MEllora 950×100

ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ଦିଲ୍ଲୀ ପୁଲିସ ସଜାଗ ହୋଇପଡ଼ିଛି। ସାଧାରଣତନ୍ତ୍ର ଦିବସ ଅବ୍ୟବାହିତ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୁଲିସ ତରଫରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଟ୍‌ କରାଯାଇ ଗାଡ଼ିଗୁଡ଼ିକ ଯାଞ୍ଚ କରାଯାଉଛି। ଏଥିସହ ଛୋଟବଡ଼ ହୋଟେଲରେ ରହୁଥିବା ବ୍ୟକ୍ତିଙ୍କ ପରିଚୟପତ୍ର ଯାଞ୍ଚ ହେଉଛି। କୌଣସି ପ୍ରକାର ସନ୍ଦେହଜନକ ବ୍ୟକ୍ତି ନଜରକୁ ଆସିଲେ ତୁରନ୍ତ ଖବର ଦେବାକୁ ହୋଟେଲ କର୍ମଚାରୀଙ୍କୁ ଦିଲ୍ଲୀ ପୁଲିସ ତରଫରୁ କୁହାଯାଇଛି। ପୁଲିସ ତରଫରୁ ପାଟ୍ରୋଲିଂ ଅଧିକ କଡ଼ାକଡ଼ି କରାଯାଇଛି। ବଜାର, ଭିଡ଼ ସ୍ଥାନ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦିଲ୍ଲୀ ପୁଲିସର ଡଗ ସ୍କ୍ବାଡ୍‌ ଓ ବୋମା ନିଷ୍କ୍ରିୟକାରୀ ଦଳ ଯାଞ୍ଚ କରୁଛନ୍ତି।
ଦିଲ୍ଲୀ ପୁଲିସର ସମସ୍ତ ସହକାରୀ ପୁଲିସ କମିସନର ଓ ଥାନାଧିକାରୀମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ବିଭିନ୍ନ ବଜାର କମିଟି କର୍ମକର୍ତ୍ତାଙ୍କ ସହ ଘନଘନ ବୈଠକ କରୁଛନ୍ତି। କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଲେ ପୁଲିସକୁ ଖବର ଦେବା ସହ ନିଜେ ସତର୍କ ରହିବାକୁ ଦିଲ୍ଲୀ ପୁଲିସ ତରଫରୁ ପରାମର୍ଶ ଦିଆଯାଉଛି। ଏଥିସହ ସନ୍ଦେହଜନକ ଭାବେ ପଡ଼ି ରହିଥିବା ବସ୍ତୁ ନଜରକୁ ଆସିଲେ ସୁରକ୍ଷାକର୍ମୀଙ୍କୁ ଜଣାଇବାକୁ କୁହାଯାଇଛି। ସୁରକ୍ଷାକୁ ନେଇ ଲୋକଙ୍କୁ ସଚେତନ କରାଇବାକୁ ଦିଲ୍ଲୀ ପୁଲିସ ତରଫରୁ ସାମାଜିକ ଗଣମାଧ୍ୟମରେ ଅଭିଯାନ ଆରମ୍ଭ କରାଯାଇଛି। ଦିଲ୍ଲୀରେ ଭଡ଼ା ନେଇ ରହୁଥିବା ବ୍ୟକ୍ତି ଓ ବିଭିନ୍ନ ଲୋକଙ୍କ ଘର ଓ ହୋଟେଲରେ କାମ କରୁଥିବା ବ୍ୟକ୍ତିଙ୍କ ପରିଚୟ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ତରଫରୁ ମକ୍‌ଡ୍ରିଲ୍‌ କରାଯାଉଛି। ଦିଲ୍ଲୀ ପ୍ରତି ଆତଙ୍କବାଦୀ ଓ ଅନ୍ୟ ଅସାମାଜିକ ଗୋଷ୍ଠୀ ତରଫରୁ ଆକ୍ରମଣର ଭୟ ରହିଥିବାରୁ ତଥ୍ୟ ନେଣଦେଣ ପାଇଁ ବିଭିନ୍ନ ସୁରକ୍ଷା ଏଜେନ୍ସି ସହ ଦିଲ୍ଲୀ ପୁଲିସ ଯୋଗାଯୋଗ ରକ୍ଷା କରୁଛି। ଦିଲ୍ଲୀରେ ଥିବା ବିଭିନ୍ନ ମଲ୍, ବ୍ୟବସାୟ ପ୍ରତିଷ୍ଠାନ, ବଜାର, ରେଳଷ୍ଟେସନ୍, ବସ୍‌ ଟର୍ମିନାଲ୍‌ରେ ପୁଲିସ ତରଫରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀର ସମସ୍ତ ମଦ ଦୋକାନ ବନ୍ଦ ରହିବ। ଏହି ସମୟରେ ଦିଲ୍ଲୀର ହୋଟେଲଗୁଡିକ ମଧ୍ୟ ଗ୍ରାହକଙ୍କୁ ମଦ ବିକ୍ରି କରିବେ ନାହିଁ।

Comments are closed.