ଆଜି ଶହୀଦ ଭଗତ ସିଂଙ୍କ ୧୧୩ତମ ଜନ୍ମ ଜୟନ୍ତୀ


ଶହୀଦ ଭଗତ ସିଂଙ୍କ ୧୧୩ ତମ ଜନ୍ମ ଜୟନ୍ତୀ ଅବସରରେ ଦେଶ ଆଜି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ୧୯୦୭ ମସିହା ଆଜିର ଦିନରେ ଶହୀଦ ଭଗତ ସିଂ ଅବିଭକ୍ତ ପଞ୍ଜାବ ପ୍ରଦେଶର ଲ୍ୟାଲପୁର ଜିଲ୍ଲାସ୍ଥିତ ବାଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ସେ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିଲେ ଓ ୨୩ ବର୍ଷ ବୟସରେ ରାଜଗୁରୁ ଓ ସୁଖଦେବଙ୍କ ସହ ତାଙ୍କୁ ଲାହୋର ଜେଲରେ ଫାଶୀ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶହୀଦ ଭଗତ ସିଂଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତକାଲି ତାଙ୍କର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ମହାନ୍‍ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଓ ସାହସିକତାର ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ। ଆଜି ଏକ ଟ୍ୱିଟ୍‍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶହୀଦ ଭଗତ ସିଂଙ୍କର ବୀରତ୍ୱର କାହାଣୀ ଦେଶବାସୀଙ୍କୁ ଅନେକ ଯୁଗ ପର୍ଯ୍ୟନ୍ତ ଅନୁପ୍ରାଣିତ କରିବ।

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶହୀଦ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଏକ ଟ୍ୱିଟ୍‍ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି, ଶହୀଦ ଭଗତ ସିଂ ଭାରତର ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ବିପ୍ଲବୀ ଚିନ୍ତାଧାରା ଓ ମହାନ୍‍ ବଳିଦାନ ମାଧ୍ୟମରେ ଏକ ନୂଆ ଦିଗ୍‍ଦର୍ଶନ ଦେଇଥିଲେ ଏବଂ ଦେଶର ଯୁବପିଢ଼ି ମଧ୍ୟରେ ସ୍ୱାଧୀନ ହେବାର ମହତ୍ତ୍ୱାକାଂକ୍ଷା ଜାଗ୍ରତ କରାଇଥିଲେ। ଭଗତ ସିଂ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ଶାହା କହିଛନ୍ତି।

ବିଜେପି ସଭାପତି ଜେପି ନଡ୍ଡା ଶହୀଦ ଭଗତ ସିଂଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ସେ କହିଛନ୍ତି, ଭଗତ ସିଂ ଜଣେ ମହାନ୍‍ ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏ ଅତି କମ୍‍ ବୟସରୁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଶ୍ରୀ ନଡ୍ଡା କହିଛନ୍ତି, ଭଗତ ସିଂଙ୍କର ଅଦମ୍ୟ ସାହସ ଓ ବୀରତ୍ୱର କାହାଣୀ ଯୁବପିଢ଼ି ମଧ୍ୟରେ ଏବେ ବି ଦେଶପ୍ରେମର ଭାବନା ଜାଗ୍ରତ କରୁଛି।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ମଧ୍ୟ ଶହୀଦ ଭଗତ ସିଂଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Comments are closed.