ଜାତୀୟ ଅପରାଧ-୨୦୧୭ ରିପୋର୍ଟ ; ମହିଳାଙ୍କ ପାଇଁ ଉତ୍ତରପ୍ରଦେଶ ସବୁଠୁ ଅସୁରକ୍ଷିତ

ଦେଶରେ ବଢ଼ିଛି ଅପହରଣ, କମିଛି ହତ୍ୟା ଓ ବଳତ୍କାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଅପରାଧ ବୃଦ୍ଧିପାଇଛି। ଅପରାଧ ହାର ୧୪୩ ସହିତ ଆସାମ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶାର ଅପରାଧ ଦେଶରେ ଦ୍ବିତୀୟ ସର୍ବାଧିକ ରହିଛି। ୯୪ ଅଙ୍କ ସହ ଓଡ଼ିଶା ଏବଂ ତେଲେଙ୍ଗାନା ମିଳିତ ଭାବେ ଦ୍ବିତୀୟ ସ୍ଥାନରେ ଅଛନ୍ତି; ଅର୍ଥାତ୍‌ ରାଜ୍ୟରେ ପ୍ରତି ଏକ ଲକ୍ଷ ଲୋକ ପିଛା ୯୪ଟି ଅପରାଧ ମାମଲା ରୁଜୁ ହୋଇଛି। ଏହା ପଛକୁ ୮୮ ଅଙ୍କ ସହିତ ହରିୟାଣା ଓ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଥିବା ଜାତୀୟ ଅପରାଧ ରେକର୍ଡ ବୋର୍ଡ (ଏନସିଆରବି) ପକ୍ଷରୁ ସୋମବାର ପ୍ରକାଶିତ ‘ଭାରତରେ ଅପରାଧ-୨୦୧୭’ ଶୀର୍ଷକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ ​ଦେଶରେ ୨୦୧୬ ତୁଳନାରେ ୨୦୧୭ରେ ଦେଶରେ ଅପରାଧ ସଂଖ୍ୟା ୩.୬% ବୃଦ୍ଧି ପାଇଛି। ଏହି ବର୍ଷ  ସମଗ୍ର ଦେଶରେ ୫୦ ଲକ୍ଷ ଅପରାଧ ମାମଲା ରୁଜୁ ହୋଇଛି। ଅନ୍ୟାନ୍ୟ ଅପରାଧ ତୁଳନାରେ ଦେଶରେ ଏହି ସମୟ ମଧ୍ୟରେ ହତ୍ୟା ଘଟଣାରେ ୫.୯% ହ୍ରାସ ପରିଲକ୍ଷିତ ହୋଇଛି। ୨୦୧୬ରେ ମୋଟ ୩୦,୪୫୦ଟି ଓ ୨୦୧୭ରେ ୨୮,୬୫୩ ହତ୍ୟା ମାମଲା ରୁଜୁ ହୋଇଥିଲା।

ଅଧିକାଂଶ ହତ୍ୟା ଘଟଣାରେ ବିଭିନ୍ନ କାରଣରୁ ବିବାଦ, ଶତ୍ରୁତା ତଥା କିଛି ହାସଲ କରିବାର ଉଦ୍ଦେଶ୍ୟ ମୂଳ କାରଣ ଦର୍ଶାଯାଇଛି। ଉତ୍ତରପ୍ରଦେଶ ଓ ବିହାରରେ ବିବାଦ କାରଣରୁ ସର୍ବାଧିକ ହତ୍ୟା ଘଟଣା ଘଟି ଯଥାକ୍ରମେ ୧୦୫୧ ଏବଂ ୯୯୩ଟି ମାମଲା ରୁଜୁ ହୋଇଛି।

