କୋଭିଡ୍‍ ଅରୋଗ୍ୟ ହାର ୯୪.୦୩ ପ୍ରତିଶତ : ୧୦ ରାଜ୍ୟରେ ୭୮ଭାଗ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଅରୋଗ୍ୟ ହାର ୯୪.୦୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ପ୍ରାୟ ୯୦ ଲକ୍ଷର ନିକଟତର ହୋଇଛି। ତେବେ ଦେଶରେ  ଆରୋଗ୍ୟ ଲୋକଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟାର ୨୦ ଗୁଣରୁ ଅଧିକ ରହିଛି। ଦେଶରେ କୋଭିଡରେ ଚିକିତ୍ସିତ ଲୋକଙ୍କ ସଂଖ୍ୟା ଶତକଡ଼ା ୫ ଭାଗରୁ ନିମ୍ନରେ ରହିଛି। ବର୍ତ୍ତମାନ ୪ ଲକ୍ଷ ୨୮ ହଜାର ୬୪୪ ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସାଧୀନ ଅଛନ୍ତି, ଯାହା ମୋଟ୍‍ ସଂକ୍ରମଣର ୪.୫୧ ଭାଗ ରହିଛି।

ଅନ୍ୟପକ୍ଷରେ ଦେଶରେ କ୍ରମାନ୍ୱୟରେ ୨୫ ଦିନ ଧରି ଦୈନିକ କୋଭିଡ୍‍ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ ନିମ୍ନରେ ରହିଛି। ଗତ ୨୪ ଘଣ୍ଟା ଭିତରେ ୩୬ ହଜାର ୬୦୦ ଲୋକ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ନୂଆ ସଂକ୍ରମିତ ମାନଙ୍କର ଶତକଡ଼ା ୭୮ଭାଗ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ହରିୟାଣା ଓ ରାଜସ୍ଥାନ ଭଳି ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି। ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ଚିକିତ୍ସା ମୌଳିକ ଢାଞ୍ଚାରେ ଅଣାଯାଇଥିବା ବିକାଶ, କେନ୍ଦ୍ର  ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ସଂକ୍ରମିତମାନଙ୍କର ଠିକ୍‍ ସମୟରେ ଚିକିତ୍ସା ଯୋଗୁଁ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ତା’ଛଡ଼ା ଡାକ୍ତର, ଚିକିତ୍ସା ସହାୟକ, ସ୍ବାସ୍ଥ୍ୟ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କ ଅକ୍ଳାନ୍ତ ଉଦ୍ୟମ ଏକ୍ଷେତ୍ରରେ ପ୍ରଧାନ ଭୂମିକା ଗ୍ରହଣ କରିଛି।  ମନ୍ତ୍ରଣାଳୟ କହିଛି, ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ୧.୪୫ % ରହିଛି। ଗତ ୨୪ ଘଣ୍ଟା ଭିତରେ ୫୦୧ ଜଣ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି।

ଗତ ୨୪ ଘଣ୍ଟା ଭିତରେ ପ୍ରାୟ ୧୧ ଲକ୍ଷ ନମୁନା ପରୀକ୍ଷା କରାଯିବା ସହ ଦେଶରେ ଏପର୍ଯ୍ୟନ୍ତ ୧୪ କୋଟି ୨୪ ଲକ୍ଷ ୪୬ ହଜାର କୋଭିଡ୍‍ ନମୁନା ପରୀକ୍ଷା କରାଯାଇଛି। ମନ୍ତ୍ରଣାଳୟ କହିଛି, ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତ ମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଚିକିତ୍ସା କରାଯାଉଛି, ଯା’ଫଳରେ ମୃତ୍ୟୁହାର କମ୍‍ ରହିଛି। ଅଧିକ ନମୁନା ପରୀକ୍ଷା ଯୋଗୁଁ ମଧ୍ୟ ଦୈନିକ ସଂକ୍ରମିତ ହାର ହ୍ରାସ ପାଇବାରେ ଲାଗିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ଭାରତ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୫ ଗୁଣା ଅଧିକ ନମୁନା ପରୀକ୍ଷା କରିବାରେ ସଫଳ ହୋଇଛି। ଦେଶରେ ୨ ହଜାର ୧୭୨ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୧୭୬ଟି ସରକାରୀ ପରୀକ୍ଷାଗାର ଓ ୯୯୬ଟି ବେସରକାରୀ ପରୀକ୍ଷାଗାର ରହିଛି। ଭାରତ ଦୈନିକ ୧୫ ଲକ୍ଷ ନମୁନା ପରୀକ୍ଷା କରିବାର ସାମର୍ଥ୍ୟ ହାସଲ କରିଛି।

Comments are closed.