କରୋନା ସଙ୍କଟ ସମୟରେ ଚିକିତ୍ସକ ଓ ସେବିକା ଈଶ୍ୱର ତୁଲ୍ୟ – ମୋଦୀ

- ଚିକିତ୍ସକମାନଙ୍କୁ ଅଭିନନ୍ଦନ ଜଣାଇଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସମଗ୍ର ଦେଶ ଆଜି ଚିକିତ୍ସକମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବାପାଇଁ ଅଭିବାଦନ କରୁଛି। କୋଭିଡ୍‍-ନାଇଣ୍ଟିନ୍‍ର ମୁକାବିଲାରେ ଚିକିତ୍ସକମାନେ ଉଲ୍ଲେଖନୀୟ କାର୍ଯ୍ୟ କରି ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ରକ୍ଷା କରିଛନ୍ତି। ଜାତୀୟ ଡାକ୍ତର ଦିବସ ଅବସରରେ ଏକ ଟ୍ୱିଟ୍‍ ବାର୍ତ୍ତାରେ ମୋଦି କହିଛନ୍ତି, କୋଭିଡ୍‍-ନାଇଣ୍ଟିନ୍‍ ଭଳି ଏକ ସଙ୍କଟଜନକ ସମୟରେ ଚିକିତ୍ସକ ଓ ସେବିକାମାନେ ସର୍ବସାଧାରଣଙ୍କ ପାଇଁ ଈଶ୍ୱରତୁଲ୍ୟ ହୋଇଛନ୍ତି।

ସେ କହିଛନ୍ତି, ଜଣେ ଶିଶୁକୁ ମା’ ଥରେ ଜନ୍ମ ଦେଇଥାନ୍ତି, କିନ୍ତୁ ଚିକିତ୍ସକ ତାକୁ ବାରମ୍ବାର ଜୀବନ ଦେଇଥାନ୍ତି। ପ୍ରାଧାନମନ୍ତ୍ରୀ କହିଛନ୍ତି, ଡାକ୍ତରମାନେ ଲୋକମାନଙ୍କର ଜୀବନ ରକ୍ଷା କରିଆସୁଛନ୍ତି ଓ ଏହି ଋଣକୁ କେବେ ପରିଶୋଧ କରାଯାଇପାରିବ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ଦେଶସେବା କରୁଛନ୍ତି, ସେମାନଙ୍କୁ ସମ୍ମାନ ଦେବା ପ୍ରତ୍ୟେକଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ମଧ୍ୟ ଜାତୀୟ ଡାକ୍ତର ଦିବସ ଅବସରରେ ଦେଶର ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ୱିଟ୍‍ କରି ଶାହା କହିଛନ୍ତି, କୋଭିଡ୍‍-ନାଇଣ୍ଟିନ୍‍ ମୁକାବିଲାରେ ସମ୍ମୁଖରେ ରହି କାର୍ଯ୍ୟ କରୁଥିବା ଦେଶର ଡାକ୍ତରମାନଙ୍କୁ ସେ ଅଭିବାଦନ ଜଣାଉଛନ୍ତି। ସେ କହିଛନ୍ତି, ଦେଶର ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଓ ସୁସ୍ଥ ରଖିବାପାଇଁ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା ଏଭଳି ସଙ୍କଟଜନକ ସମୟରେ ଏକ ଜଟିଳ କାର୍ଯ୍ୟ ଓ ଏଭଳି କାର୍ଯ୍ୟରେ ସେମାନଙ୍କର ଅଭୂତପୂର୍ବ ସଫଳତାକୁ ସମଗ୍ର ଦେଶ ପ୍ରଣିପାତ
କରୁଛି।

Comments are closed.