ନେମାଳ ପଦ୍ମବନ କ୍ଷେତ୍ରରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ନିର୍ବିକଳ୍ପ ଶୁନ୍ୟ ସମାଧି ଦିବସ ଓ ଦେବସ୍ନାନ ଯାତ୍ରା

ନେମାଳ: ଉତ୍କଳ ପ୍ରଦେଶର ଶ୍ରେଷ୍ଠ  ସାଧକ ତଥା ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଭବିଷ୍ୟତ ମାଳିକାକାର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ନିର୍ବିକଳ୍ପ ଶୁନ୍ୟ ସମାଧି ଦିବସ ଓ ଦେବସ୍ନାନଯାତ୍ରା ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି। ପୂର୍ବ ନିର୍ଧାାରିତ କାର୍ଯ୍ୟକ୍ରମ ଅନୁଯାଇ ସେବା ପୂଜା ସକାଳ ୪ଘଟିକା ସମୟରୁ ଆରମ୍ଭ କରାଯାଇଥିଲା। ପ୍ରଭୁଙ୍କର ନିତ୍ୟ ସ୍ନାନ,ମଙ୍ଗଳ ଆଳତି,ପହିଲିଭୋଗ ଓ ଚାନ୍ଦିର ବୃହତ ମକୁଟ ଲାଗି କରାଯାଇଥିଲା। ଭୋର ୫ଟା ଠାରୁ ପହଡ ଖୋଲାଯାଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ପାରମ୍ପରିକ ପେଡି ଭୋଗ ଲାଗି କରାଯାଇଥିଲା। ପରେ ମଧ୍ୟାହ୍ନ ୧୨.୩୦ମି ସମୟରେ କୋଠ ଭୋଗ ଲାଗି କରାଯାଇଥିବା ବେଳେ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ପୀଠ ଉପରକୁ ଛଢାଯାଇଥିଲା। ଆଲେକ ଓ ଫୁଲମାଳରେ ସମଗ୍ର ପୀଠକୁ ସୁସଜିତ କରାଯାଇଛି। ସନ୍ଧ୍ୟାରୁ ଚିତ୍ରୋତ୍ପଳା ନଦୀ ବାଲୁକା ସଯ୍ୟାରେ ବାଲିମେଳା ମହୋତ୍ସବ ସହିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ସ୍ୱରଚିତ ଭଜନ ଜଣାଣ ଓ କିର୍ତ୍ତନ ଗାନ କରାଯାଉଛି।

ଏହି ଅବସରରେ ବାବା ବାଉରିବନ୍ଧୁ ମହାରାଜଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞର ପୁର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅଚ୍ୟୁତାନନ୍ଦ ଲଉଡି ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସାରସ୍ୱତ ଆସର ନେମାଳ କଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ବେଳେ ଇଂ ଭଗବାନ ବିଶ୍ୱାଳଙ୍କ ତତ୍ୱାବଧାନରେ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ସହିତ ମହାପ୍ରଭୁ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଏକ ଆଧ୍ୟାତ୍ମିକ ମହାମିଳନ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଥିଲା। ସେହିପରି ବହୁ ସ୍ଥାନରେ ଯାଗଯଜ୍ଞ ଓ ଅଷ୍ଟମପ୍ରହରୀ ବ୍ୟାପି ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସାଧୁସନ୍ଥ , ଭଜନ ମଣ୍ଡଳି ଯୋଗଦେଇ ନାମ ସଂକିର୍ତ୍ତନ କରୁଥିଲେ। ସମଗ୍ର ଅଞ୍ଚଳ ହରିବୋଲ ହୁଳହୁଳି ନାମ ସଂକିର୍ତ୍ତନ ଓ ଆତସବାଜିିରେ ଭରପୁର ହୋଇ ଉଠିଥିଲା।

