ଜେଏନୟୁ ହିଂସାକୁ ଦେଶବ୍ୟାପୀ ବିରୋଧ: ମୁମ୍ବଇରେ ସାମିଲ ହେଲେ ଅଭିନେତା ଓ ଅଭିନେତ୍ରୀ, ଯାଦବପୁର ବିଶ୍ଵବିଦ୍ୟାଳୟ ଛାତ୍ରଙ୍କୁ ଲାଠିମାଡ଼

ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସରେ ରବିବାର ରାତିରେ ହୋଇଥିବା ଆକ୍ରମଣ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ମୁମ୍ବଇରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସୋମବାର ଗେଟ୍ ୱେ ଅଫ୍ ଇଣ୍ଡିଆରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏହି ସମୟରେ ଜଣେ ଛାତ୍ରୀ ହାତରେ ‘ଫ୍ରୀ କାଶ୍ମୀର’ ପୋଷ୍ଟର ଧରିଥିବା ଦେଖିବାକୁ ମିଳିଛି। ଏହା ସହିତ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହାକୁ ସମର୍ଥନ କରି ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ମୁମ୍ବଇର କାର୍ଟର ରୋଡ୍ରେ ଅନୁରାଗ କଶ୍ୟପ, ଅନୁଭବ ସିହ୍ନା, ତାପସୀ ପନ୍ନୁ, ଜୋୟା ଅଖତର, ଦିୟା ମିର୍ଜା, ରାହୁଲ ବୋଷ ପ୍ରମୁଖ ଜେଏନୟୁ ହିଂସା ପ୍ରତିବାଦରେ ଅନୁଷ୍ଠିତ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଅନ୍ୟପଟେ ପଶ୍ଚିମବଙ୍ଗରେ ଯାଦବପୁର ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବି ଜେଏନୟୁ ହିଂସା ବିରୋଧରେ ସୋମବାର ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ତେବେ ଏହି ସମୟରେ ଛାତ୍ର ଏବଂ ପୁଲିସ ମୁହାଁମୁହିଁ ହେବା ଫଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଛାତ୍ରଙ୍କ ଉପରେ ଲାଠିମାଡ଼ କରିଥିଲା।
ସେହିପରି ଚେନ୍ନାଇରେ ସୋମବାର ସନ୍ଧ୍ୟାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ବହୁ ସଂଖ୍ୟକ ମୁଖାପିନ୍ଧା ଦୁର୍ବୃଥ୍ତ ଜେଏନୟୁ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୨୫ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଆହତ ହୋଇଥିଲେ। ଏପରି କି ଦୁର୍ବୃତ୍ତମାନେ ପଥରମାଡ଼ ବି କରିଥିଲେ। ଶିକ୍ଷକ ସୁଚିତ୍ରା ସେନ ଗଭୀର ଭାବେ ଆହତ ହୋଇଥିଲେ। ବାମପନ୍ଥୀ ଏବଂ ଏବିଭିପି ଛାତ୍ରଙ୍କ ମଧ୍ୟରେ ଏହି ମାରପିଟ୍ ହୋଇଥିବା ଅଭିଯୋଗ ହେଉଛି।