ସାରନଗରୀର ପ୍ରକୃତିପ୍ରେମୀ ପଦ୍ମଲୋଚନ; ଗଛ ଓ ମଣିଷ ମଧ୍ୟରେ ବାନ୍ଧିଛନ୍ତି ଅଦୃଶ୍ୟ ଡୋରି

ସାରନଗରୀ : ଗଛ ପରିବେଶକୁ ସୁରକ୍ଷା କବଚ ପ୍ରଦାନ କରିଥାଏ । ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବାକୁ ହେଲେ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଦକ୍ଷିଣ ରାଉରକେଲା ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପରିବେଶବିତ ଗଛ ଓ ମଣିଷ ମଧ୍ୟରେ ବାନ୍ଧିଛନ୍ତି ଏକ ଅଦୃଶ୍ୟ ଡୋରି। ଯାହା ଦୃଶ୍ୟମାନ ହେଉନଥିଲେ ମଧ୍ୟ, ଗଛ ଓ ମାନବ ସମାଜ ମଧ୍ୟରେ ଏକ ନିଆରା ସମ୍ପର୍କ ସୃଷ୍ଟି କରିଛି । ବ୍ୟକ୍ତି ଜଣଙ୍କ ନିଜେ ଗଛ ଲଗାଇବା ସହ ଅନ୍ୟ ମାନଙ୍କୁ ଏକ ଗଛ ଲଗାଇବାକୁ ପ୍ରେରଣା ଦେଇ ଆସୁଛନ୍ତି ।

ଦକ୍ଷିଣ ରାଉରକେଲା ଅନ୍ତର୍ଗତ ବାଲିଯୋଡ଼ି ଅଂଚଳରେ ବାସ କରନ୍ତି ପ୍ରକୃତିପ୍ରେମୀ ପଦ୍ମଲୋଚନ ଡୋରା । ସେ କଟକ ଜିଲାର ଆଠଗଡ଼ ଅନ୍ତର୍ଗତ କଣ୍ଡରେଇ ଗ୍ରାମର ମୂଳବାସିନ୍ଦା । ବୟସ ଅଙ୍କ ଏବେ ୬୮ ଛୁଇଁଲାଣି, ମାତ୍ର ଏହି ବୟସରେ ମଧ୍ୟ କର୍ମଚଂଚଳ ହୋଇ ପରିବେଶକୁ ସଫା ସୁତରା ରଖିବାକୁ ତାଙ୍କର ଅହରହ ଉଦ୍ୟମ ଜାରି ରହିଛି । ପେଟପାଟଣା ପାଇଁ ଶ୍ରୀ ଡୋରା ନିଜ ଜନ୍ମମାଟିରୁ ଚାଲି ଆସିଥିଲେ ରାଉରକେଲା । ୧୯୭୬ ମସିହାରେ ରାଉରକେଲା ଇସ୍ପାତ କାରଖାନା(ଆରଏସପି)ରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ଚାକିରୀ କାଳ ମଧ୍ୟରେ ସମୟ ବାହାର କରି ଯଥାସମ୍ଭବ ଗଛଲତାର ସେବାରେ ସମୟ ଅତିବାହିତ କରୁଥିଲେ ପଦ୍ମଲୋଚନ । ଗତ ୨୦୧୪ ମସିହାରେ ଆରଏସପିରୁ ସେ ଅବସର ନେଇ ସାରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଯୁବାବସ୍ଥାରୁ ଆଜିଯାଏ ପରିବେଶକୁ ସଜାଇବାରେ ଏକ ପ୍ରକାର ବ୍ୟସ୍ତ ରହି ଆସୁଛନ୍ତି । ଗଛ ତାଙ୍କ ପରିବାରର ଏକ ସଦସ୍ୟ କହିଲେ ବୋଧେ ଭୁଲ ହେବନାହିଁ। ପ୍ରଚଣ୍ଡ ଖରା, ମୂଷଳଧାରା ବର୍ଷା ଅବା ହାଡଭଙ୍ଗା ଶୀତ କାକରକୁ ବେଖାତିର କରି ପଦ୍ମଲୋଚନ ନିଜ ଘର ବାଡ଼ି ବଗିଚାରେ ଲଗାଇଥିବା ବିଭିନ୍ନ କିସମର ଫୁଲ, ଫଳ ଗଛର ଯତ୍ନ ପ୍ରତିଦିନ ନେଉଥିବା ଦୃଷ୍ଟିଗୋଚର ହୋଇଥାଏ । ଗଛ, ଫୁଲ, ଫଳର ଯତ୍ନ ନେଲେ ତାଙ୍କୁ ଆତ୍ମସନ୍ତୋଷ ପ୍ରାପ୍ତି ହୋଇଥାଏ ବୋଲି ସେ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ରାତି ପାହି ସକାଳ ହେଲେ ସାରନଗରୀର ଆଇଡ଼ିଏଲ ଛକରେ ଥିବା ପୁଷ୍ପା ପାର୍କରେ ପଦ୍ମଲୋଚନଙ୍କୁ ଦେଖିବାକୁ ମିଳିଥାଏ । ଉକ୍ତ ପାର୍କ ମଧ୍ୟରେ ଥିବା ବିଭିନ୍ନ ଗଛ ଗୁଡ଼ିକର ଚାରିପଟେ ଉଠିଥିବା ଅନାବନା ଘାସ, ଅଳିଆ ଆବାର୍ଜନାକୁ ସେ ଯଥା ସମ୍ଭବ ସଫାସୁତରା କରି ଉକ୍ତ ପାର୍କରେ ଏକ ସବୁଜିମା ଓ ସନ୍ତୁଳିତ ପରିବେଶ ସୃଷ୍ଟି କରିଥାନ୍ତି ବୋଲି ସ୍ଥାନୀୟ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ ।

