ଅନ୍ୟକୁ ଭଲ ପାଇବାର ବାର୍ତ୍ତା ଦେଇଛନ୍ତି ଗାନ୍ଧୀ – ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୭୨ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦେଶ ଆଜି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ୧୯୪୮ ମସିହାର ଆଜିର ଦିନରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଆଜିର ଦିନଟିକୁ ମଧ୍ୟ ଶହିଦ ଦିବସ ଭାବେ ପାଳନ କରାଯାଉଛି। ରାଜଧାନୀ ଦିଲ୍ଲୀସ୍ଥିତ ରାଜଘାଟଠାରେ ଏଥିପାଇଁ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶହିଦ ଦିବସ ଅବସରରେ ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଗାନ୍ଧୀଜୀ ତାଙ୍କର ଶେଷ ବାର୍ତ୍ତାରେ ଅନ୍ୟକୁ ଭଲ ପାଇବାର ବାର୍ତ୍ତା ଦେଇଯାଇଛନ୍ତି। କୋବିନ୍ଦ କହିଛନ୍ତି, ଗାନ୍ଧୀଜୀଙ୍କ ବାର୍ତ୍ତା ଅଧିକରୁ ଅଧିକ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି।
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ମହାତ୍ମା ଗାନ୍ଧୀଙ୍କର ଶାନ୍ତି ଓ ଅହିଂସାର ବାର୍ତ୍ତାର ସବୁ ସମୟରେ ପ୍ରାସଙ୍ଗିକତା ରହିଛି ଓ ବିଶ୍ୱର କୋଣ ଅନୁକୋଣରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ସେ କହିଛନ୍ତି, ଅହିଂସା, ସତ୍ୟାଗ୍ରହ ଓ ଅସହଯୋଗର ଦର୍ଶନ ମାଧ୍ୟମରେ ଗାନ୍ଧୀଜୀ ଦେଶର ଜନତାକୁ ଏକତ୍ରିତ କରିପାରିଥିଲେ ଓ ଏକ ଜାତୀୟ ଆନ୍ଦୋଳନର ନେତୃତ୍ୱ ନେଇ ପାରିଥିଲେ। ନାଇଡୁ କହିଛନ୍ତି କ୍ଷୁଧା, ଦାରିଦ୍ର୍ୟ ସମସ୍ତ ପ୍ରକାର ପକ୍ଷପାତ, ଦୁର୍ନୀତିମୁକ୍ତ ଏକ ନବଭାରତ ଗଠନ ଦ୍ୱାରା ଗାନ୍ଧୀଜୀଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଯୁବପିଢ଼ୀ ମଧ୍ୟରେ ଏହା ସେବାର ଏକ ମନୋଭାବ ଜାଗ୍ରତ କରାଇବ ବୋଲି ନାଇଡୁ କହିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କର ବାର୍ତ୍ତାରେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିତ୍ୱ ଓ ଆଦର୍ଶ ଏକ ସୁଦୃଢ଼, ଦକ୍ଷ ଓ ସମୃଦ୍ଧ ଭାରତ ଗଠନରେ ଲୋକମାନଙ୍କୁ ସର୍ବଦା ଅନୁପ୍ରାଣିତ କରିଚାଲିଥିବ। ଗୁଜୁରାଟର ଅହମ୍ମଦାବାଦସ୍ଥିତ ଶାବରମତୀ ଗାନ୍ଧୀ ଆଶ୍ରମ ଓ ପୋର୍ ବନ୍ଦରର କୀର୍ତ୍ତି ମନ୍ଦିରଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇଛି। ଏହି ଅବସରରେ ଅନେକ ବକ୍ତୃତା କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଭଳି କାର୍ଯ୍ୟକ୍ରମ ଗୁଡ଼ିକର ଆୟୋଜନ କରାଯାଇଛି।