କୋଭିଡ୍‍ ଆରୋଗ୍ୟ ହାର ୯୬.୦୮ ପ୍ରତିଶତକୁ ବୃଦ୍ଧି : ମୃତ୍ୟୁହାର ୧.୪୫%

ନୂଆଦିଲ୍ଳୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୬.୦୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୮ ଲକ୍ଷ ୮୩ ହଜାରକୁ ଅତିକ୍ରମ କରିଯାଇଛି। ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୨.୪୭% ରହିଛି। ଚିକିତ୍ସିତ ହେଉଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ୫୪ ହଜାର ଥିବା ଜଣାପଡ଼ିଛି।
ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୩୬ ଜଣ ନୂଆ ଲୋକ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି। ଫଳରେ ଦେଶରେ ମୋଟ୍‍ ସଂକ୍ରମଣ ୧ କୋଟି ୨ ଲକ୍ଷରୁ ଅଧିକ ରହିଛି। ମନ୍ତ୍ରଣାଳୟ କହିଛି, କରୋନା ମୃତ୍ୟୁହାର  ୧.୪୫% ଭାଗ ଥିବାର ରିପୋର୍ଟ ମିଳିଛି, ଯାହା ବିଶ୍ୱରରେ ପ୍ରାୟ ସର୍ବନିମ୍ନ ବୋଲି ବିବେଚନା କରାଯାଉଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୫୬ ଜଣଙ୍କର ମୃତ୍ୟୁ ଘଟିବାରୁ କୋଭିଡ୍‍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୮ ହଜାର ୯୯୪ରେ ପହଞ୍ଚିଛି।
ଆଇସିଏମ୍‍ଆର୍‍ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ଭିତରେ ୧୦ ଲକ୍ଷ ୬୨ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ ମୋଟ୍‍ ୧୭ କୋଟି ୩୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି।

Comments are closed.