ସେହିଭଳି ପୁଷ୍ପା ପାର୍କରେ ଥିବା ବିଭିନ୍ନ ପ୍ରକାର ଫୁଲ ଗଛର ମୂଳରେ ପାଣି ମଧ୍ୟ ସିଞ୍ଚନ କରିଥାନ୍ତି । ନୂଆ ଫଳ, ଫୁଲର ଚାରା ସଂଗ୍ରହ କରି ସେ ତାଙ୍କ ଘର ବଗିଚାରେ ରୋପଣ କରିବା ସହିତ ଉପଯୁକ୍ତ ଭାବେ ରକ୍ଷଣବେକ୍ଷଣ କରି ଆସୁଛନ୍ତି । ଆଜିର ଯୁବ ପିଢୀମାନଙ୍କୁ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ସେ ସର୍ବଦା ପରାମର୍ଶ ଓ ପ୍ରେରଣା ଦେବା ସହ ସାରନଗରୀର ଆଖପାଖ ଅଞ୍ଚଳରେ ନିଜର ପାରିଶ୍ରମିକ ଅର୍ଥକୁ ଗଛର ରକ୍ଷଣବେକ୍ଷଣରେ ନିୟୋଜିତ କରିଥାନ୍ତି ପଦ୍ମଲୋଚନ । ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି, ଗଛ ଠାରୁ ବଡ଼ ବନ୍ଧୁ ଆଉ କେହି ନାହିଁ, ଗଛ ପରିବେଶ ସନ୍ତୁଳନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଗଛକୁ କାଟିବା ବଦଳରେ ଚାରାରୋପଣ କଲେ ପରିବେଶ ସୁରକ୍ଷିତ ରହି ପାରିବ । ସେହିପରି ପରିବେଶକୁ ସବୁଜ ସୁନ୍ଦର ରଖିବାକୁ ହେଲେ ପ୍ରଶାସନ ପକ୍ଷରୁ ବହୁ ସଂଖ୍ୟକ ଚାରାରୋପଣ କରିବା ନିହାତି ଜରୁରୀ ବୋଲି ପଦ୍ମଲୋଚନ ମତ ଦିଅନ୍ତି । ପଦ୍ମଲୋଚନ ଡୋରାଙ୍କ ଗଛ ପ୍ରତି ରହିଥିବା ଅସୀମିତ, ଅନାବିଳ ସ୍ନେହ ମମତାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Comments
Loading...