ଡାକ୍ତରୀ ପଢିବା ପାଇଁ ନିଟ୍‌ ଏକମାତ୍ର ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଦେଶବ୍ୟାପୀ ଗୋଟିଏ ପ୍ରବେଶିକା ପରୀକ୍ଷା ‘ନିଟ୍’ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ପ୍ରବେଶିକା ପରୀକ୍ଷା ଦେଶର ସମସ୍ତ ଘରୋଇ ମେଡିକାଲ କଲେଜ ଓ ଡିମ୍‌ଡ ୟୁନିଭର୍ସିଟି ପାଇଁ କାର୍ଯ୍ୟକାରୀ ହେବ। ନିଟ୍‌ ବ୍ୟତୀତ ଅନ୍ୟ କୌଣସି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମେଡିକାଲ ଶିକ୍ଷା ପାଇଁ ନାମ ଲେଖାଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ବୁଧବାର ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ଭଳି ସାଧାରଣ ପ୍ରବେଶିକା ପରୀକ୍ଷା ଦ୍ବାରା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକର ସ୍ବାର୍ଥହାନି ହେବ ନାହିଁ। ବିଚାରପତି ଅରୁଣ ମିଶ୍ର, ବିନୀତ ସରନ ଓ ଏମଆର ଶାହାଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ପଛରେ ଆଉ ପୂର୍ବପରି ସେବା ମନୋଭାବ ନାହିଁ। ଏହା ଏବେ ବ୍ୟବସାୟରେ ପରିଣତ ହୋଇଯାଇଛି। ଦୁର୍ନୀତି ଓ ବେଆଇନ ଉପାୟରେ ଡାକ୍ତରୀ ଶିକ୍ଷା ନିମନ୍ତେ ନାମଲେଖା ପ୍ରତିହତ କରିବାକୁ ନିଟ୍‌କୁ ଆପଣାଯାଇଛି। ଏହାଦ୍ବାରା ଦେଶର ଜାତୀୟ ସ୍ବାର୍ଥ ସୁରକ୍ଷିତ ହୋଇପାରିବ। ବର୍ତ୍ତମାନ ମଧ୍ୟ ନାମଲେଖା ପଛରେ ବେଆଇନ କାରବାର ହେଉଛି। ତେଣୁ ଏହାକୁ ରୋକାଯିବା ଦରକାର। ଏବେ କେବଳ ନିଟ୍‌ର ଯୋଗ୍ୟତା ଆଧାରରେ ପିଲାମାନଙ୍କୁ ଡାକ୍ତରୀ ପାଠ୍ୟକ୍ରମ ନିମନ୍ତେ ନାମଲେଖାଯିବ।

Comments are closed.