ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା

କୋଭିଡ୍-୧୯ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ସୁଦୂରପ୍ରସାରୀ ଓ ପ୍ରଭାବଶାଳୀ ରହିଥିଲା। ଆଜି ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସରେ “ମହାମାରୀ ମସୟରେ ଗଣମାଧ୍ୟମ: ଏକ ନୂତନ ଆହ୍ୱାନ” ବିଷୟବସ୍ତୁ ଉପରେ ଆଲୋଚନାରେ ବହୁ ବିଶିଷ୍ଟ ଅତିଥିମାନେ ଅଂଶଗ୍ରହଣ କରି ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ତାଙ୍କ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ପ୍ରେସ୍ ହେଉଛି ଲୋକତନ୍ତ୍ରର ମୂଳଦୁଆ। ପ୍ରାୟ ଦେଢ଼ବର୍ଷରୁ ଅଧିକ ସମୟ ଗଣମାଧ୍ୟମର ପ୍ରତିନିଧିମାନେ ଅତି କଠିନ ସମୟରେ ନିଜ ଜୀବନ ଓ ପରିବାରକୁ ପଛରେ ପକାଇ ଖବର ପରିବେଷଣ ପରି ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି।

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ୮୧୨୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରିଛନ୍ତି ଓ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଅନ୍ତର୍ଭୁକ୍ତ କରାଯାଇଛି। କରୋନା ସମୟରେ ପ୍ରାଣବଳି ଦେଇଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ଅର୍ଥ ପ୍ରଦାନ କରାଯାଇଛି ବୋଲି ଶ୍ରୀ ମଙ୍ଗରାଜ କହିଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଦେବୀଲାଲ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। କୋଭିଡ୍ ମହାମାରୀ ସମୟରେ ମୃତ୍ୟୁବରଣ କରିଥିବା ସାମ୍ବାଦିକମାନଙ୍କ ତ୍ୟାଗର ସ୍ମୃତିଚାରଣ ପୂର୍ବକ ଅମର ଆତ୍ମାର ସଦଗତି କାମନା କରି ଏହି କାର୍ଯ୍ୟକ୍ରମରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

Comments are closed.