MEllora 950×100

ଏଲଏସିର ପୂର୍ବ ଲଦାଖରେ ଉତ୍ତେଜନା, ୨୬ ପାଟ୍ରୋଲିଂ ପଏଣ୍ଟ ହରାଇଲାଣି ଭାରତ

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଉତ୍ତେଜନା ଲାଗି ରହିଛି। ଏଠାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। କୌଣସି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇପାରେ। ଏପରିସ୍ଥିତିରେ ପୂର୍ବ ଲାଦଖର ୬୫ଟି ପାଟ୍ରୋଲିଂ ପଏଣ୍ଟ (ପିପି) ମଧ୍ୟରୁ ୨୬ଟି ପିପିରେ ଭାରତ ସୈନ୍ୟ ନିଜର ଉପସ୍ଥିତି ହରାଇଛି। ପାଟ୍ରୋଲିଂ ପଏଣ୍ଟ ୫ରୁ ୧୭, ୨୪ରୁ ୩୨, ୩୭, ୫୧, ୫୨, ୬୨ରେ ଭାରତ ନିଜର ଉପସ୍ଥିତି ହରାଇଛି। କାରାକୋରମରୁ ଚୁମୁର ସୀମା ମଧ୍ୟରେ ଏହି ପାଟ୍ରୋଲିଂ ପଏଣ୍ଟଗୁଡିକ ଅବସ୍ଥିତ। ୨୦୨୦ ମେ ପୂର୍ବରୁ ଭାରତର ସୁରକ୍ଷା ବାହିନୀ ଏହିସବୁ ପିପିଗୁଡିକରେ ନିୟମିତ ପାଟ୍ରୋଲିଂ କରିଆସୁଥିଲା। ଏବେ ଏହି ସବୁ ପିପିରୁ ଭାରତ ସୈନ୍ୟ ହଟିଯାଇଥିବାବେଳେ ଚୀନ ସୈନ୍ୟର ଉପସ୍ଥିତି ଦେଖିବାକୁ ମିଳିଛି। ଜାନୁଆରୀ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ପୁଲିସ ମହାନିର୍ଦେଶକ (ଡିଜିପି) ସମ୍ମିଳନୀରେ ଉପସ୍ଥାପନ କରାଯାଇଥିବା ଗବେଷଣାତ୍ମକ (ରିସର୍ଚ୍ଚ) ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ‘ସିକ୍ୟୁରିଟି ଇସୁଜ୍‌ ପର୍ଟେନିଂ ଟୁ ଅନଫେସଡ୍ ଲ୍ୟାଣ୍ଡ ବର୍ଡର’ ନାମରେ ପ୍ରକାଶିତ ୧୫ଟି ରିସର୍ଚ୍ଚ ପେପର ମଧ୍ୟରୁ ଏହା ଅନ୍ୟତମ। ସୀମାନ୍ତ ପାଟ୍ରୋଲିଂ ପଏଣ୍ଟରୁ ଭାରତ ନିଜର ଉପସ୍ଥିତି ହରାଇବା ଦ୍ବାରା ଦେଶର ସୁରକ୍ଷା ପ୍ରତି ବଡ ବିପଦ ଆଶଙ୍କା କରାଯାଇଛି।

ତେବେ ଏପରି ରିସର୍ଚ୍ଚ ପେପର ଉପରେ କୌଣସି ଆଲୋଚନା କରାଯାଇ ନଥିଲା। ଚୀନ ଏବେ ଏହିସବୁ ପାଟ୍ରୋଲିଂ ପଏଣ୍ଟକୁ ନିରପେକ୍ଷ ଅଞ୍ଚଳ ଭାବେ ଘୋଷଣା କରିଛି। ୨୦୨୦ ମେ’ରେ ପୂର୍ବ ଲଦାଖରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଏଲଏସିରେ ଉତ୍ତେଜନା ଲାଗିରହିଛି। ଏହା ପରେ ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନିମନ୍ତେ ଦୁଇଦେଶ ପକ୍ଷରୁ ଆଲୋଚନା କରାଯାଇଥିଲା। କେତେକ ଅଞ୍ଚଳକୁ ଉଭୟ ପକ୍ଷରୁ ପାଟ୍ରୋଲିଂକୁ ବାରଣ କରାଯାଇଥିଲା। ନିରପେକ୍ଷ ଅଞ୍ଚଳ ବିବେଚନା କରାଯାଇଥିବା ଅଞ୍ଚଳ ମଧ୍ୟରେ ଭାରତ ଅଧିକୃତ କେତେକ ପିପି ରହିଛି। ଯେଉଁଠି ଏବେ ସାଧାରଣ ଲୋକଙ୍କ ଆତଯାତକୁ ସହିତ ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂକୁ ବାରଣ କରାଯାଇଛି।

Comments are closed.