ଜାଭେଲିନ୍‌ରେ ନୀରଜ ଫାଇନାଲରେ ; ନିରାଶ କଲେ ଶିବପାଲ୍‌

ପ୍ରଥମ ପ୍ରୟାସରେ ୮୬.୬୫ ମିଟର ପକାଇଲେ ନୀରଜ 

ଟୋକିଓ  : ପ୍ରଥମ ଥର ଅଲିମ୍ପିକ୍‌ସରେ ଭାଗ ନେଇଥିବା ଭାରତର ଜାଭେଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଫାଇନାଲରେ ପହଞ୍ଚିଛନ୍ତି। ନୀରଜ ଟୋକିଓ ଅଲିମ୍ପିକ୍‌ସର ଯୋଗ୍ୟତା ପର୍ୟ୍ୟାୟର ପ୍ରଥମ ପ୍ରୟାସରେ ୮୬.୬୫ ମିଟର ପକାଇ ଗ୍ରୁପ-ଏ ର ଶୀର୍ଷ ସ୍ଥାନରେ ରହି ଫାଇନାଲରେ ପହଞ୍ଚିଛନ୍ତି। ଫାଇନାଲରେ ପହଞ୍ଚିବା ସହ ନୀରଜ ପଦକ ଆଶାକୁ ଉଜ୍ଜୀବିତ ରଖିଛନ୍ତି। ଫାଇନାଲ ଯୋଗ୍ୟତା ଲାଗି ୮୩.୫୦ ମିଟର ଧାର୍ୟ୍ୟ କରାଯାଇଥିଲା। କିନ୍ତୁ ୨୩ ବର୍ଷୀୟ ନୀରଜ ଅତି ସହଜରେ ଏହି ଲକ୍ଷ୍ୟକୁ ହାସଲ କରି ନେଇଥିଲେ। ନୀରଜ ଫାଇନାଲରେ ପହଞ୍ଚିବା ନେଇ ଅଳ୍ପ ସମୟ ନେଇଥିଲେ। ଆହତ ଓ କରୋନା ମହାମାରୀ ପାଇଁ ଅଲିମ୍ପିକ୍‌ସ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ନୀରଜ ପ୍ରଶଂସକମାନଙ୍କୁ ନିରାଶ କରିନାହାନ୍ତି। ସେ ପ୍ରଥମ ପ୍ରୟାସରେ ନିଜର ଦକ୍ଷତା ଦେଖାଇ ଭାରତ ପାଇଁ ପଦକ ଦାବିଦାର ଭାବେ ପ୍ରମାଣିତ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ନୀରଜଙ୍କ ପ୍ରଦର୍ଶନ କୌଣସି ଅଲିମ୍ପିକ୍‌ସ​‌େ​‌ର ଭାରତୀୟଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ। ଯୋଗ୍ୟତା ପର୍ୟ୍ୟାୟରେ ଜର୍ମାନୀର ବିଶ୍ବ ଚମ୍ପିଆନସିପ ବିଜେତା ଜୋହାନସ ଭେଟର ନୀରଜଙ୍କଠାରୁ ପଛରେ ପଡ଼ିଛନ୍ତି। ଭେଟର ପ୍ରଥମ ଦୁଇ ପ୍ରୟାସରେ ନିରାଶ କରିଥିବାବେଳେ ତୃତୀୟ ପ୍ରୟାସରେ ୮୫.୬୪ ମିଟର ଫିଙ୍ଗି ଫାଇନାଲ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ଫାଇନାଲରେ ନୀରଜଙ୍କଠାରୁ ଭେଟରଙ୍କୁ କଡା ଆହ୍ବାନର ସମ୍ମୁଖୀନ ହେବା ନେଇ ଆଶା କରାଯାଉଛି। ଅନ୍ୟପକ୍ଷରେ ଅନ୍ୟତମ ଭାରତୀୟ ଜାଭେଲିନ୍‌ ଫିଙ୍ଗାଳି ଶିବପାଲ ସିଂହ ଯାଦବ ନିରାଶ କରିଛନ୍ତି। ସେ ଯୋଗ୍ୟତା ପର୍ୟ୍ୟାୟରେ ୭୭.୪୦ ମିଟର ଫିଙ୍ଗି ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି। ଫାଇନାଲରେ ପହଞ୍ଚିବା ପାଇଁ ୮୩.୫୦ ମିଟର ଆବଶ୍ୟକତା ଥିବାବେ​ଳେ‌ ଶିବପାଲ ଏହାକୁ ଛୁଇଁବାରେ ବିଫଳ ହୋଇଛନ୍ତି।

Comments are closed.