ରାଜ୍ୟବାସୀଙ୍କ ସ୍ବାର୍ଥ ଓ ଜୀବନରକ୍ଷାକୁ ନବୀନ ସରକାର ପ୍ରମୁଖ ଦାୟିତ୍ବ ଭାବେ ନେଇଛନ୍ତି : ବିଜେଡି

ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି

ଭୁବନେଶ୍ବର : ରାଜ୍ୟବାସୀଙ୍କ ସ୍ବାର୍ଥ ଓ ଜୀବନ ରକ୍ଷାକୁ ନବୀନ ସରକାର ପ୍ରମୁଖ ଦାୟିତ୍ବ ଭାବେ ନେଇଛନ୍ତି। ନବୀନ ସରକାରଙ୍କ ୫ମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏହା କହିଛନ୍ତି ଦଳର ସାଧାରଣ ସମ୍ପାଦକ ସଞ୍ଜୟକୁମାର ଦାସବର୍ମା । ଏହି ଏକ ବର୍ଷ ମଧ୍ୟରେ ନବୀନ ସରକାର ଓ ରାଜ୍ୟବାସୀ ୪ଟି ବଡ ବିପର୍ଯ୍ୟୟ ବୁଲବୁଲ, ଫଣି, କରୋନା ଏବଂ ଅମ୍ପନର ସଫଳ ମୁକାବିଲା କରିଛନ୍ତି । ବିପର୍ଯ୍ୟୟର ସଫଳ ମୁକାବିଲା ରାଜ୍ୟ ସରକାରଙ୍କୁ ପ୍ରଶଂସା ଆଣି ଦେଇଛି। ସ୍ବାଧୀନତାର ଅନେକ ବର୍ଷ ପରେ ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମ ପ୍ରଚଳନ କରି ନବୀନ ବାବୁ ରାଜ୍ୟବାସୀଙ୍କ ପାଇଁ ନିଜର ଉତ୍ତରଦାୟିତ୍ୱ ପ୍ରମାଣିତ କରିଛନ୍ତି। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବ ଜୀଉ,ସମ୍ବଲପୁର ସମଲେଶ୍ବରୀ, ଗଞ୍ଜାମର ତାରାତାରିଣୀ ଏବଂ ବାରିପଦାର ଜଗନ୍ନାଥ ମନ୍ଦିର ସମେତ ଅନେକ ଧର୍ମପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ସେ ବିଶେଷ ଧ୍ୟାନ ଦେଇଛନ୍ତି। ସରକାର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ବ ଦେଇ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଧ୍ୟାନ ଦେଇଛନ୍ତି। ଏଥିରେ ମଧ୍ୟ ସଫଳତା ମିଳିଛି। ଏସସିବି ମେଡିକାଲ କଲେଜର ନବୀକରଣ ଓ ଉଚ୍ଚତର ସ୍ୱାସ୍ଥ୍ୟସେବା ପାଇଁ ଦେଢ଼ ହଜାର କୋଟି ଟଙ୍କା ବ୍ୟୟରେ ଏହାର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଶ୍ରୀ ଦାସବର୍ମା କହିଛନ୍ତି, ନବୀନ ସରକାର ଗତ ବର୍ଷକ ମଧ୍ୟରେ ବହୁ ବାଧାବିଘ୍ନ ସହିତ ଉତ୍ତମ ମୁକାବିଲା ମାଧ୍ୟମରେ ରାଜ୍ୟର ଶାସନ ବ୍ୟବସ୍ଥାକୁ ବିଶ୍ୱରେ ଏକ ମଡେଲ ଭାବେ ଉପସ୍ଥାପିତ କରିପାରିଛନ୍ତି। ଏବେ କୋରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟବାସୀଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ସମ୍ମିଳିତ ଉଦ୍ୟମ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହି ଲଢେଇରେ ପ୍ରମୁଖ ଭୂମିକା ତୁଲାଉଥିବା ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ କର୍ମଚାରୀ, ଅାଶା ଦିଦି, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ସମ୍ମାନିତ କରିବା ପାଇଁ ସରକାର ଆଗେଇ ଆସିଛନ୍ତି। ଆସନ୍ତା ଶନିବାର ଅପରାହ୍ଣ ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଆହ୍ୱାନକୁ ସକାରାତ୍ମକ ଭାବେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସହ ବିଜେଡି ୩୦ଟି ଜିଲା ଓ ୨ଟି ସାଂଗଠନିକ ଜିଲା ସହିତ ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନରେ ସାମାଜିକ ଦୂରତା ରକ୍ଷାକରି ପାଳନ କରିବା ପାଇଁ ଶ୍ରୀ ଦାସବର୍ମା ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

Comments are closed.