ନବୀନଙ୍କ ନୂଆ କ୍ୟାବିନେଟ : ବାଦ୍‍ ପଡିଲେ ଗତଥରର ୮ ମନ୍ତ୍ରୀ

ଉୁବନେଶ୍ୱର : ନୂଆ ମନ୍ତ୍ରିମଣ୍ଡଳ ସହ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ୫ମ ଥର ପାଇଁ ଶପଥ ନେଇଛନ୍ତି। ୧୦ ନୂଆ ମୁହଁ ଓ ୧୦ ପୁରୁଣା ମୁହଁକୁ ନେଇ ନବୀନଙ୍କ ମନ୍ତ୍ରିମଣ୍ଡଳର ଗଠନ କରାଯାଇଛି। ତେବେ ୪ର୍ଥ ପାଳିର ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ମାତ୍ର ଛଅ ଜଣଙ୍କୁ ପଣିୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ୮ ଜଣ ବାଦ୍‍ ପଡିଛନ୍ତି।
ପୁରୁଣା ମନ୍ତ୍ରିମଣ୍ଡଳର ବରିଷ୍ଠ ତଥା କ୍ୟାବିନେଟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଥର ନିର୍ବାଚନ ଲଢ଼ି ନ ଥିଲେ। ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ନବରଙ୍ଗପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟ ପକ୍ଷରେ ମନ୍ତ୍ରୀ ମହେଶ୍ୱର ମହାନ୍ତି ନିର୍ବାଚନରେ ପରାସ୍ତ ହୋଇଛନ୍ତି। ସେହିପରି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭା ବାଚସ୍ପତି କରିବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକଙ୍କୁ ଶାସକ ଦଳର ମୁଖ୍ୟ ସଚେତକ କରାଯିବ।
ତେବେ ଚଳିତ ନିର୍ବାଚନରେ ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟଙ୍କୁ ବାଦ ଦେଇ ସମସ୍ତେ ନିର୍ବାଚନ ଜିତିଛନ୍ତି। କିନ୍ତୁ ୮ ଜଣ ଏଥର ବାଦ୍‍ ପଡିଛନ୍ତି। ସେମାନେ ହେଲେ ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା, ଉଷା ଦେବୀ, ଅନନ୍ତ ଦାସ, ଚନ୍ଦ୍ର ସାରଥୀ ବେହେରା ଓ ନୃସିଂହ ଚରଣ ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ।
ତେବେ ଏମାନଙ୍କୁ କାହିଁକି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲା ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

Comments are closed.