ସରକାରୀ ଜମିରୁ ଅବାଧ ମାଟି ଚାଲାଣ ; ମଧ୍ୟସ୍ଥି ମାଲେମାଲ

ତହସିଲ କର୍ତ୍ତୃପକ୍ଷ ଜଳକା

ଗୁରୁଡିଝାଟିଆ :  ଆଠଗଡ ତହସିଲ ଅନ୍ତର୍ଗତ ନିଧିପୁର ଏବଂ ଓରନ୍ଦା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଞ୍ଚଳରୁ ଅବାଧରେ ସରକାରୀ ଜମିରୁ ଶହଶହ ଟ୍ରକ ମାଟି ଚୋରା ଚାଲାଣ ହେଉଛି । ଏଥିରେ ମୁଖ୍ୟ କାର୍ପଟଦାର ସାଜିଛନ୍ତି ପଞ୍ଚାୟତସ୍ତରୀୟ ଦଲାଲ। ଠିକାଦାର ସହିତ ମଧ୍ୟସ୍ଥତା କରି ସ୍ୱଳ୍ପ ସମୟ ଭିତରେ ବେଶ ଦିପଇସା ହାତେଇ ମାଲାମାଲ ହେଉଛନ୍ତି । ହେଲେ ତହସିଲ କର୍ତ୍ତୃପକ୍ଷ ଜଳକା ହୋଇ ଚାହିଁ ବସିଛନ୍ତି । ଏହାଦ୍ୱାରା ରାଜସ୍ୱ ବିଭାଗର ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ହାନି ଘଟୁଛି ।

ଏଭଳି ଚିତ୍ର ଦେଖିବାକୁ ମିଳିଛି ଓରନ୍ଦା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପରିସରଭୁକ୍ତ ନାରଙ୍ଗବସ୍ତ ଗାଁ ଠାରୁ ୨ଶହ ମିଟର ଦୂରତାରେ ଥିବା ଏକ ସରକାରୀସ୍ଥାନରୁ ବେଆଇନ ଭାବରେ ମାଟି ଚାଲାଣ ହେଉଛି ସ୍ପଷ୍ଟ ଦିବାଲୋକରେ। ଅନୁରୂପ ଭାବରେ ନିଧିପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁବର୍ଣ୍ଣମଞ୍ଜରୀପୁର ଗାଁ ଠାରୁ ଅଳ୍ପ ଦୂରରେ ସରକାରୀ ଜମିରୁ ଚାଲିଛି ବେଧଡକ ମାଟି ଚାଲାଣ । ଏଭଳି ସରକାରୀ ଜମିରୁ ବେଆଇନ ମାଟି ଚାଲାଣ ହେଉଥିଲେ ମଧ୍ୟ କିଭଳି ଆଠଗଡ ତହସିଲ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି ତାହା ବୁଝାପଡୁନାହିଁ । ଉପରୋକ୍ତ ୨ଟି ସ୍ଥାନରୁ ମାଟି ଚାଲାଣ ହେଉଛି ରାସ୍ତାକାମ ନେଇଥିବା ଠିକାଦାର ସଂସ୍ଥାମାନଙ୍କୁ। ପ୍ରକାଶଯୋଗ୍ୟ ଏବେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲୁଅଛି । ନୂଆପାଟଣା ଠାରୁ ଧବଳେଶ୍ୱର ଓ କଖଡି ଦେଇ ଆଠଗଡ ପର୍ଯ୍ୟନ୍ତ ରାସ୍ତ କାର୍ଯ୍ୟ ସଂପ୍ରସାରିତ ହେଉଅଛି । ରାସ୍ତାକୁ ଉଚ୍ଚା ଓ ପ୍ରସସ୍ତ କରିବା ପାଇଁ ମାଟି ଆବଶ୍ୟକତା ଥିବାରୁ ଠିକାଦାର ଓ କିଛି ଦଲାଲଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଗଢି ଉଠିଥିବାରୁ ସରକାରୀ ଜମିରୁ ମାଟି ଚୋରା ଚାଲାଣ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ରାସ୍ତା କାର୍ଯ୍ୟ ଠିକାଦାରୀ ନେଇଥିବା ସଂସ୍ଥା ସରକାରୀ ନିୟମ ବିଧିମୁତାବକ ଆଠଗଡ ତହସିଲ କର୍ତ୍ତୃପକ୍ଷଙ୍କ ଜରିଆରେ ଶୁଳ୍କ ବା ରୟାଲିଟି ଦେଇ କଣ ପାଇଁ ମାଟି ଉଠାଉନାହାନ୍ତି ବୋଲି ବୁଦ୍ଧିଜିବୀମାନେ ପ୍ରଶ୍ନ କରିଛନ୍ତି। ଆଠଗଡ ତହସିଲ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସରକାରୀ ଜମିରୁ ମାଟି ଉଠା ଯାଇଥିବା ସ୍ଥାନର ଅନୁଧ୍ୟାନ ପୂର୍ବକ ତଦନ୍ତ କରି ବିହିତ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଜନସାଧାରଣ ଦାବି କରିଛନ୍ତି।

Comments are closed.