ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୦ ନୂଆ ମୁହଁ, ୨ ମହିଳା

ଭୁବନେଶ୍ବର : ନବୀନ ପଟ୍ଟନାୟକ ବୁଧବାର ଦିନ ଲଗାତାର ୫ମଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନବୀନଙ୍କ ସହିତ ୨୧ ଜଣିଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ତେବେ ଏଥର ତାଙ୍କ ମନ୍ତ୍ରିପରିଷଦରେ ୧୦ ନୂଆ ମୁହଁ ଏବଂ ୨ ମହିଳାଙ୍କୁ ସାମିଲ କରାଯାଇଛି । ୧୦ ନୂଆ ମୁହଁ ମଧ୍ୟରୁ ୨ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। ସେହପରି ୨ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କୁ କ୍ୟାବିନେଟ ଓ ଅନ୍ୟ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି । ସେହିପରି ପ୍ରଥମଥର ପାଇଁ ବିଧାୟକ ହୋଇଥିବା ୫ ଜଣଙ୍କୁ ମନ୍ତ୍ରୀପଦ ମିଳିଛି।

ନବ ଦାସ: ଝାରସୁଗୁଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ନବ। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଦିନେଶ କୁମାର ଜୈନଙ୍କୁ ୪୫ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ନବ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଭାବେ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ। ଏଥର ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ସହିତ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ସେ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କୁ ମଧ୍ୟ​‌ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି।

ଟୁକୁନି ସାହୁ: ଟିଟିଲାଗଡ଼ ବିଧାନସଭା ଆସନରୁ ଦ୍ବିତୀୟ ଥର ପାଇଁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ସୁରେନ୍ଦ୍ର ସିଂ ଭୋଇଙ୍କୁ ୧୯ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଟୁକୁନି ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବେଳେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି।

ପଦ୍ମିନୀ ଦିଆନ: କୋଟପାଡ଼ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଚନ୍ଦ୍ରଶେଖର ମାଝିଙ୍କୁ ୨୬୩୧ ଭୋଟରେ ପରାସ୍ତ କରିଛନ୍ତି। ପଦ୍ମିନୀ ପ୍ରଥମ ଥର ପାଇଁ ବିଧାୟିକା ହେବା ସହିତ ପ୍ରଥମ ପାଳିରେ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି।

ସମୀର ରଞ୍ଜନ ଦାଶ: ନିମାପଡ଼ା ବିଧାନସଭା ଆସନରୁ କ୍ରମାଗତ ଭାବେ ତୃତୀୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଶ୍ରୀ ଦାସ। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କୁ ୩୨ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ସମୀର ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି।

ତୁଷାରକାନ୍ତି ବେହେରା: କାକଟପୁର ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ତୁଷାରକାନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ବିଶ୍ବଭୂଷଣ ଦାସଙ୍କୁ ୪୫ହଜାର ଭୋଟରେ ପରାସ୍ତ କରିଛନ୍ତି। ସେ ମଧ୍ୟ ପ୍ରଥମ ଥର ପାଇଁ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ତୁଷାରକାନ୍ତି ପ୍ରଥମେ ବିଜେପିରୁ ଟିକଟ ପାଇଥିଲେ। ପରେ ଟିକଟ ଫେରାଇ ବିଜେଡିରେ ଯୋଗଦେବା ସହିତ ଏହି ଦଳର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ।

ରଘୁନନ୍ଦନ ଦାସ : ଏରସମା-ବାଲିକୁଦା ଆସନରୁ ପ୍ରଥମ ଥର ଭାବେ ବିଧାୟକ ଭାବେ ଜିତିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଲଲାଟେନ୍ଦୁ ମହାପାତ୍ରଙ୍କୁ ୫୪ହଜାର ଭୋଟରେ ପରାସ୍ତ କରିଥିଲେ। ସେ ମଧ୍ୟ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି। ରଘୁନନ୍ଦନ ବିଜେପି ଛାଡ଼ି ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ଏହି ଆସନରେ ବିଜେପିରୁ ଲଢ଼ୁଥିବା ବରିଷ୍ଠ ନେତା ଦାମୋଦର ରାଉତ ପରାସ୍ତ ହୋଇଛନ୍ତି।

ଜ୍ୟୋତିପ୍ରକାଶ ପାଣିଗ୍ରାହୀ: ସିମୁଳିଆ ଆସନରୁ ଦ୍ବିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଜ୍ୟୋତିପ୍ରକାଶ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପଦ୍ମଲୋଚନ ପଣ୍ଡାଙ୍କୁ ୧୪ହଜାରରୁ ଅଧିକ ଭୋଟରେ ହରାଇବା ସହିତ ନବୀନଙ୍କ ପଞ୍ଚମ ପାଳି ସରକାରରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି।

ଦିବ୍ୟଶଙ୍କର ମିଶ୍ର: ଜୁନାଗଡ଼ ଆସନରୁ କ୍ରମାଗତ ଭାବେ ଦ୍ବିତୀୟ ବାର ନିର୍ବାଚିତ ହୋଇଛନ୍ତି ଦିବ୍ୟଶଙ୍କର ମିଶ୍ର। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ମନୋଜ ମେହେରଙ୍କୁ ୨୭ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ସେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି।

ପ୍ରେମାନନ୍ଦ ନାୟକ : କେନ୍ଦୁଝରର ତେଲକୋଇ ଆସନରୁ ପ୍ରେମାନନ୍ଦ ଦ୍ବିତୀୟ ବାର ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଧନୁର୍ଜୟ ସିଦ୍ଧୁଙ୍କୁ ୫ ହଜାର ୯୨୦ ଭୋଟରେ ପରାସ୍ତ କରିଛନ୍ତି। ପ୍ରଥମ କରି ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ଜଗନ୍ନାଥ ସାରକା: ବିଷମ କଟକ ବିଧାନସଭା ଆସନରୁ ଜଗନ୍ନାଥ ପ୍ରଥମ ଥର ପାଇଁ ବିଧାୟକ ଭାବେ ଜିତିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ନୀଳମାଧବ ହିକ୍‌କାଙ୍କୁ ୧୩ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଜଗନ୍ନାଥ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି।

Comments are closed.