ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପ୍ରେମିକକୁ ଅଟକ ରଖିଛି ପୁଲିସ

ନବରଙ୍ଗପୁର : ଖାତିଗୁଡା ପୁଲିସ ଖାତିଗୁଡା ଇନ୍ଦ୍ରାବତୀ ନଦୀ ପୋଲ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି।ଯୁବତୀଙ୍କୁ ବଳତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଖାତିଗୁଡା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଖାତିଗୁଡା ପୁଲିସ ଏହି ଘଟଣାରେ ମୃତ ଯୁବତୀଙ୍କ ପ୍ରେମିକ ମଣ୍ଡୁ କମାର ସଂପୃକ୍ତ ଥିବା ସନ୍ଦେହରେ ଥାନାରେ ଅଟକ ରଖି ପଚରା ଉଚାରା ଜାରି ରଖିଛି। ମୃତ ଯୁବତୀଟି ଖାତିଗୁଡା ଗାଁର ଅଭି ପ୍ରଧାନୀଙ୍କ ଝିଅ ମିନତୀ ପ୍ରଧାନୀ।
ମୃତ ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ତାଙ୍କ ଝିଅ ମିନତୀ ପ୍ରଧାନୀ ଖାତିଗୁଡା ଲହରା ସାହିର ବୁନୁ କମାରଙ୍କ ପୁଅ ମଣ୍ଡୁ କମାର ସହ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରଖିଥିଲା। ଏହାକୁ ନେଇ କିଛି ଦିନ ତଳେ ଦୁଇ ପରିବାର ମଧ୍ୟରେ ଗଣ୍ଡଗଳ ହୋଇ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା। ଗତ କାଲି ରାତିରେ ମିନତୀ ରାତି ୮ଟା ପଯ୍ୟନ୍ତ ଘରେ ଥିଲା କିନ୍ତୁ ଏହାପରେ ସେ ଆଉ ଦେଖାଯାଇନଥିଲା। ମିନତିକୁ ଫୋନ ଯୋଗେ ଡକାଇ ମିନତୀର ପ୍ରେମିକ ମଣ୍ଡୁ ଓ ମଣ୍ଟୁର ସାନ ଭାଇ ମିଶି ଇନ୍ଦ୍ରାବତୀ ପୋଲ ତଳକୁ ନେଇ ମିନତିକୁ ହତ୍ୟା କରିଥିବା ମିନତୀର ମା’ କ୍ଷୀରମଣୀ ଏବଂ ଦାଦା ଗୋପୀ ପ୍ରଧାନୀ ଅଭିଯୋଗ କରିଛନ୍ତି। ପରିବାରର ଅଭିଯୋଗ ପ୍ରକାରେ  ଖାତିଗୁଡା ପୁଲିସ ମିନତୀର ପ୍ରେମିକ ମଣ୍ଟୁକୁ ଥାନାରେ ରଖି ତଦନ୍ତ ଜାରି ରଖିଛି।

Comments are closed.