ଏହି ଦେବସ୍ନାନ ପୁର୍ଣ୍ଣିମା ପାଇଁ କଟକ ଜିଲ୍ଲା ସ୍ତରୀୟ ସ୍କାଉଟ କ୍ୟାମ୍ପରେ ବିଭିନ୍ନ ବିଦ୍ୟାଳୟର ସ୍କାଉଟ ଜୁନିୟର ଏବଂ ସ୍କାଉଟ ମାଷ୍ଟର ଯୋଗଦେଇ ଯାତ୍ରୀ ମାନଙ୍କୁ ସେବା ପ୍ରଦାନ କରିଥିବା ବେଳେ ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ ଶାସ୍‍, ଫ୍ରେଣ୍ଡସ୍‍ ୟୁନିୟନ ପ୍ରମୁଖ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସେବା ମୁଳକ କାର୍ଯ୍ୟକ୍ରମ କରାଯାଇଥିଲା। ପୁଲିସ ପ୍ରଶାସନ ପକ୍ଷରୁ ଆଡିସନାଲ ଏସପି ପ୍ରଦ୍ୟୁନ୍ନ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଲେପୁର ଏସ.ଡି.ପି.ଓ ସୁରେଶ କୁମାର ଦାସ ଓ ସ୍ଥାନୀୟ ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ଏବଂ ବହୁ ପୁଲିସ ଅଧିକାରୀଙ୍କ ସମେତ ୬ପ୍ଲାଟୁନ ପୁଲିସ ଫୋର୍ସ ଓ ଓଏସଏଫ୍‍ କର୍ମୀ ମୁତୟନ କରାଯାଇ ସମଗ୍ର ଉତ୍ସବକୁ ତଦାରଖ କରାଯାଇଥିଲା। ଏହି ମହୋତ୍ସବରେ ବିଭିନ୍ନ ସଂସ୍ଥା ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା।  ବହୁ ମନ୍ତ୍ରୀ,ବିଧାୟକ ଓ ସମସ୍ତ ପ୍ରସାଶନିକ ଅଧିକାରୀ ମାନେ ଯୋଗଦେଇ ଠାକୁରଙ୍କ ସାନିଧ୍ୟ ଲାଭ କରିଥିଲେ। ଏହି ପବିତ୍ର ଉତ୍ସବରେ ପଞ୍ଚାୟତ ରାଜ ଓ ପାନିୟ ଜଳ ,ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅତନୁ ସବ୍ୟସାଚୀ ନାୟକ,ବିଧାୟକ ପ୍ରସାନ୍ତ ବେହେରା, ତହସିଲଦାର ଜିତେନ୍ଦ୍ର ପାତ୍ର, ବ୍ଲକ ଅଧ୍ୟକ୍ଷା ସବିତା ଓଝା, ପ୍ରାକ୍ତନ ସିସିବି ସଭାପତି ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ସଭ୍ୟା ସୁଭଦ୍ରା ଦାସ , ବିଡିଓ ସୁରେଶ କୁମାର ପ୍ରଧାନ, ସମାଜସେବୀ ପ୍ରସନ୍ନ ବେଉରିଆ, ଅଜୟ ପୃଷ୍ଟି, ହରେକୃଷ୍ଣ ପୂଝାରୀ, ଆଇନଜୀବୀ ଶିଶିର ଦାସ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ସେବକ ସଂଘ ସଭାପତି କ୍ଷମାନିଧି ପୂଝାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ଶ୍ରୀକ୍ଷେତ୍ର ଛାଡି ଜଗତରନାଥ ଶ୍ରୀଜଗନ୍ନାଥ ପଦ୍ମବନରେ
ଭକତ ଭାବରେ ବନ୍ଧା ଭଗବାନ ……. ଭକ୍ତର ନିବେଦନକୁ ସମ୍ମାନ ଦେଇ ଚାଲି ଆସନ୍ତି ଭଗବାନ ଭକ୍ତ ନିକଟକୁ। ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ନିଜ ଜୀବନର ଅନ୍ତିମ ସମୟ ଉପସ୍ଥିତ ଜାଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟକୁ ଯାତ୍ରା କରିଥିଲେ। ମହାପ୍ରଭୁଙ୍କ ନିକଟରେ ଆପଣାର ଅନ୍ତିମ ଅଭିଳାସ ପ୍ରକାଶ କରି ତାଙ୍କରି ଶ୍ରୀଅଙ୍ଗରେ ଲୀନ ହେବାର ଇଛାପ୍ରକଟ କରିଥିଲେ।