ସରିଲା ନିଟ୍; ଅକ୍ଟୋବରରେ ଫଳ

୩ ବିଦ୍ୟାର୍ଥୀ ଆଇସୋଲେସନ ୱାର୍ଡରେ ପରୀକ୍ଷା ଦେଲେ

ଭୁବନେଶ୍ୱର: ନ୍ୟାସିନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାସିନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍ଇଇଟି) ୟୁଜି ପରୀକ୍ଷା କୋଭିଡ଼ କଟକଣା ଭିତରେ ଅନୁଷ୍ଟିତ ହୋଇଯାଇଛି। ରାଜ୍ୟ ସରକାର ଏବଂ ଏନ୍‌ଟିଏ ଦ୍ୱାରା ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇ ଥିବାରୁ ଛାତ୍ରଛାତ୍ରୀ ସାମାଜିକ ଦୂରତ୍ୱ ରକ୍ଷାକରି ଶୃଙ୍ଖଳିତଭାବେ ପରୀକ୍ଷା ଦେଇଛନ୍ତି।

ଏମ୍‌ବିବିଏସ ଏବଂ ବିଡିଏସ୍ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା। ପଦାର୍ଥ ବିଜ୍ଞାନ ଉପରେ ପ୍ରଶ୍ନ ଦୀର୍ଘ ଥିବାରୁ ଛାତ୍ରଛାତ୍ରୀଙ୍କୁ ଅଧିକ ସମୟ ଲାଗିଥିଲା; କିନ୍ତୁ ରସାୟନ ଏବଂ ଜୀବ ବିଜ୍ଞାନ ଉପରେ ପ୍ରଶ୍ନ ସରଳ ଥିଲା। ଅଧିକାଂଶ ଛାତ୍ରଛାତ୍ରୀ ରସାୟନ ଏବଂ ଜୀବ ବିଜ୍ଞାନ ଉପରେ ଭଲ କରିଥିବା ଜଣାପଡ଼ିଛି। ମୋଟ ୭୨୦ ମାର୍କ ପରୀକ୍ଷା ହୋଇ ଥିବାବେଳେ ପଦାର୍ଥ ବିଜ୍ଞାନରୁ ୪୫ ପ୍ରଶ୍ନ, ରସାୟନ ବିଜ୍ଞାନରୁ ୪୫ ଏବଂ ଜୀବ ବିଜ୍ଞାନ ଉପରୁ ୯୦ଟି ପ୍ରଶ୍ନ ଆସିଥିଲା। ସମୁଦାୟ ପ୍ରଶ୍ନ ସଂଖ୍ୟା ୧୮୦ ଥିଲା। ଓଡ଼ିଏମ୍ ପବ୍ଲିକ୍ ସ୍କୁଲରେ ପରୀକ୍ଷା ଦେଇଥିବା ଛାତ୍ର ସତ୍ୟଜିତ୍ ସାହୁ କହିଛନ୍ତି, କେନ୍ଦ୍ରକୁ ପ୍ରବେଶ କରିବା ଲମ୍ବା ଧାଡିରେ ପିଲାଙ୍କୁ ଠିଆ ହେବାକୁ ପଡ଼ିଥିଲା। ଜଣକ ପରେ ଜଣେ ପରୀକ୍ଷାର୍ଥୀ ହାତକୁ ସାନିଟାଇଜ୍ କରୁଥିଲେ। ଥର୍ମାଲ ସ୍କାନିଂ କରାଯାଉ ଥିଲା। କେନ୍ଦ୍ର ଭିତରେ ଗୋଟିଏ କୋଠରୀରେ ୩୦ ଛାତ୍ରଛାତ୍ରୀ ବସି ପରୀକ୍ଷା ଦେବା ବ୍ୟବସ୍ଥା ହୋଇଥିଲା। ନିଟର ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରୁ ଜଣେ ହେଲେ କରୋନା ପଜିଟିଭ୍ ପରୀକ୍ଷାର୍ଥୀ କେନ୍ଦ୍ରକୁ ଆସି ଫେରିନାହାନ୍ତି। ରାଜ୍ୟର ଗୋଟିଏ ପରୀକ୍ଷା କେନ୍ଦ୍ରକୁ ଛାଡି ଦେଲେ ଆଉ କୌଣସି କେନ୍ଦ୍ରରେ ଆଇସୋଲେସନ ୱାର୍ଡ ଆବଶ୍ୟକ ପଡ଼ିନାହିଁ। କେବଳ ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗାରେ ୩ଜଣ ଛାତ୍ରଛାତ୍ରୀ ଆଇସୋଲେସନ ୱାର୍ଡରେ ପରୀକ୍ଷା ଦେଇଛନ୍ତି।

କରୋନା ଯୋଗୁଁ ଚଳିତ ବର୍ଷ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ଅନୁଗୋଳ ଏବଂ ବାଲେଶ୍ୱର ସହରରେ ମୋଟ ୮୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ର କରାଯାଇ ଥିବାବେଳେ ୧୫, ୩୯୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। କଟକରେ ୧୪ଟି କେନ୍ଦ୍ରରେ ୫୯୪୯, ସମ୍ବଲପୁରର ୧୪ଟି କେନ୍ଦ୍ରରେ ୪୮୮୮, ବାଲେଶ୍ୱରରେ ୧୧ଟି କେନ୍ଦ୍ରରେ ୩୮୩୧, ବ୍ରହ୍ମପୁରରେ ୭ଟି କେନ୍ଦ୍ରରେ ୩୯୪୧, ରାଉରକେଲାର ୫ଟି କେନ୍ଦ୍ରରେ ୧୯୬୦, ଅନୁଗୁଳ ୨ଟି କେନ୍ଦ୍ରରେ ୧୨୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ କେନ୍ଦ୍ର ଚୟନ କରିଥିଲେ। ହସ୍ତଗତ ସୂଚନାନୁଯାୟୀ, କଟକରେ ୫୨୬୫, ଭୁବନେଶ୍ୱରରେ ୧୩,୪୨୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି। ତେବେ ଚଳିତ ମାସ ଶେଷ ସପ୍ତାହରେ ପ୍ରଶ୍ନପତ୍ରର ଉତ୍ତର ଏନ୍‌ଟିଏ ୱେବସାଇଟରେ ଅପଲୋଡ୍ କରାଯିବ। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। କରୋନାରେ ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନଥିବାରୁ ସେମାନଙ୍କ ପାଇଁ ଆଉ ଗୋଟିଏ ଦିନରେ ପରୀକ୍ଷା କରାଯିବ। ଏହାକୁ ଲକ୍ଷ୍ୟ କଲେ ଫଳ ପ୍ରକାଶରେ ବିଳମ୍ବ ହେବାର ସମ୍ଭାବନା ରହିଛି।

Comments are closed.