେ ରାଷ୍ଟ୍ରୀୟ ମୂଲ୍ୟାଙ୍କନ କେନ୍ଦ୍ର ‘ପରଖ’ (ପ୍ରଦର୍ଶନ ଆକଳନ ଏବଂ ସାମଗ୍ରିକ ବିକାଶ ଲାଗି ଜ୍ଞାନର ସମୀକ୍ଷା ଓ ବିଶ୍ଳେଷଣ ଲାଗି ଜାତୀୟ କେନ୍ଦ୍ର)ର ଗଠନ କରାଯାଇଛି। ଶିକ୍ଷଣ ପ୍ରକ୍ରିୟା ଉପରେ ନିରନ୍ତର ନିରୀକ୍ଷଣ, ବୋର୍ଡ ପରୀକ୍ଷାରେ ନମନୀୟତା, ବିଚାରଗତ ମୂଲ୍ୟାଙ୍କନ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଆଧାରିତ ଡାଟା ସିଷ୍ଟମର ସଠିକ ପରିଚାଳନା ଆବଶ୍ୟକ ପାଠ୍ୟକ୍ରମ ସଂସ୍କାର ସହିତ ସମ୍ପୂର୍ଣ୍ଣ ସଂଗଠନକୁ ଫଳାଫଳ (ପାରମ୍ପରିକ ଢଙ୍ଗରେ ଇନପୁଟ୍ସ ଉପରେ ଅତ୍ୟଧିକ ଧ୍ୟାନ ଦେବା ପରିବର୍ତ୍ତେ) ଆଧାରିତ କରିବ। ଏହା ଏକ ବ୍ୟବସ୍ଥା ସ୍ୱାସ୍ଥ୍ୟ ଯାଞ୍ଚ ପ୍ରଣାଳୀ ଉପଲବ୍ଧ କରାଇବା ସହିତ ଉପଯୁକ୍ତ ସଂସ୍କାର ଏବଂ ଆବଶ୍ୟକ କ୍ରମ-ସଂଶୋଧନରେ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

ପଞ୍ଚମରେ, ଶିକ୍ଷକ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଏକ ନୂଆ ବ୍ୟାପକ ପାଠ୍ୟକ୍ରମ ଢାଞ୍ଚା, ବହୁବିଷୟକ କାର୍ଯ୍ୟକ୍ରମ ଏବଂ ଖରାପ ମାନକ ବିଶିଷ୍ଟ ସଂସ୍ଥାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଯୋଜନା ସହିତ ପୁନର୍ବିନ୍ୟାସ କରାଯାଇଛି। ଦୃଢ଼ ସଂସ୍କାର ମାଧ୍ୟମରେ ଶିକ୍ଷାକୁ ସୁଦୃଢ଼ କରାଯାଉଛି। ଯୋଗ୍ୟତା ଆଧାରିତ ଚୟନ ଏବଂ ନିଯୁକ୍ତି ନିମନ୍ତେ ପାରଦର୍ଶୀ ବ୍ୟବସ୍ଥା ସହିତ ଯଥେଷ୍ଟ ଶିକ୍ଷକ ଉପଲବ୍ଧ କରାଇବା ଲାଗି ଏସ୍‌ଇକ୍ୟୁଆଇର ସଂକଳ୍ପକୁ ଆଗକୁ ବଢ଼ାଇ ଶିକ୍ଷକ ବଦଳି ଓ ନିଯୁକ୍ତି ନିମନ୍ତେ ଅନଲାଇନ ବ୍ୟବସ୍ଥା କରାଯାଇଛି। ଯାହା ସଠିକ ସଂସ୍ଥାନରେ ସଠିକ ଶିକ୍ଷକଙ୍କ ନିଯୁକ୍ତିକୁ ସୁନିଶ୍ଚିତ କରିବ।

ଷଷ୍ଠରେ, ଏକ ଏକାଡେମିକ କ୍ରେଡିଟ ବ୍ୟାଙ୍କ ସ୍ଥାପନ, ଗବେଷଣା ଉପରେ ଗୁରୁତ୍ୱ, ବର୍ଗୀକୃତ ସ୍ୱାୟତ୍ତତା, ଅନ୍ତର୍ଜାତୀୟକରଣ ଏବଂ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରର ବିକାଶ ଆଦି ଭାରତକୁ ପୁଣିଥରେ ଉଚ୍ଚଶିକ୍ଷାର ପ୍ରମୁଖ ଗନ୍ତବ୍ୟସ୍ଥଳୀରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହାବ୍ୟତୀତ ବହୁଭାଷୀ ଶିକ୍ଷା ଏବଂ ଭାରତର ଜ୍ଞାନ ବୃଦ୍ଧି ନିମନ୍ତେ ପ୍ରୟାସ ଫଳରେ ନାଳନ୍ଦା ଓ ତକ୍ଷଶୀଳା ସମୟ ଅନୁରୂପ ଦେଶର ଶିକ୍ଷା ଐତିହ୍ୟର ପୁନଃପ୍ରତିଷ୍ଠା ସମ୍ଭବ ହୋଇପାରିବ। ଏହା ଏପରି ଏକ ଶିକ୍ଷା ପ୍ରଣାଳୀ ଯାହା ଆଧୁନିକ କିନ୍ତୁ ମୂଳଦୁଆ ସହ ଜଡ଼ିତ। ଏହା ପୁରୁଣା ଏବଂ ନୂଆ ମଧ୍ୟରେ ଏକ ଏରୁଣ୍ଡିବନ୍ଧ ଭାବେ କାର୍ଯ୍ୟ କରିବ।

