ଦେଶବ୍ୟାପୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିତ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶରେ ଅନେକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଧାନସଭା ପରିସରରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପବାଚସ୍ପତି ଏବଂ ମନ୍ତ୍ରିମଣ୍ଡଳ ବହୁ ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ଓ ବିଧାନସଭା ପରିସରସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଛତିଶଗଡ଼ରେ ଆଜିଠାରୁ ରାଜ୍ୟ ବିଧାନସଭାର ଏକ ଦୁଇଦିନିଆ ଅଧିବେଶନ ଆରମ୍ଭ କରାଯାଇଛି। ଏହି ଅଧିବେଶନ ସମୟରେ ବିଧାନସଭା ସଦସ୍ୟମାନେ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଓ ଲେଖାଗୁଡ଼ିକ ଉପରେ ସେମାନଙ୍କର ମତାମତ ଦେଉଛନ୍ତି। ଆନ୍ଧ୍ର ପ୍ରଦେଶରେ ମଧ୍ୟ ଗାନ୍ଧିଜୀଙ୍କର ୧୫୦ତମ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ସ୍ୱଚ୍ଛତା ହି ସେବା ସଚେତନତା ର‍୍ୟାଲି ଓ ସାଧାରଣ ସଭାମାନ କରାଯାଇଛି। ତାମିଲନାଡୁ ତ୍ରିଚିଠାରେ ଗାନ୍ଧିଜୀଙ୍କ ଜୀବନୀ ଓ ତାଙ୍କ ସମୟର ଘଟଣାବଳୀ ଉଲ୍ଲେଖ ଥିବା ଷ୍ଟାମ୍ପ୍‍ଗୁଡ଼ିକର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। କର୍ଣ୍ଣାଟକରେ ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍‍ର ବର୍ଜନ ପାଇଁ ସ୍ୱଚ୍ଛତା ସଚେତନ ଅଭିଯାନ, ଏନ୍‍.ସି.ସି. ଓ ସ୍କାଉଟ୍‍ସ୍‍ମାନଙ୍କଦ୍ୱାରା ର‍୍ୟାଲି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା ଆଜି ବେଙ୍ଗାଲୁରୁଠାରେ ମହାତ୍ମା ଗାନ୍ଧୀଙ୍କ ଉପରେ ଯୋଜନା ପତ୍ରିକାର ଏକ ସ୍ୱତନ୍ତ୍ର ସଂସ୍କରଣକୁ ଉନ୍ମୋଚନ କରିଛନ୍ତି।

ଅରୁଣାଚଳ ପ୍ରଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମିଜୋରାମରେ ମଧ୍ୟ ଗାନ୍ଧିଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ଜୋରାମ୍‍ଥଙ୍ଗା ଆଇଜଲ୍‍ଠାରେ ଆନ୍ତର୍ଜାତିକ ଅହିଂସା ଦିବସ ପାଳନରେ ରାଜ୍ୟର ନେତୃତ୍ୱ ନେଇଥିଲେ। ମେଘାଳୟରେ ଗାନ୍ଧିଜୀଙ୍କର ଜୟନ୍ତୀ ପାଳନ ଉପଲକ୍ଷେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଧ୍ୟପ୍ରଦେଶରେ ମହାତ୍ମାଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉତ୍ତର ପ୍ରଦେଶରେ ଆଜି ପୂର୍ବାହ୍ନ ୧୧ଟାଠାରୁ ରାଜ୍ୟ ବିଧାନସଭାର ଏକ ଛତିଶଘଣ୍ଟିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁଦୁଚେରୀରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

Comments are closed.