ସେହିଭଳି ମହିଳାଙ୍କ ବିରୋଧରେ ଅପରାଧ ସମ୍ବନ୍ଧୀୟ ମାମଲା କ୍ରମାଗତ ତୃତୀୟ ବର୍ଷ ପାଇଁ ବୃଦ୍ଧି ପାଇଛି। ୨୦୧୭ରେ ଏ ସମ୍ବନ୍ଧୀୟ ମୋଟ ୩,୫୯,୮୪୯ଟି ମାମଲା ରୁଜୁ ହୋଇଛି। ୨୦୧୫ରେ ୩,୨୯,୨୪୩ଟି ଏବଂ ୨୦୧୬ରେ ୩,୩୮,୯୫୪ଟି ଏହିଭଳି ମାମଲା ରୁଜୁ ହୋଇଥିଲା। ବିଶେଷକରି ହତ୍ୟା, ବଳାତ୍କାର, ଯୌତୁକଜନିତ ମୃତ୍ୟୁ, ଆତ୍ମହତ୍ୟା ପାଇଁ ବାଧ୍ୟ କରିବା, ଏସିଡ ଆକ୍ରମଣ, କ୍ରୂରତା ଏବଂ ଅପହରଣ ପ୍ରଭୃତିକୁ ବିଚାରକୁ ନେଇ ମହିଳାଙ୍କ ବିରୋଧରେ ଅପରାଧ ହାର ରେକର୍ଡ କରାଯାଇଛି। ଉତ୍ତରପ୍ରଦେଶ ମହିଳା ସବୁଠାରୁ ଅସୁରକ୍ଷିତ ବୋଲି ଏହି ରିପୋର୍ଟରୁ ଜଣାଯାଏ। ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ଅପରାଧ ଘଟଣା ସର୍ବାଧିକ ଘଟିଥିବା ବେଳେ ଏହା ପଛକୁ ଯଥାକ୍ରମେ ରହିଛି ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଆସାମ;  କିନ୍ତୁ ଦିଲ୍ଲୀରେ କ୍ରମାଗତ ତୃତୀୟ ବର୍ଷ ପାଇଁ ମହିଳାଙ୍କ ବିରୋଧରେ ଅପରାଧ ମାମଲା ହ୍ରାସ ପାଇଥିଲେ ମଧ୍ୟ ସମସ୍ତ ମେଟ୍ରୋ ସହର ତଥା କେନ୍ଦ୍ର ଶାସିତ ଅଞ୍ଚଳ ତୁଳନାରେ ଏଠାରେ ଏହି ମାମଲା ସର୍ବାଧିକ ରହିଛି। ୨୦୧୭ରେ ଦିଲ୍ଲୀରେ ମୋଟ ୧୩,୦୭୬ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ୨୦୧୬ରେ ୧୫,୩୧୦ଟି ଏବଂ ୨୦୧୫ରେ ୧୭,୨୨୨ଟି ଏହି ମାମଲା ରାଷ୍ଟ୍ରୀୟ ରାଜଧାନୀରେ ରୁଜୁ ହୋଇଥିଲା। ୮ ରାଜ୍ୟ ଯଥା: ଅରୁଣାଚଳପ୍ରଦେଶ, ଗୋଆ, ହିମାଚଳପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରାରେ ରୁଜୁ ମହିଳା ବିରୋଧୀ ମାମଲା ସଂଖ୍ୟା ତିନି ଅଙ୍କବିଶିଷ୍ଟ ରହିଛି ଯାହାକି ସର୍ବଭାରତୀୟ ସ୍ତରରେ ଏହି ମାମଲା ସମ୍ବନ୍ଧୀୟ ମୋଟ ସଂଖ୍ୟାର ଏକ ପ୍ରତିଶତ ମଧ୍ୟ ନୁହେଁ।

