ପ୍ରକୃତିପ୍ରେମୀ ସୁରେନ୍ଦ୍ର ପାଲଟିଛନ୍ତି ଅନ୍ୟ ପାଇଁ ଉଦାହରଣ

ରାଉରକେଲା : ରାତିପାହିଲେ ସାଇକେଲରେ କିଛି ଚାରା ଧରି ଘରୁ ବାହାରି ପଡ଼ନ୍ତି । ତା’ପରେ ରାସ୍ତା କଡ଼ରେ ଓ ଆବଶ୍ୟକ ସ୍ଥାନରେ ଆରମ୍ଭ ହୁଏ ଚାରା ରୋପଣ। ପରେ ଏହି ଚାରାକୁ ବଞ୍ଚାଇବା ପାଇଁ ଆରମ୍ଭ ହୁଏ ଉଦ୍ୟମ। ଏହା ଗୋଟିଏ ଦିନର କାହାଣୀ ନୁହେଁ। ବରଂ ବହୁଦିନ ଧରି ଏହି ଅଭିଯାନରେ ଲାଗିଛନ୍ତି ପ୍ରକୃତିପ୍ରେମୀ ସୁରେନ୍ଦ୍ର। ସୁରେନ୍ଦ୍ର ପଟ୍ଟନାୟକ। ଘର କଳିଙ୍ଗ ବିହାର କୋଅପରେଟିଭ କଲୋନୀ। ଚାକିରିରୁ ଅବସର ନେବା ପରେ ଗତ ଦୁଇବର୍ଷ ହେଲା ଏହି କାର୍ଯ୍ୟରେ ଲାଗିଛନ୍ତି ସୁରେନ୍ଦ୍ର। ସକାଳ ୫ଟାରୁ ସାଇକେଲରେ ବିଭିନ୍ନ ଚାରା ଧରି ବାହାରି ପଡ଼ନ୍ତି ସେ। ସକାଳ ୯ଟା ପର୍ଯ୍ୟନ୍ତ ଚାରାରୋପଣ କରିବା ଓ ସେଥିରେ ପାଣି ଦେବା ଆରମ୍ଭ କରନ୍ତି। ବିଶେଷକରି ବିଭିନ୍ନ ଔଷଧୀୟ ଓ ଫୁଲ ଗଛ ସେ ଲଗାଇବା ସହିତ ଏହାର ସମସ୍ତ ରକ୍ଷଣାବେକ୍ଷଣ କରୁଛନ୍ତି। ଯାହାଫଳରେ ବାଲାଜି ମନ୍ଦିର ହେଉ ଅଥବା ଉମାଶଙ୍କର ପୀଠ ନିକଟରେ ଏକ ସବୁଜ ବଳୟ ସୃଷ୍ଟି କରିବାରେ ସେ ସଫଳ ହୋଇଛନ୍ତି। କଳିଙ୍ଗ ବିହାରଠାରୁ ଟିସ୍କୋ ଆଡ଼କୁ ଯାଇଥିବା ରାସ୍ତା କଡ଼ରେ ବହୁ ସଂଖ୍ୟାରେ ଫୁଲଗଛ ଲଗାଇବା ସହିତ ପ୍ରତ୍ୟେହ ଏହାର ଯତ୍ନ ନେଉଛନ୍ତି। ଔଷଧ ହେଉ ଅଥବା ଠାକୁରଙ୍କ ପୂଜା ପାଇଁ ହେଉ, ତୁଳସୀର ସ୍ୱତନ୍ତ୍ର ମହତ୍ୱ ରହିଛି। ତୁଳସୀ ଗଛର ମହାବଗିଚା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ବିନା କାହାରି ସହାୟତାରେ ସେ ଏହି କାମକୁ ଗତ ଦୁଇବର୍ଷ ହେଲା କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛଭାରତ ଅଭିଯାନର ବାର୍ତା ତାଙ୍କୁ ବେଶ ପ୍ରଭାବିତ କରିଥିଲା। କେବଳ ସଫଳ ସୁତୁରା ଓ ପରିଷ୍କାନ ପରିବେଶ ନୁହେଁ ବରଂ ଏକ ସବୁଜ ବଳୟ ସୃଷ୍ଟି କରି ପରିବେଶକୁ ଅଧିକ ସରସ ସୁନ୍ଦର କରି ପାରିଲେ ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତା ସଫଳ ହୋଇ ପାରିବ ବୋଲି ସେ ଧରି ନେଇଥିଲେ।

ଓପିଟିସିଏଲ ଚାକିରିରୁ ଅବସର ନେବା ପରେ ଗଛ ସୃଷ୍ଟି କରିବା ନେଇ ଆରମ୍ଭ କରିଥିଲେ ଏହି ଅଭିଯାନ। ରାଉରକେଲାର ବିଭିନ୍ନ ସ୍ଥାନରେ ୫୦୦୦ରୁ ଅଧିକ ଚାରା ରୋପଣ କରି ଏହାକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରଯତ୍ନ କରିଥିବା କହିଛନ୍ତି। ନିଜ ଶରୀର ଏହି କାର୍ଯ୍ୟରେ ସୁସ୍ଥ ରହିବ ସହିତ ଅଧିକ ଆତ୍ମସନ୍ତୋଷ ମିଳୁଛି। ଏହି ଅଭିଯାନ ତାଙ୍କର ଜାରି ରହିବ ବୋଲି ସେ କହିଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବନମହୋତ୍ସବ ଓ ହେଉ କିମ୍ବା ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟିକୋଟି ଟଙ୍କା ବ୍ୟୟ କରି ଚାରାରୋପଣ ମାଧ୍ୟମରେ ସବୁଜ ବଳୟ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେଉଛନ୍ତି। କିନ୍ତୁ ଅନେକ ସମୟରେ ତା’ର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଟଙ୍କା ଚୁଲିକୁ ଯାଉଛି। ଏପରିକି ଅନେକ ସ୍ଥାନରେ ଏହି ଯୋଜନା କେବଳ ପ୍ରଚାର ସର୍ବସ୍ୱ ହୋଇ ଯାଉଛି। କିନ୍ତୁ ସୁରେନ୍ଦ୍ରଙ୍କ ଅଭିଯାନକୁ ଦେଖିଲେ ବାସ୍ତବତାର ସ୍ୱରୁପ ଓ ପ୍ରକୃତି ପ୍ରତି ତାଙ୍କର ପ୍ରେମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

Comments are closed.