ଏଣୁ ଶ୍ରୀଶ୍ରୀ ମହାପ୍ରଭୁ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଅନ୍ତିମ ଅଭିଳାସ ପୁର୍ଣ୍ଣ ନିମନ୍ତେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ନେମାଳ ପୀଠରେ ସୂକ୍ଷ୍ମ ରୁପରେ ଅବିର୍ଭାବ ହେବାର ପ୍ରତିଶୃତି ଦେଇଥିଲେ। ମହାପୁରୁଷ ଅଚ୍ୟୁତାନ୍ଦଙ୍କର ସେହି ଅଭିଳାସକୁ ପୁର୍ଣ୍ଣ କରି ମହାପ୍ରଭୁ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ନେମାଳ ପୀଠରେ ଉପସ୍ଥିତ ହୋଇଥିଲେ ଓ ମହାପୁରୁଷ ତାଙ୍କରି ଶ୍ରୀ ଅଙ୍ଗରେ ଆପଣାର ଦେହ ରକ୍ଷା କରିଥିଲେ। ସେହି ଦିନ ଠାରୁ ପ୍ରତି ବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀକ୍ଷେତ୍ର ଛାଡି ସୂକ୍ଷ୍ମ ଭାବରେ ଅବିର୍ଭୂତ ହୋଇ ନେମାଳ ପୀଠରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।ତେଣୁ ଶ୍ରୀମନ୍ଦିରରେ ଥିବା ସ୍ୱର୍ଣ୍ଣକୂପରୁ ଅରମ୍ବ ହୁଏ ୧୦୮ କୁମ୍ଭ ଜଳ ସଂଗ୍ରହ। ଏହି ଜଳରେ ତିନି ମହାପ୍ରଭୁଙ୍କର ସ୍ନାନ କରାଯାଇଥାଏ। ସ୍ନାନପରେ ମହାପ୍ରଭୁ ଶ୍ରୀକ୍ଷେତ୍ର ଛାଡି ପଦ୍ମବନରେ ଅବିର୍ଭୂତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ବୋଲି ଲୋକସୃତିରୁ ଜଣାପଡେ।
ଚାନ୍ଦି ମୁକୁଟରେ ମହାପ୍ରଭୁ
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କର ପ୍ରାପ୍ତ ସ୍ନାନ ପରେ ଚାନ୍ଦି ମୁକୁଟରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରାଯାଇଛି। ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁ ସନ୍ଥଙ୍କର ମାନଙ୍କର ଭିଡ ଲାଗିରହିଥିବା ବେଳେ ପ୍ରଶାସନିକ ବ୍ୟବସ୍ଥାକୁ କଡାକଡି କରିଦିଆଯାଇଥିଲା।

ମହାଯଜ୍ଞର ହେଲା ପୁର୍ଣ୍ଣାହୁତିି
ପାରମ୍ପରିକ ରିତି ନିତୀ ଅନୁସାରେ ନିର୍ବିକଳ୍ପ ଶୁନ୍ୟ ସମାଧି ଦିବସର ତିନି ଦିନ ପୁର୍ବରୁ ବିଶ୍ୱଶାନ୍ତି ମହାଯଜ୍ଞର ପୁର୍ଣ୍ଣାହୁତି ବାବା ଶ୍ରୀ ବାଉରିବଂଧୁ ମହାରାଜଙ୍କ ପୈାରହିତରେ ମହା ସମାରେହରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ଯଜ୍ଞ ପୁର୍ଣ୍ଣାହୁତିରେ ବହୁ ଶ୍ରଧାଳୁ ମାନଙ୍କୁ ଠାକୁରଙ୍କ ଚରୁଅର୍ଣ୍ଣ ବଣ୍ଟନ କରାଯାଇଥିଲା।ପରେ ବନ୍ଦାପନା କରାଯାଇ ବାବାଙ୍କୁ ଅଭିଶେକ କରାଯାଇଥିଲା।
ଚିତ୍ରୋତ୍ପଳା ନଦୀ ଶଯ୍ୟାରେ ବାଲିର ଠାକୁର ମହାପୁରୁଷ ଅଚ୍ୟୁତାନନ୍ଦ
ବାଲିଯାତ୍ରା ମହୋତ୍ସବ ଅବସରରେ ନଦୀ ଗର୍ଭ ରାହାସ କିର୍ତ୍ତନ,ଭଜନଜଣାଣ ଓ ମହାପୁରୁଷଙ୍କ ତତ୍ୱ ଆଲୋଚନା ଚକ୍ରରେ ସମଗ୍ର ପରିବେଷ ଉତ୍ସବ ମୁଖର ହୋଇ ପଡିଥିଲା। ସ୍ଥାନିୟ ବାଲୁକା ଶିଳ୍ପିଙ୍କ ଦ୍ୱାରା ବାଲୁକା କଳାକୃତି ଚିତ୍ରୋତ୍ପଳାର ବକ୍ଷକୁ ଅତିବ ମନୋଜ୍ଞ କରିଥିବା ବେଳେ ବାଲିରେ ନିର୍ମାଣ କରାଯାଇଥିବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ଦେଖିବା ପାଇଁ ବହୁ ଶ୍ରଧାଳୁ ଭକ୍ତଙ୍କ ସମାଗମ ଘଟିଥିଲା। ଓଡିଶା କୋଣ ଅନୁକୋଣରୁ ଆସିଥିବା ଅଚ୍ୟୁତ ପ୍ରେମି ମାନେ ଚିତ୍ରୋତ୍ପଳା ନଦୀ ଶର୍ଯ୍ୟାରେ ରହି ଭକ୍ତ ଓ ଭଗବାନଙ୍କର ଦୂଲ୍ଲଭ ମିଳନ ଏବଂ ହିନ୍ଦୁ ଓ ମୁସଲମାନଙ୍କର ଭାଇଚାରା ସମ୍ପର୍କକୁ ଅନୁଭବ କରୁଥିଲେ।