ଏହି ବର୍ଷ ବଳାତ୍କାର ମାମଲା ହ୍ରାସ ପାଇଥିବା ଦର୍ଶାଯାଇଛି। ୨୦୧୭ରେ ମୋଟ ୩୨,୫୯୯ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ସେଥିରେ ମୋଟ ୧୦,୨୨୧ ଜଣ ପୀଡ଼ିତା ନାବାଳିକା/ଶିଶୁ ଥିଲେ ବୋଲି ଦର୍ଶାଯାଇଛି। ୨୦୧୩ ପରଠାରୁ ବଳାତ୍କାର ମାମଲା ସମ୍ବନ୍ଧୀୟ ଏହି ସଂଖ୍ୟା ସର୍ବନିମ୍ନ ବୋଲି ଦର୍ଶାଯାଇଛି। ୨୦୧୩ରେ ମୋଟ ୩୩,୭୦୭ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା। ମୋଟ ୩୩,୭୬୪ ଜଣ ବଳାତ୍କାରର ଶିକାର ହୋଇଥିଲେ। ୯୩% ବଳାତ୍କାର ମାମଲାରେ ପୀଡ଼ିତାଙ୍କ ପରିଚିତ ବ୍ୟକ୍ତି ହିଁ ଅପରାଧ ଘଟାଇଥିବା ଅଭିଯୋଗ ହୋଇଛି। ଦେଶରେ ୨୦୧୭ରେ ଅପହରଣ ମାମଲାରେ ୯% ବୃଦ୍ଧିପାଇଛି। ୨୦୧୬ରେ ମୋଟ ୯୫,୮୯୩ଟି ଅପହରଣ ମାମଲା ରୁଜୁ ହୋଇଥିଲା। ୨୦୧୭ରେ ଏହି ସଂଖ୍ୟା ୮୮,୦୦୮ ଥିଲା। ଉକ୍ତ ବର୍ଷ ମୋଟ ୧,୦୦,୫୫୫ ଜଣଙ୍କୁ ଅପହରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ (୫୬,୬୨୨) ଜଣ କେବଳ ଶିଶୁ ବୋଲି ଏନସିଆରବି ଦର୍ଶାଇଛି। ସେହିଭଳି ମହିଳାଙ୍କୁ ନିର୍ଯାତନା ସମ୍ବନ୍ଧୀୟ ୮୬,୦୦୧ଟି ମାମଲା ରୁଜୁ କରାଯାଇଥିଲା।

ରିପୋର୍ଟର ପରିସଂଖ୍ୟାନରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଇପିସି ଅଧୀନରେ ରୁଜୁ ମାମଲା ସମ୍ବନ୍ଧୀୟ କ୍ରାଇମ ରେଟ ୧୦୫୦ ରହିଛି ଯାହାକି ସମଗ୍ର ଦେଶର କ୍ରାଇମ ରେଟ ୨୩୮ଠାରୁ ଚାରି ଗୁଣା ଅଧିକ। ସାଇବର ଅପରାଧ ମାମଲା ବେଙ୍ଗାଲୁରୁରେ ସର୍ବାଧିକ ଘଟିଛି। ‌େ​‌ମାଟ ୧୬୭୧ଟି ହାଜତ ମୃତ୍ୟୁ ଘଟଣା ଘଟିଥିଲା ଯାହାକି ୨୦୧୫ ତୁଳନାରେ ୫.୪୯% ଅଧିକ। ଏଥିମଧ୍ୟରୁ ୧,୪୯୪ଟି ସ୍ବାଭାବିକ ମୃତ୍ୟୁ ହୋଇଥିବା ବେଳେ ୧୩୩ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ସ୍ବରାଷ୍ଟ୍ର ମନ୍ତ୍ରାଳୟ ଅଧୀନରେ ଏନସିଆରବି ଦେଶରେ ପ୍ରଚଳିତ ଭାରତୀୟ ପିଙ୍ଗଳ କୋର୍ଡ ଏବଂ ସ୍ବତନ୍ତ୍ର ତଥା ଆଞ୍ଚଳିକ ଆଇନ ଅନୁସାରେ ନିର୍ଦ୍ଧାରିତ ଅପରାଧ ସମ୍ବନ୍ଧରେ ତଥ୍ୟ ସଂଗ୍ରହ ତଥା ସମୀକ୍ଷା କରିଥାଏ। ଚଳିତଥର ବିଳମ୍ବରେ ପ୍ରକାଶିତ ଏହି ରିପୋର୍ଟରେ ଲିଞ୍ଚିଂ (ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା) ଓ ସମ୍ମାନ ପାଇଁ ହତ୍ୟା (ଅନର କିଲିଂ) ସମ୍ବନ୍ଧରେ କିଛି ଉଲ୍ଲେଖ ନାହିଁ।

 

Comments are closed.