ସପ୍ତମତଃ, ଅତି ନିୟାମକପୂର୍ଣ୍ଣ ଜଟିଳ, ବିବିଧ ନିୟମ ପରିବର୍ତ୍ତେ ଜାତୀୟ ଶିକ୍ଷାନୀତି ଏକ ସରଳୀକୃତ ଏବଂ ଦୃଢ଼ ଢାଞ୍ଚା ରୂପରେ ପ୍ରଶାସନିକ ବ୍ୟବସ୍ଥାର କାୟାକଳ୍ପ ପରିବର୍ତ୍ତନ କରିଦେବ। ବିଦ୍ୟାଳୟ ପରିସର ଏବଂ କ୍ଲଷ୍ଟରଗୁଡ଼ିକ ବିତରଣ ଢାଞ୍ଚା ନିମନ୍ତେ ଦକ୍ଷ ସମ୍ବଳ ଉପଲବ୍ଧ କରାଇବେ। ସାଧାରଣ ମାନକ ଏବଂ ମାନଦଣ୍ଡ ସମସ୍ତ ସ୍ତରରେ ସଂସ୍ଥାନଗୁଡ଼ିକର ଗୁଣବତ୍ତାକୁ ପ୍ରୋତ୍ସାହନ ଦେବେ। ଉଚ୍ଚ ଶିକ୍ଷା ନିମନ୍ତେ ଗୋଟିଏ ଏକକ ନିୟାମକ ସଂସ୍ଥା ସର୍ବନିମ୍ନ ଆବଶ୍ୟକ ନିୟନ୍ତ୍ରଣ ଓ ସର୍ବାଧିକ ପ୍ରଭାବୀ ପ୍ରଶାସନ ଯୋଗାଇ ଦେବାରେ ସଫଳ ହେବ। ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ସ୍ଥାୟୀ ବିକାଶର ଚତୁର୍ଥ ଲକ୍ଷ୍ୟ। ତେଣୁ ପରିଣାମକୈନ୍ଦ୍ରିକ ମାନ୍ୟତା ପ୍ରଦାନ, ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଲକ୍ଷ୍ୟ ହାସଲ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

‘ଏନଇପି ୨୦୨୦’ ନିଶ୍ଚିତ ଭାବେ ସଠିକ ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଶିକ୍ଷା କ୍ଷେତ୍ରରେ ‘ନୂତନ ସାଧାରଣ ସ୍ଥିତି’ ଆଡ଼କୁ ଇଙ୍ଗିତ କରୁଛି ତଥା ଏଥିରେ ଗହନ ଚିନ୍ତନ, ଗବେଷଣାତ୍ମକ ଜ୍ଞାନ ଆହରଣ, ପାରସ୍ପରିକ ବାର୍ତ୍ତାଳାପ ଆଧାରିତ ଶ୍ରେଣୀଗୃହ, ସମନ୍ୱିତ ଶିକ୍ଷାଦାନ ଏବଂ ପ୍ରତିଦ୍ୱନ୍ଦ୍ୱିତା ଆଧାରିତ ଶିକ୍ଷା ଉପରେ ବିଶେଷ ପ୍ରାଥମିକତା ଦିଆଯାଇଛି। ‘ସମାବେଶୀ ଡିଜିଟାଲ ଶିକ୍ଷା’ ବାସ୍ତବରେ ସମସ୍ତ ସଂସ୍କାର କ୍ଷେତ୍ର ମଧ୍ୟରେ ପାରସ୍ପରିକ ରୂପରେ ଯୋଡ଼ି ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଆକାରରେ ରହିଛି, ଯାହା ଚତୁର୍ଥ ଶିଳ୍ପ ବିପ୍ଳବ ଦିଗରେ ଭାରତର ଯାତ୍ରାକୁ ଏକ ନୂଆ ଏବଂ ଦ୍ରୁତ ଗତି ପ୍ରଦାନ କରିବ। ଏହା ବାସ୍ତବରେ ଏକ ବହୁମୁଖୀ ନୀତି ଯାହାକୁ ଭାରତରେ, ଭାରତ ଦ୍ୱାରା ଏବଂ ଭାରତ ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱାୟତ୍ତତା ଏବଂ ସଠିକ ଦିଗ ମଧ୍ୟରେ ସନ୍ତୁଳନ ଆଣିବା ଲାଗି ପ୍ରୟାସ କରାଯାଇଛି। ଏହାର ସଂସ୍କାରମୂଳକ ଉପାଦାନକୁ ଲାଗୁ କରିବା ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ହେବ।

ପ୍ରତ୍ୟେକ ନୀତିକୁ କାର୍ଯ୍ୟକାରୀ କରିବା ସମୟରେ ହିଁ ଅସଲ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜାତୀୟ ଶିକ୍ଷାନୀତିରେ ଯେଉଁ ଅନ୍ତର୍ନିହିତ ଭାବନା ରହିଛି ସେହି ଭାବନା ଅନୁରୂପ ଏହାକୁ ତ୍ୱରିତ ତଥା ପ୍ରଭାବଶାଳୀ ଢଙ୍ଗରେ ଲାଗୁ କଲେ ହିଁ ଯାଇ ଆମର ପରବର୍ତ୍ତୀ ପିଢ଼ିଙ୍କ ଜୀବନରେ ନୂତନ ଏବଂ ସକାରାତ୍ମକ ପରିବର୍ତ୍ତନ ଆସିପାରିବ। ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ଜରିଆରେ ନିଜ ମାନବ ସମ୍ବଳର ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରି ଭାରତ ନିଜକୁ ବାସ୍ତବରେ ଏକ ଜ୍ଞାନ ମହାଶକ୍ତି ରୂପେ ପ୍ରତିଷ୍ଠା କରିପାରିବ।

Comments are closed.