ସ୍ନାନ ମଣ୍ଡପରେ ପ୍ରଭୁ ଶ୍ରୀଜଗନ୍ନାଥ
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାଯାତ୍ରା ଅବସରରେ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ, ବଳଭଦ୍ର, ମାଆ ସୁଭଦ୍ରାଙ୍କୁ ସ୍ଥାନୀୟ ଗୋପୀନାଥ ମନ୍ଦିର ପରିସରରୁ ସ୍ୱତନ୍ତ୍ର କୀର୍ତ୍ତନ ମାଧ୍ୟମରେ ସ୍ନାନ ମଣ୍ଡପ ପର୍ଯ୍ୟନ୍ତ ଅଣାଯାଇ  ପଣ୍ଡିତମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କୁ ସ୍ନାନ କରାଇ ଭୋଗ ଲାଗି ହୋଇଥିଲା।
ପେଡି ଭୋଗ ଓ ଯାଉଁଳି ନଡିଆର ମାହାତ୍ମ୍ୟ
ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ପବିତ୍ର ଦେବସ୍ନାନ ଯାତ୍ରାରେ ପେଡି ଭୋଗ ଓ ଯାଉଁଳି ନଡିଆର ବିଶେଷ ମାହାତ୍ମ୍ୟ ରହିଛି । ଏହି ଦିବସରେ ପ୍ରଭୁଙ୍କ ନିକଟରେ ମାନସିକ କରି ପେଡି ଭୋଗ ଓ ଯାଉଁଳି ନଡିଆ ସମର୍ପଣ କଲେ ନାନାଦି ସମସ୍ୟାରୁ ଶ୍ରଦ୍ଧାଳୁମାନଙ୍କୁ ମୁକ୍ତି ମିଳିବା ସହିତ ବହୁ ଦୂରାରୋଗ୍ୟରୁ ଆରୋଗ୍ୟ ମିଳିଥାଏ ବୋଲି ପ୍ରବାଦ ରହିଛି। ସେଥିଲାଗି ମାନସିକଧାରୀମାନେ ବହୁ ସଂଖ୍ୟାରେ ପେଡି ଭୋଗ ଲାଗି କରିବା ସହିତ ଯାଉଁଳି ନଡିଆ ସମର୍ପଣ କରିଥିଲେ।
ଅଧରପଣା ଲାଗି ପରେ ଶ୍ରୀକ୍ଷେତ୍ରରୁ ଆସିଲା ଅଭଡା ଅନ୍ନ
ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ ପ୍ରଭୁଙ୍କରପୂଜାର୍ଚ୍ଚନା କରାଯିବା ପରେ ବିଳମ୍ବିତ ରାତ୍ରିରେ ପ୍ରଭୁଙ୍କ ପାଖରେ ଅଧରପଣା ଲାଗି କରାଯାଇଥିଲା। ଏହି ଅବସରରେ ଶ୍ରୀକ୍ଷେତ୍ରରୁ ଆସିଥିବା ଅଭଡାଅନ୍ନ, ଡାଲି, ମହୁର, ବେସର ଆଦି ଶ୍ରଦ୍ଧାଳୁମାନଙ୍କୁ ବଂଟନ କରାଯାଇଥିଲା। ମହାପୁରୁଷଙ୍କ ଦେବସ୍ନାନଯାତ୍ରା ରାତ୍ରିରେ ଚିତ୍ରୋତ୍ପଳାର ବାଲୁକା ମେଳାରେ ଅନୁଷ୍ଠିତ ହେଉଥିବା ବାଲିମେଳା ମହୋତ୍ସବର ସମସ୍ତ ସଂକୀର୍ତନମଣ୍ଡଳୀମାନଙ୍କୁ ସମ୍ମାନୀତ କରାଯିବା ସହ ପ୍ରଭୁଙ୍କ ଭୋଗ ପୁଡିଆକୁ ପ୍ରଦାନ କରାଯାଇଥିଲା।
ଅଚ୍ୟୁତାନନ୍ଦ ଓ ଗୋପୀନାଥ ଜୀଉ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ବାଟୁଳୀ ଭୋଗ ପ୍ରଦାନ
ମହାପୁରୁଷ ଅଚ୍ୟୁତାନନ୍ଦ ଆଶ୍ରମ ଓ ଗୋପୀନାଥ ଜୀଉ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ତିନି ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମିତ ଅନ୍ନ ବାଟୁଳି ଭୋଗ ପ୍ରଦାନ କରାଯାଇଥିଲା। ଏହି ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ଲମ୍ବା ଧାଡିରେ ଛିଡା ହୋଇ ପ୍ରଭୁଙ୍କର ଏହି ବାଟୁଳି ଭୋଗକୁ ଆନନ୍ଦର ସହିତ ଗ୍ରହଣ କରିଥିଲେ।

Comments are closed.